କୋଭିଡ଼୍‌-୧୯ ନିର୍ଦ୍ଦେଶାବଳୀ ପାଳନ ପାଇଁ ନିର୍ବାଚନ କମିଶନଙ୍କ କଡ଼ା ନିର୍ଦ୍ଦେଶ

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଜାନୁଆରୀ ଗୁରୁବାର ) ଭୁବନେଶ୍ୱର :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାର୍ଥୀ/ପ୍ରାର୍ଥିନୀମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ ସମୟରେ କୋଭିଡ୍‌-୧୯ ନିୟମାବଳୀ ଉଲ୍ଲଂଘନ ସହ ପ୍ରବଳ ଜନଗହଳି ହେଉଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ନଜରକୁ ଆସିଛି । ନିର୍ବାଚନ କମିଶନ ଗତ ତା.୧୫/୦୧/୨୦୨୨ରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳ-ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ ଜଣେ ଡି.ଏସ୍‌.ପି ପାହ୍ୟାର ପୁଲିସ ଅଧିକାରୀଙ୍କୁ କୋଭିଡ଼୍‌ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯିବ ଓ ପ୍ରାର୍ଥୀ/ପ୍ରାର୍ଥିନୀମାନଙ୍କର ନାମାଙ୍କନ ପତ୍ର ଦାଖଲ ଓ ନିର୍ବାଚନୀ ବୈଠକ ସମୟରେ ହେଉଥିବା ଭିଡ଼କୁ ନିୟନ୍ତ୍ରଣ ସହ କଡ଼ାକଡ଼ି ଭାବେ କୋଭିଡ୍‌-୧୯ ନିୟମାବଳୀର ଅନୁପାଳନ କରାଯିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।

ଆସନ୍ତାକାଲି ଅର୍ଥାତ୍‌ ତା. ୨୧/୦୧/୨୨ରିଖ ନାମାଙ୍କନ ଦାଖଲର ଶେଷ ଦିନ ହେଉଥିବାରୁ ନାମାଙ୍କନ ପତ୍ର ଦାଖଲବେଳେ ପ୍ରବଳ ଜନଗହଳି ହେବାର ଆଶଙ୍କା କରାଯାଉଛି । ଏହି ମର୍ମରେ ଆଜି ନିର୍ବାଚନ କମିଶନ ନାମାଙ୍କନ ପତ୍ର ଦାଖଲ ସମୟରେ ହେଉଥିବା ଭିଡ଼ ନିୟନ୍ତ୍ରଣ ସହ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀର କଡ଼ାକଡ଼ି ଅନୁପାଳନ ନିମନ୍ତେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।