ବ୍ରଜରାଜନଗର ଉପନିର୍ବାଚନ ପ୍ରାର୍ଥୀ ଘୋଷଣା କରିଛି ବିଜେଡି : ଅଳକା ମହାନ୍ତିଙ୍କ ନାଁ ଘୋଷଣା କରିଛନ୍ତି – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶା ତାଜା ନ୍ୟୁଜ୍ /୧୬ ମଇ ସୋମବାର/ବ୍ରଜରାଜନଗର :- ବିଜେଡି ପକ୍ଷରୁ ଏହି ଆସନ ପାଇଁ ଅନେକ ଆଶାୟୀଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା, ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ସୋମବାର ନବୀନ ନିବାସରେ ବିଧିବଦ୍ଧ ଭାବେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଭାବେ ଅଳକା ମହାନ୍ତିଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଅଳକା ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଏହି ଦୌଡ଼ିରେ ଅନେକ ଆଶାୟୀ ରହିଥିଲେ । ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ନାଁକୁ ନେଇ ମଧ୍ୟ ଜୋରସୋର ଚର୍ଚ୍ଚା ହେଉଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଆଜି ଅଳକାଙ୍କ ନାଁ ଘୋଷଣା କରି ସବୁ ଚର୍ଚ୍ଚା ଉପରେ ବିରାମ ଲାଗଇଛନ୍ତି ।

ଅଳକା ମହାନ୍ତି ହେଉଛନ୍ତି ବ୍ରଜରାଜନଗରର ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ । ୨୦୨୧ ମସିହା ଡିସେମ୍ବର ମାସରେ ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ହୋଇଥିଲା । ତାଙ୍କ ଦେହାନ୍ତ ପରେ ବ୍ରଜରାଜନଗର ବିଧାନସଭା ଆସନଟି ଖାଲିପଡ଼ିଥିଲା । ଆସନ୍ତା ମେ’ ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଲାଗି ତାରିଖ ଘୋଷଣା କରାଯାଇଥିଲା । ତାରିଖ ଘୋଷଣା ହେବା ପରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତା’ ଉପରେ ସମସ୍ତଙ୍କ ନଜର ରହିଥିଲା ।

ବିଜେଡିର ପୁରୁଣା ପରମ୍ପରା ରହିଛି କୌଣସି ଦଳୀୟ ନେତାଙ୍କର ବିୟୋଗ ଘଟିଲେ ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣକୁ ପ୍ରାର୍ଥୀ କରାଯିବ । ବିଶେଷ କରି ମୃତକଙ୍କ ପତ୍ନୀ କିମ୍ବା ପୁଅଙ୍କୁ ଦଳ ପ୍ରାଧାନ୍ୟ ଦେଇଥାଏ । ପୂର୍ବରୁ ଅନେକ ପ୍ରମାଣ ମଧ୍ୟ ରହିଛି । ବିଜେଡିର ଏହି ପୁରୁଣା ପରମ୍ପରା ଆଧାରରେ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଥିବା କୁହାଯାଉଛି ।

ଅନ୍ୟ ପଟେ ସ୍ଵାମୀଙ୍କ ଅଧୁରା ସ୍ଵପ୍ନକୁ ପୂରଣ କରିବେ ବୋଲି କହିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ସେ କହିଛନ୍ତି ତାଙ୍କ ସ୍ଵାମୀ ବ୍ରଜରାଜନଗର ଏବଂ ବ୍ରଜରାଜନଗର ବାସିନ୍ଦାଙ୍କ ବିକାଶ ପାଇଁ ଅନେକ ସ୍ଵପ୍ନ ଦେଖିଥିଲେ । ସେଗୁଡ଼ିକ ମଧ୍ୟରୁ କିଛି ପୂରଣ ହୋଇଥିବାବେଳେ ଅନେକ ବାକି ରହିଯାଇଛି । ନିର୍ବାଚନ ଜିତିଲେ ସ୍ଵାମୀଙ୍କର ସ୍ଵପ୍ନ ପୂରଣ କରିବା ଉପରେ ଗୁରୁତ୍ଵ ଦେବେ ବୋଲି ସେ କହିଛନ୍ତି ।

ନିର୍ବାଚନ ମୈଦାନକୁ ଯିବା ଆଗରୁ ସେ ଦଳୀୟ କର୍ମୀ ଏବଂ ବ୍ରଜରାଜନଗର ବାସିନ୍ଦାଙ୍କ ସହଯୋଗ ଲୋଡ଼ିଛନ୍ତି । କଂଗ୍ରେସ ପକ୍ଷରୁ ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲ, ବଜେପି ପକ୍ଷରୁ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି । ବ୍ରଜରାଜନଗର ନିର୍ବାଚନ ମୈଦାନରେ ଦୁଇ ଜଣ ନାରୀନେତ୍ରୀଙ୍କ ମଧ୍ୟରେ ଏଥର କଡ଼ା ମୁକାବିଲା ଦେଖିବାକୁ ମିଳିବ ।