ରକ୍ତଦାନ କରି ମହିଳାଙ୍କୁ ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ନଭେମ୍ବର ଶୁକ୍ରବାର) ଭୁବନେଶ୍ୱର :- ପୁଣି ଜଣେ ରୋଗୀଙ୍କୁ ରକ୍ତଦାନ କରି ତାଙ୍କୁ ନୂଆ ଜୀବନ ଦେଇଛନ୍ତି ୧୦୮ ଜନନୀ ଆମ୍ବୁଲାନ୍ସର ଚାଳକ । ଘଟଣାନୁଯାୟୀ ଫାସିମାଲ ଗ୍ରାମପଂଚାୟତର ଗୁରୁଜିପାଲି ଗ୍ରାମର ଦୁର୍ବାଦଳ ସାହୁଙ୍କ ପତ୍ନୀ ପ୍ରବାସିନୀ ସାହୁ(୩୫ବର୍ଷ) ସିକଲ ସେଲ ଆନେମିଆ ରୋଗରେ ପିଡ଼ିତ ଥିଲେ ଏବଂ ତାଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତିକରାଯାଇଥିଲା । ସେଠାରେ କାର୍ଯ୍ୟରେ ଥିବା ଡାକ୍ତର ଏସ.ପି.ଡୋରା ପୀଡ଼ିତାଙ୍କ ସ୍ୱାମୀଙ୍କୁ ବି ପଜିଟିଭ ରକ୍ତ ଯୋଗାଡ଼ କରିବାକୁ କହିଥିଲେ ନଚେତ ରୋଗୀଙ୍କ ଅବସ୍ଥା ଆହୁରି ଉତ୍କଟ ହୋଇଯିବ ବୋଲି ସେ କହିଥିଲେ ।

ଏହି ସମୟରେ ଉକ୍ତ ବ୍ଲଡଗ୍ରୁପ ର ରକ୍ତ କୁଚିଣ୍ଡା ଡାକ୍ତରଖାନାରେ ମଧ୍ୟ ଉପଲବ୍ଧ ନଥିଲା । ସୌଭାଗ୍ୟବସତଃ ଏହି ସମୟରେ ସେଠାରେ ଜଙ୍କିରା ୧୦୮ ଜନନୀ ଆମ୍ବୁଲାନ୍ସ ଚାଳକ ରୋହିତ ଟେଟେ ଉପସ୍ଥିତ ଥିଲେ ଏବଂ ତାଙ୍କ ବ୍ଲଡଗ୍ରୁପ ରୋଗୀଙ୍କ ବ୍ଲଡଗ୍ରୁପ ସହ ସମାନ ହୋଇଥିଲା । ତେଣୁ ପୀଡ଼ିତାଙ୍କ ସ୍ୱାମୀ ଆମ୍ବୁଲାନ୍ସ ଚାଳକଙ୍କୁ ରକ୍ତଦାନ କରି ତାଙ୍କ ପତ୍ନୀଙ୍କ ଜୀବନ ବଂଚାଇବା ପାଇଁ ଅନୁରୋଧ କରିଥିଲେ । ଯାହାପରେ ଆମ୍ବୁଲାନ୍ସ ଚାଳକ ରୋହିତ ସାମାନ୍ୟ ମଧ୍ୟ ପଛଘୁଂଚା ନଦେଇ ରୋଗୀଙ୍କୁ ରକ୍ତଦେବା ପାଇଁ ଆଗେଇ ଆସିଲେ ।

ତାଙ୍କର ଏଭଳି ମହତ କାର୍ଯ୍ୟ ଯୋଗୁଁ ଆଜି ପ୍ରଭାସିନୀଙ୍କୁ ଏକ ନୂଆ ଜୀବନ ମିଳିପାରିଛି । କେବଳ ଏତିକି ନୁହେଁ ଏହା ପୂର୍ବରୁ ଚଳିତବର୍ଷ ଗତ ଜୁନ ୨୦ ତାରିଖରେ ମଧ୍ୟ ଆମ୍ବୁଲାନ୍ସ ଚାଳକ ରୋହିତ ଦେଓଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାଇରିଆ ପୀଡ଼ିତ ରୋଗୀଙ୍କୁ ରକ୍ତଦାନ କରି ତାଙ୍କ ଜୀବନ ରକ୍ଷାକରିଛନ୍ତି ।