ଅରୁଣ ସାହୁଙ୍କ ଛାତିତଳେ ରହିଚି ଏକ ମା’ର ହୃଦୟ..

ଓଡ଼ିଶା ତାଜା ନ୍ୟୁଜ୍ (୮ ଫେବ୍ରୁଆରୀ ମଙ୍ଗଳବାର ) ସୁନ୍ଦରଗଡ :- ଗତବର୍ଷ ସରଶ୍ୱତୀ ପୂଜା ଅବସରରେ,, ସୁନ୍ଦରଗଡରେ । ମାନ୍ୟବର ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ୩ ଦିନିଆ ସୁନ୍ଦରଗଡ ଗସ୍ତ ସମୟରେ, ତାଙ୍କ ସହିତ ମତେ ବି ଯିବାର ସୁଯୋଗ ମିଳିଥିଲା । ଏଇ ୩ ଦିନ, ସେ’ ଜଣେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ସୁନ୍ଦରଗଡରେ ରାଜକୀୟ ରହଣି ରହି ପାରିଥା’ନ୍ତେ, କିନ୍ତୁ ନା’, ରହିଲେ ଆମ ମାନଙ୍କ ସହିତ ଗୋଟିଏ ଘରେ, ଯୋଉଠି ତଳେ ଗଦି ବେଡସିଟ୍ ପଡିଥିଲା । ସାଙ୍ଗରେ ରହିଲେ, ସମସ୍ତଙ୍କୁ ଖୁଏଇବା ପରେ ନିଜେ ଯାଇ ଖାଇଲେ । ଏ’ ସବୁ ଠିକ୍ ଥିଲା, ହେଲେ ସିଏ ଯେତେବେଳେ କ୍ୟାବିନେଟ୍ ମନ୍ତ୍ରୀଙ୍କ ପ୍ରୋଟୋକଲ୍ ରେ ରାସ୍ତାରେ ଯା’ନ୍ତି, ତାଙ୍କ ଗାଡି ଏତେ କ୍ଷୀପ୍ରବେଗରେ ଗତି କରେ ଯେ’ ମୁଁ ଆଉ ମୋ’ ଗାଡି ସେ’ ଗାଡିକୁ ଅନୁସରଣ କରିବା ମୁସ୍କିଲ୍ ହେଇ ଯାଏ । ୟାରି ଭିତରେ ୩ ଦିନ କଟିଲା, ମୁଁ ବି ଦିନ ଗଣୁଥାଏ କେମିତି ଫେରିବୁ ..?

ଯୋଉ ଦିନ ଫେରିଲୁ, ସମ୍ବଲପୁର ରୁ ସୋନପୁର ରାସ୍ତାରେ ଗୋଟେ ଢାବା ପାଖରେ ମଧ୍ୟାନ୍ନ ଭୋଜନ ପାଇଁ ଗାଡି ରହିଲା, ପୂଜା ସାରି ୧୧.୩୦ ରେ ଘିଅ ଅନ୍ନ ଏବଂ ଡାଲମା ଇତ୍ୟାଦି ଖାଇ ଥିବାରୁ ମତେ ଭୋକ ନ’ଥାଏ । ଏଣୁ ମୁଁ କହିଲି, ଆଗକୁ ଯାଉଚି, ଗାଡିରେ ତେଲ ପକେଇ ସେଇଠି କୋଉଠି ଖାଇ ନେବି । ଏମିତି ନ’ କରିଥିଲେ, ସେ’ ଜୋର୍ କରି ଖୁଏଇ ଦେଇ ଥା’ନ୍ତେ । ମୁଁ ଆଗକୁ ଯାଇକି ତେଲ ପକେଇ ମନ୍ତ୍ରୀଙ୍କୁ ଅପେକ୍ଷା କଲି…॥ ମନ୍ତ୍ରୀ ଆସିଲେ, ଆମେ ପୁଣି ଚାଲିଲୁ ଆଗକୁ ଆଗକୁ…। ବୌଦ୍ଧ ପାଖରେ ମୁଁ ଟୁକୁନାକୁ ( ମୋ’ ଭାଇ ଯିଏ ଗାଡି ଚଲଉ ଥିଲା ) କହିଲି, ଆମେ ଆଉ ତାଙ୍କ ସ୍ପିଡ୍ ରେ ନ’ଯାଇ ରହିଯିବା, ଚାରିଛକରୁ ହଳଦି ମାଣ୍ଡିଆ କିଣି ଆରାମରେ ଯିବା । ଏଇ ସୂଚନା ମନ୍ତ୍ରୀଙ୍କ ସୁରକ୍ଷା କର୍ମୀଙ୍କୁ ଦେଇ ଆମ ଗାଡିର ଗତିକୁ ଧୀର କଲୁ ।ଚାରିଛକରେ ଯାହା କିଣାକିଣି କରିବା କଥା କିଣି ପୁଣି ଆଗେଇଲୁ ।

