ଗଜପତି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା କୃଷିଧିକାରୀଙ୍କୁ ଚାଷୀଙ୍କ ସମସ୍ୟା ନେଇ ସ୍ମାରକ ପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ନଭେମ୍ବର ଶୁକ୍ରବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ ଓ ଜିଲ୍ଲା ଉପ ସଭାପତି ଜଗନ୍ନାଥ ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲାର ଚାଷୀମାନେ କୃଷି ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ଅଦିନିଆ ବର୍ଷା ଓ ଲଘୁଚାପ ଜନିତ ବର୍ଷାରେ କଟାଯାଇଥିବା ଧାନ ଓ ଅବଶିଷ୍ଟ ଧାନ ଗଛରେ ପାଣି ମାଡି ଯାଇ ଗଛ ଗୁଡିକ ଭୂପତିତ ହୋଇଅଛି । ବର୍ତ୍ତମାନ ସେ ଗୁଡିକ ଗଜା ହେବାରେ ଲାଗିଅଛି ।

ପୂର୍ବରୁ ଏ ପ୍ରକାର ପରିସ୍ଥିତିରେ ସମ୍ମୁଖୀନ ହୋଇ ଚାଷୀର ମେରୁଦଣ୍ଡ ଦହୋଲି ଯାଇଅଛି । ଏଥି ମଧ୍ୟରୁ ସଂଖ୍ୟାଧିକ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ଅଟନ୍ତି । ତେଣୁ ବିଭାଗୀୟ ଅଧିକାରୀ ଏହି କ୍ଷୟକ୍ଷତିର ଆକଳନ କରି ପରିସଂଖ୍ୟାନ ବିଭାଗ, କୃଷି ବିଭାଗ ତଥା ରାଜ୍ୟସ୍ୱ ବିଭାଗୀୟ କର୍ମଚାରୀ ସମ୍ମିଶ୍ରଣରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ତାଙ୍କର ଉଚିତ ବୀମାର ତଥା ପ୍ରାପ୍ୟ ଅର୍ଥ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।

ଚଳିତ ବର୍ଷ ବିଭିନ୍ନ କୃଷକ ସମବାୟ ସମିତି ତରଫରୁ ରାଜ୍ୟ ସରକାରଙ୍କ ପ୍ରଦତ୍ତ ବିଭିନ୍ନ କିସମର ବିହନ ଯୋଗାଣ କରାଯାଇ ଥିଲା । କିନ୍ତୁ ବର୍ତ୍ତମାନ ତାହା ଅତିନିମ୍ନ ମାନର ପରିଲକ୍ଷିତ ହୋଇଅଛି ଯଦ୍ୱାରା ଅମଳକ୍ଷମ ସମ୍ପୂର୍ଣ୍ଣ ହୋଇ ନ ପାରି ମିଶ୍ରିତଫଳ ଅମଳ ହେବାର ନଜରକୁ ଆସିଛି । ନାଇସିଆ ବା କେଳି ଧାନ ରକମର ବିହନ ଧାନ ଯୋଗୁଁ ବର୍ତ୍ତମାନ ଠାରୁ ମିଲର ବା ମିଲରମାଲିକ ଧାନ ମଣ୍ଡିରୁ ଧାନ କ୍ରୟ ପାଇଁ ଅମଙ୍ଗ ହେଲେଣି ।

ଏହାର ସତ୍ୟତା ଉପଲବ୍ଧ କରି ଆଗାମୀ ଦିନରେ ବିଭାଗ ତରଫରୁ ଚାଷୀଙ୍କୁ ଉଚିତ କ୍ଷତିପୂରଣ ତଥା ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି । ଚଳିତ ରବି ଋତୁରେ ଚାଷୀଙ୍କୁ ଉନ୍ନତ କିସମର ବିହନ କୀଟନାଶକ ଔଷଧ ତଥା ସାର ଯୋଗାଣ କଲେ ଚାଷୀକୂଳ ଉପକୃତ ହେବେ ବୋଲି ଏହି ସ୍ମାରକପତ୍ରରେ ଲିଖିତ ଅଛି । ଏହାର ଅବିକଳ ନକଲ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରାଯାଇଛି ।