ବିଧାନସଭାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ /୨୫ ମଇ ବୁଧବାର /ଭୁବନେଶ୍ୱର :- ଓଡ଼ିଶା ବିଧାନସଭା ପରିସରରେ ଓଡ଼ିଶାର ବରପୁତ୍ର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧଦିବସ ଆଜି ପୂର୍ବାହ୍ନରେ ପାଳିତ ହୋଇଯାଇଛି । ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, ରାଜ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ,

ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର ପ୍ରମୁଖ ପାରଳା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ା ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ପାରଳା ମହାରାଜାଙ୍କ ଅବଦାନ ଅତୁଳନୀୟ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସେ ଜଣେ ମୁଖ୍ୟ ପୁରୋଧା ଥିଲେ । ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷିର ବିକାଶ ପାଇଁ ସେ ଅନେକ ଉତ୍ତମ ପଦକ୍ଷେପ ଗ୍ରହଣ କରିଥିଲେ ।

ରାଜାଙ୍କ ଜନ୍ମ ପ୍ରଜାମାନଙ୍କ ସେବା ପାଇଁ ବୋଲି ସେ କହୁଥିଲେ । ଏହି ବାକ୍ୟରୁ ସେ ଜଣେ ଅତ୍ୟନ୍ତ ପ୍ରଜାବତ୍ସଳ ରାଜା ଥିଲେ ବୋଲି ସ୍ପଷ୍ଟ ପ୍ରମାଣିତ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି । ଉପନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କଣ୍ଠଶିଳ୍ପୀମାନେ ପାରଳା ମହାରାଜାଙ୍କ ଜୀବନୀ ଉପରେ ପର୍ଯ୍ୟବେଷିତ ସୁମଧୁର ସଂଗୀତ ପରିବେଷଣ କରିଥିଲେ । ସୌରଭ ପ୍ରଧାନ