ଜଳେଶ୍ୱର ଥାନାରୁ ହଟିଲେ ଆଇଆଇସି ପ୍ରଜ୍ଞା ମହାନ୍ତି 

ଓଡ଼ିଶା ତାଜା ନ୍ୟୁଜ୍ (୨୪ ଡିସେମ୍ବର ଶୁକ୍ରବାର) ବାଲେଶ୍ୱର,ଜଳେଶ୍ୱର :- ଜଳେଶ୍ୱର ଥାନାରୁ ହଟିଲେ ଆଇଆଇସି ପ୍ରଜ୍ଞା ମହାନ୍ତି । ବାଲେଶ୍ୱର ଡିଆଇବିକୁ ହେଲେ ବଦଳି । ତାଙ୍କ ସ୍ଥାନ ନେବେ ରୋଜାଲିନ୍‌ ବେହେରା । ଅନେକ ବିବାଦରେ ଛନ୍ଦି ହୋଇଥିଲେ ପ୍ରଜ୍ଞା ମହାନ୍ତି । ଯେଉଁଥି ପାଇଁ ସେ ଚର୍ଚ୍ଚାରେ ଥିଲେ । ଏବେ ପ୍ରଜ୍ଞାଙ୍କ ବଦଳିରେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ଜଳେଶ୍ୱରବାସୀ । ଉଲ୍ଲେଖନୀୟ ଯେ, ଆକ୍ରୋଶମୂଳକ ଭାବେ ଜଳେଶ୍ୱର ନ୍ୟୁଜ୍‌-୭ ସାମ୍ବାଦିକ ରାଜେଶ କୁମାର ପ୍ରଧାନଙ୍କ ଗିରଫ କରିବା ପରେ ଜଳେଶ୍ୱର ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କ ଅପରାଧ ଗୁମର ପେଡ଼ି ଧିରେ ଧିରେ ଖୋଲିବାରେ ଲାଗିଥିଲା ।

ଏତଲାକାରୀଙ୍କ ଅଭିଯୋଗ କ୍ରମେ ସେ ରୁଜୁ କରିଥିବା ମାମଲାରେ ଦଫା ୩୦୭ ନଥିବାବେଳେ ପରବର୍ତ୍ତୀ ସମୟରେ କେଉଁ ପରିସ୍ଥିତିରେ ଏବଂ କାହା ଚାପରେ ଏହି ଦଫା ଯୋଡ଼ିଲେ, ତାହା ଆଶ୍ଚର୍ଯ୍ୟ କରିଥିଲା । କେବଳ ଏତିକି ନୁହେଁ, ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଭଲ ହେବା ପାଇଁ କ୍ଷମତାର ଅପବ୍ୟବହାର କରି ସେ ଅନେକ ମିଛ ମାମଲା କରିଥିବାର ପ୍ରମାଣ ମିଳିଥିଲା । ତାଙ୍କର ଏହି ଭୁଲ୍‌ ପାଇଁ ଅନେକ ନିରୀହ ଲୋକଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଥିଲା ।

ଅପରପକ୍ଷରେ ମିଛ ମୋକଦ୍ଦମା ଲଢ଼ିବା ପାଇଁ ସରକାରଙ୍କ ତହବିଲ୍‌ରୁ କୋଟି କୋଟି ଟଙ୍କା ଅପଚୟ ହୋଇଛି । ଯାହାର ଉଦହାରଣ ୨୦୧୭ ମସିହା ଘଟଣା ପ୍ରମାଣିତ କରିଛି । ୨୦୧୭ରେ ବାଲେଶ୍ୱରର ସହଦେବଖୁଣ୍ଟା ପୁଲିସ୍‌ ଥାନାରେ ଶ୍ରୀମତୀ ମହାନ୍ତି ଆଇଆଇସି ଥିଲେ । ଏହି ସମୟରେ ସେ ବହୁମାତ୍ରାରେ ବ୍ରାଉନସୁଗର ଜବତ କରିଥିଲେ । ନେଇ ମଧ୍ୟ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ ।

ସେଥିମଧ୍ୟରୁ କେସ ନମ୍ବର ୧୩୯/୧୭ ମାମଲାଟି ସେତେବେଳେ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । କାରଣ ଏହି ମାମଲାରେ ସହଦେବଖୁଣ୍ଟା ପୁଲିସ୍‌ ଅରଡ଼ ବଜାର ନିକଟସ୍ଥ ମସଜିଦ୍‌ ଗଳିରେ ଜଣେ ମହିଳାଙ୍କ ନିକଟରୁ ୧ କୋଟି ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଥିଲା । ରାଜ୍ୟରେ ଏହି ଘଟଣା ପ୍ରଥମ ଥିଲା ବୋଲି ସେତେବେଳେ ଆଲୋଚନା ହୋଇଥିଲା ।