୨୬ ଦିନ ଧରି ଚାଲିବ ବିଧାନସଭାର ଶୀତକାଳୀନ ଅଧିବେଶନ – ପ୍ରତିଦିନ ୫ ଘଣ୍ଟା ଚାଲିବ

ସର୍ବଦଳୀୟ ବୈଠକ ପରେ :-

ବିଧାନସଭା କାର୍ଯ୍ୟସୂଚୀ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆସନ୍ତା ୧ ତାରିଖରୁ ୩୧ ତାରିଖ ଯାଏଁ ଚାଳିବ ବିଧାନସଭାର ଶୀତକାଳୀନ ଅଧିବେଶନ ।

ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ନଭେମ୍ବର ସୋମବାର ) ଭୁବନେଶ୍ୱର :- ୨୬ ଦିନ ଧରି ଚାଲିବ ବିଧାନସଭାର ଶୀତକାଳୀନ ଅଧିବେଶନ । ବିଧାନସଭା ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହୋଇ ୧ଟା ୩୦ଯାଏଁ ବସିବ ଏବଂ ଅପରାହ୍ନ ୪ଟା ରୁ ୬ଟା ଯାଏଁ ଚାଲିବ । ଏପରି ପ୍ରତିଦିନ ୫ ଘଣ୍ଟା ଚାଲିବ । ଅତିରିକ୍ତ ବଜେଟ୍ ୫ଟା ବେଳେ ଉପସ୍ଥାପନ ହେବ । ମୁଲତବୀ ପ୍ରସ୍ତାବ ୯୦ ମିନିଟ୍ ଆଲୋଚନା ହେବ । ବିରୋଧୀ ୫୫ ମିନିଟ୍ ଓ ମନ୍ତ୍ରୀଙ୍କ ଉତ୍ତର ସହ ଶାସକ ଦଳ ପାଇଁ ୩୫ ମିନିଟ୍ ରହିବ ।

ସପ୍ତାହକ ୬ ଦିନ ମଧ୍ୟରେ ୪ ଦିନ ମୁଖ୍ୟ ବିରୋଧୀ ଦଳ ବିଜେପି ପାଇଁ ଓ କଂଗ୍ରେସ ୨ ଦିନ ମୁଲତବୀ ପ୍ରସ୍ତବ ଦେଇପାରିବ । ରାଜ୍ୟପାଳଙ୍କ ଅଭିଭାଷଣ ଓ ପ୍ରଶ୍ନକାଳ ବେଳେ ହଟ୍ଟାଗୋଳ ନ କରିବାକୁ ବାଚସ୍ପତି ଅନୁରୋଧ କରିଛନ୍ତି । ସର୍ବଦଳୀୟ ବୈଠକକୁ ବର୍ଜନ କଲା ବିଜେପି । ସର୍ବଦଳୀୟ ବୈଠକ ଆରମ୍ଭରୁ ହିଁ ଉଠିଗଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ । ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେପିକୁ ତାର ହକ୍ ଦିଆଯାଉ ନଥିବା ଅଭିଯୋଗ ଆଣିଲେ ବିଷ୍ଣୁ ସେଠୀ ।

ପୂର୍ବରୁ ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ଓ ଉପନେତା ଉପସ୍ଥିତ ରହୁଥିଲେ। କିନ୍ତୁ ବିରୋଧୀ ଦଳ ନେତାଙ୍କ ଅସୁସ୍ଥତା କାରଣରୁ ବିରୋଧୀ ଦଳ ଉପନେତା ଉପସ୍ଥିତ ରହି ପାରିବେ ବୋଲି କୁହାଯାଇଛି । ଏହା ବାଦ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବୈଠକରେ ସାମିଲ କରିବାକୁ ଦାବି କରିଥିଲା ବିଜେପି । ଗତ ସର୍ବଦଳୀୟ ବୈଠକରେ ପ୍ରତିଶୃତି ଦିଆଯାଇଥିବା ଥିଲେ ବି ଏଥର ଏହାକୁ ବାଚସ୍ପତି ଆଗ୍ରହ୍ୟ କରି ଦେବାରୁ ବୈଠକକୁ ବର୍ଜନ କରିଛି ଦଳ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଛନ୍ତି ।

ପରପକ୍ଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ଯାହା ନିୟମରେ ରହିଛି, ସେହି ଅନୁସାରେ କରାଯାଇଛି । ଯଦି ସେମାନେ ବିରୋଧୀ ଦଳ ନେତାଙ୍କ ବଦଳରେ ଆଉ କାହାକୁ ବସାଇବାକୁ ଚାହୁଁଛନ୍ତି, ତାଙ୍କ ଲେଜିସଲେଟିଭ ପାର୍ଟି ଲେଖିକି ଦେଲେ ହେବ ।