କିଛି ଦୂର ଯିବା ପରେ ମନ୍ତ୍ରୀଙ୍କ ଫୋନ୍ ଆସିଲା, କୋଉଠି ତମେ ..? କାଇଁ ତମ ଗାଡି ତ’ ମୋ’ ଗାଡି ପଛରେ ନାହିଁ ? ମୁଁ କହିଲି ଆମେ ଚାରିଛକରେ ରହିଗଲୁ, କିଛି ଜିନିଷ କିଣି ଧୀରେ ଧୀରେ ଯାଉଚୁ, ଆପଣ ପଳେଇ ଯା’ନ୍ତୁ, ମୁଁ ତ’ ଦଶପଲ୍ଲାରୁ ବାମକୁ କଟି ନରସିଂପୁର ଦେଇ ଚୌଦ୍ୱାର ପଳେଇବି ।ସିଏ କିନ୍ତୁ ନଛୋଡବନ୍ଧା, ପୁଣି ପଚାରିଲେ ତମେ ଏବେ କୋଉ ଜାଗାରେ ହେଇଚ, ମୁଁ ବାହାରକୁ ଚାହିଁଲି, କିଲୋମିଟର ପିଲର୍ ରେ ଦେଖିଲି ଦଶପଲ୍ଲା ୪୯ କିଲୋମିଟର, ସେଇକଥା କହିଲି ।ସେ’ କହିଲେ, ଆମେ ବାଣିଗୋଛା ପରେପରେ ଗୋଟେ ଢାବା ପାଖରେ ଅଛୁ, ଶିଘ୍ର ଆସ । ମୁଁ ତାଙ୍କୁ ପଳେଇ ଯିବାକୁ ବାଧ୍ୟ କଲି । ସେ’ ମାନିଲେନି ବରଂ କହିଲେ ତମେ ୨୪ କି ୨୫ କି.ମି ପଛରେ ଅଛ,, ଆସ ମୁଁ ଅପେକ୍ଷା କରିଚି, ଆସିଲେ ସାଙ୍ଗ ହେଇ ଯିବା । ପୁଣି ଆମ ଗାଡିର ଗତି ବଢିଲା । ସମୟ ସନ୍ଧ୍ୟା ୭ ଟା ପାଖାପାଖି ହବ ।

ଆମେ ପ୍ରାୟ ଅଧ ଘଣ୍ଟା ପରେ ପହଁଚିଲୁ । ମୁଁ ଜଣେ ସାଧାରଣ ମଣିଷ, କୋଉ ମଣିଷରେ ଅବା ଗଣା ..? ସିଏ ଡକ୍ଟର ଅରୁଣ କୁମାର ସାହୁ । ଓଡିଶା ସରକାରଙ୍କ ଜଣେ କ୍ୟାବିନେଟ୍ ମନ୍ତ୍ରୀ । ତାଙ୍କ ପ୍ରୋଟୋକଲ୍ ଭାଙ୍ଗି ଠିଆ ହେଇ ଅପେକ୍ଷା କରିଛନ୍ତି ଢାବା ସାମ୍ନା ରାସ୍ତା କଡରେ । ମୁଁ ଭାରି ବ୍ୟସ୍ତ ହେଇ ପଡିଲି, ନିଜକୁ ଦୋଷୀଦୋଷୀ ଅନୁଭବ କରୁଥିଲି ।ଗାଡିରୁ ଓହ୍ଲେଇବା ପରେ ଗୋଟେ ହାତରେ କୋଳେଇ ନେଇ ଆର ହାତର ଏକ ଆଙ୍ଗୁଠିରେ ମୋ’ ପେଟକୁ କେଞ୍ଚି ଦେଇ ପଚାରିଲେ, ଖରାବେଳେ ଖାଇଲ ..? ମୁଁ ଠକି ଦେଇ କହିଲି, ହଁ ଖାଇଲି ତ’ । ସେ’ କହିଲେ ମିଛ କୁହନି, ତମେ ଜମ୍ମା ଖାଇନ । ଆଙ୍ଗୁଠିରେ ପେଟକୁ କେଞ୍ଚି ମୁହଁ ଦେଖି ଦୃଢତାର ସହ କହିଲେ, ତମେ ମିଛ କହୁଚ, ଜମ୍ମା ଖାଇନ, ଚାଲ ଆଗ ଯାହା ଇଛା ଖାଇବ ।ଏଇ କଥା ଶୁଣିବା ପରେ ମୋ’ ଆଖିରୁ ଠକ୍ ଠକ୍ ଦୁଇ ଠୋପା ଲୁହ ନିଗିଡି ପଡିଲା ।

ମନେମନେ ଭାବୁଥିଲି, ମୁଁ କିମ୍ବା ଆମେ କେହି ଆମ ବାପାଙ୍କ ସାଙ୍ଗରେ ଫେରୁଥାନ୍ତେ, ତାହାଲେ ଏମିତି ପରିସ୍ଥିତିରେ ଆମ ବାପା ଆମକୁ କହିଥା’ନ୍ତେ ହଉହଉ ଧୀରେଧୀରେ ତୁ ଆସ, ଆମେ ଆଗରେ ପଳେଇ ଯାଉଚୁ । କିନ୍ତୁ, ମୁଁ କିମ୍ବା ଆମେ ଆମ ବୋଉ ସାଙ୍ଗରେ ଯଦି ଫେରୁଥା’ନ୍ତେ ତାହାଲେ ବୋଉ କହିଥାନ୍ତା, ହଉ ତୁ ଆସ, ମୁଁ ଏଇ ଜାଗାରେ ତତେ ଅପେକ୍ଷା କରିଚି, ତୁଆଇଲେ ସାଙ୍ଗ ହେଇ ଫେରିବା, ଆଉ ଫେରିବା ପରେ ବୋଉ ଆଗ ଆମ ଖାଇବା କଥା ପଚାରି ଥା’ନ୍ତା। ମନ୍ତ୍ରୀ ଅରୁଣ ସାହୁଙ୍କୁ ତାଙ୍କ ଅଗୋଚରରେ ଲୁହ ଛଳଛଳ ଆଖିରେ ଅନେଇ ରହି ମୁଁ ଏଇ କଥା ହିଁ ଚିନ୍ତା କରିଚାଲିଥିଲି ।ଏଇ ମଣିଷଟା ଦିଶୁଚି କଠୋର,, ହେଲେ ହୃଦୟଟା ତାଙ୍କର ବହୁତ୍ କୋମଳ,, କାରଣ ଏଇ ପୁରୁଷ ଛାତି ଭିତରର ହୃଦୟଟା ଗୋଟେ ମା’ର ହୃଦୟ…