ଢ଼ିଙ୍କିଆରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ : ପୋସ୍କର ବିଫଳତା ପାଇଁ ଢ଼ିଙ୍କିଆବାସୀଙ୍କ ଉପରେ ରାଗ ସୁଜାଉଛନ୍ତି ସରକାର : କଂଗ୍ରେସ

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଜାନୁଆରୀ ଶୁକ୍ରବାର ) ଭୁବନେଶ୍ୱର :- ରାଜ୍ୟରେ ଶିଳ୍ପାୟନ ନାମରେ ସରକାର ରାଜ୍ୟକୁ ବ୍ୟବସାୟୀଙ୍କ ହାତରେ ଟେକିଦେବାରେ ଲାଗିଛନ୍ତି । ଆଇନ ଯାହା କହୁଛି ଜମି ଅଧିଗ୍ରହଣ କରିବାର ୫ ବର୍ଷ ମଧ୍ୟରେ ଯେଉଁ ପ୍ରକଳ୍ପ ପାଇଁ ଜମିଅଧିଗ୍ରହଣ କରାଯାଇଥିବ ସେହି ପ୍ରକଳ୍ପ ହୋଇନପାରିଲେ ଉକ୍ତ ଜମିକୁ ଏଲ.ଏ.ଆର.ଆର (ଖଇଜଜ) ଆକ୍ଟ- ୨୦୧୩ ଆଧାରରେ ଜମି ମାଲିକଙ୍କୁ ଫେରସ୍ତ କରିବାର ପ୍ରାବଧାନ ରହିଛି । କିନ୍ତୁ ଢ଼ିଙ୍କିଆରେ ପୋସ୍କର ବିଫଳତାକୁ ନେଇ ରାଜ୍ୟ ସରକାର ଭୋକ ବିକଳରେ ତାଟିଆ କାମୁଡ଼ି ଢ଼ିଙ୍କିଆବାସୀଙ୍କ ଉପରେ ପୋଲିସ ବଳ ଲଗାଇ ରାଗ ସୁଜାଉଛନ୍ତି ବୋଲି କଂଗ୍ରେସ ସିଧାସଳଖ ରାଜ୍ୟ ସରକାର ଏବଂ ତାଙ୍କ ପୋଲିସ ବିଭାଗ ଉପରେ ବର୍ଷିଛି । ଏକ ଘରୋଇ କମ୍ପାନୀ ପାଇଁ ଜମିଅଧିଗ୍ରହଣ ପାଇଁ ଯେଉଁସବୁ ନୀତିନିୟମକୁ ପାଥେୟ କରିବାକଥା ତାହା ନକରି ସିଧାସଳଖ ଭାବରେ ରାଜ୍ୟ ସରକାର ଘରୋଇ କମ୍ପାନୀପାଇଁ ପକ୍ଷ ହୋଇ ଢ଼ିଙ୍କିଆବାସୀଙ୍କ ଉପରେ ଅତ୍ୟାଚାର କରିଚାଲିଛନ୍ତି ।

ଏପରିକି ମହିଳା ଓ ଶିଶୁ ଏଥିରୁ ବାଦ ପଡ଼ିନାହାନ୍ତି ଏବଂ ସବୁଠୁ ଆର୍ଶ୍ଚଯ୍ୟର କଥା ଘରୋଇ କମ୍ପାନୀକୁ ଜମି ଦେବା ପୂର୍ବରୁ ପରିବେଶ ମଞ୍ଜୁରି ନଥାଇ ସରକାର ଘରୋଇ କମ୍ପାନୀ ଆଗରେ ଆତ୍ମ ସମର୍ପଣ କରିଛନ୍ତି । ଏହି ଘଟଣା ଅତ୍ୟନ୍ତ ମାନବ ସମ୍ବେଦି ପ୍ରସଙ୍ଗ ହୋଇଥିଲେ ମଧ୍ୟ ପୋଲିସର କାର୍ଯ୍ୟକଳାପ ନେଇ ରାଜ୍ୟ ସରକାର ଚୁପ ବସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୋଲିସ ଜମିଅଧିଗ୍ରହଣ ନାମରେ ଢ଼ିଙ୍କିଆ ବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛି

ଯାହାକୁ ପ୍ରଦେଶ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଦୃଢ଼ ନିନ୍ଦା କରିଛନ୍ତି ଏବଂ କହିଛନ୍ତି ଜଗତସିଂହପୁର ପୋଲିସ ଏସପି ଏବଂ ସଂପୃକ୍ତ ଅଭୟଚାନ୍ଦପୁର ଥାନା ଅଧିକାରୀ ବିଗତ ଦିନରେ ୨୦୨୦ ମସିହାରେ ପୁରୀ ବାସେଳିସାହି ଥାନାରେ କେ ରମେଶ ନାମକ ଯୁବକଙ୍କର ହାଜତ ମୃତ୍ୟୁ ଘଟଣାକୁ ନେଇ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଥିଲେ କିନ୍ତୁ ବଡ଼ ଆଶ୍ଚର୍ଯ୍ୟ ଏବଂ ଦୁର୍ଭାଗ୍ୟର କଥା ସେହି ଥାନା ଅଧିକାରୀ ଓ ସେହି ନିର୍ଦ୍ଦିଷ୍ଟ ଏସ୍‌ପିଙ୍କୁ ରାଜ୍ୟ ସରକାର ଢ଼ିଙ୍କଆରେ ତାଣ୍ଡବଲୀଳା ପାଇଁ ଦାୟୀତ୍ୱ ଦେଇଛନ୍ତି ବୋଲି ଶ୍ରୀ ମିଶ୍ର ସିଧାସଳଖ ଭାବେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ସରକାର ତଥା ବିଜୁ ଜନତା ଦଳ ନିଜର ରାଜନୈତିକ ମହତ ଆଙ୍କାକ୍ଷାକୁ ଚରିତାର୍ଥ କରିବାପାଇଁ ପୋଲିସ ବାହିନୀକୁ ସରକାରୀ ଗୁଣ୍ଡା ସଜାଇ ଢ଼ିଙ୍କିଆରେ ମାନବାଧିକାର ଉଲ୍ଲଙ୍ଘନ କରୁଛି ଯାହାକି ଜନମଙ୍ଗଳ ରାଷ୍ଟ୍ରରେ ଆଦୌ ଗ୍ରହଣୀୟ ନୁହେଁ ବୋଲି କଂଗ୍ରେସ କହିବା ସହିତ ଢ଼ିଙ୍କିଆରେ ସ୍ୱଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ସରକାର ତୁରନ୍ତ ଢ଼ିଙ୍କିଆ ଅଂଚଳରୁ ପୋଲିସ ପ୍ରତ୍ୟାହାର କରନ୍ତୁ ବୋଲି ଦଳ ଦାବି କରିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ ଓ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।