ଇଡିଆଇଆଇକୁ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନଜନକ “ଉତ୍କର୍ଷ କେନ୍ଦ୍ର’ ମାନ୍ୟତା ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ନଭେମ୍ବର , ମଙ୍ଗଳବାର ) ଭୁବନେଶ୍ୱର :- ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଏଟଂରପ୍ରେନ୍ୟୁଅର୍‌ସିପ୍ ଡେଭେଲପ୍‌ମେଂଟ୍ ଇନଷ୍ଟିଚ୍ୟୁଟ୍ ଅଫ୍‌ ଇଣ୍ଡିଆ (ଇଡିଆଇଆଇ)କୁ ଦେଶର କୌଶଳ ବ୍ୟବସ୍ଥା କ୍ଷେତ୍ରରେ ଭାରତ ସରକାରଙ୍କ ପକ୍ଷରୁ ଉତ୍କର୍ଷ କେନ୍ଦ୍ର (ସିଓଇ) ମାନ୍ୟତା ପ୍ରଦାନ କରାଯାଇଛି । ଏ ନେଇ କେନ୍ଦ୍ର କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ଜାରି କରାଯାଇଛି । ଏହି ମାନ୍ୟତା ପାଂଚ ବର୍ଷ ପାଇଁ ବଜାୟ ରହିବ । ବହୁ ସମୟ ପର୍ଯ୍ୟନ୍ତ ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠାନର ବିଭିନ୍ନ ମାନଦଣ୍ଡକୁ ଯାଂଚ କରିବା ପରେ ଏହି ନିଷ୍ପତି ଗ୍ରହଣ କରାଯାଇଛି । ମନ୍ତ୍ରଣାଳୟର ଗାଇଡ୍‌ଲାଇନ୍‌ ଅନୁସାରେ ଏକ ଉତ୍କର୍ଷ କେନ୍ଦ୍ର ହେଉଛି ତାହା ଯାହା ଶ୍ରେଷ୍ଠ ବ୍ୟବସ୍ଥା, ନେତୃତ୍ୱ, ଗବେଷଣା ଓ ବିକାଶ ସହାୟତା, ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଏବଂ ନିର୍ଦିଷ୍ଟ କ୍ଷେତ୍ର ଉପରେ ଉଦୀୟମାନ ପ୍ରଯୁକ୍ତିକୁ ନେଇ କୌଶଳ ତାଲିମ ପ୍ରଦାନ କରିଥାଏ । ଇଡିଆଇଆଇ ପକ୍ଷରୁ ଶିଳ୍ପ, ଶିକ୍ଷାନୁଷ୍ଠାନ ଏବଂ ସରକାରଙ୍କ ସହ ଯୋଗାଯୋଗ ରକ୍ଷା କରି କୌଶଳ ଓ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହା ଦ୍ୱାରା ନୂତନ ସଂସ୍ଥା ସୃଷ୍ଟି ହେଉଥିବା ବେଳେ ପ୍ରଶିକ୍ଷାର୍ଥୀମାନେ ନିଯୁକ୍ତି ପାଇଁ ସକ୍ଷମ ହୋଇପାରୁଛନ୍ତି ।

ଏ ସମ୍ପର୍କରେ ଇଡିଆଇଆଇର ଡାଇରେକ୍ଟର୍ ଜେନେରାଲ୍ ଡକ୍ଟର ସୁନିଲ୍ ଶୁକ୍ଳା କହିଛନ୍ତି ଯେ, “ଭାରତ ସରକାରଙ୍କ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଇଡିଆଇଆଇକୁ ଉତ୍କର୍ଷ କେନ୍ଦ୍ର ମାନ୍ୟତା ପ୍ରଦାନ କରାଯିବା ଅତ୍ୟନ୍ତ ଗୌରବର ବିଷୟ । ଇଡିଆଇଆଇ ପକ୍ଷରୁ ଉଦ୍ୟମିତା ବିକାଶର ପରିକଳ୍ପନା ଆରମ୍ଭ କରାଯାଇଥିଲା ଏବଂ ଯେକୌଣସି ଅନ୍ୟ ଶୃଙ୍ଖଳା ଭଳି ନିଜର ବ୍ୟବସାୟ କିଭଳି ଆରମ୍ଭ କରାଯାଇପାରିବ ତାହାକୁ ନେଇ ଉଦ୍ୟମିତା ଗଠନ ଉପରେ ଶିକ୍ଷା ପ୍ରଦାନ ଆରମ୍ଭ କରାଯାଇଥିଲା । ଭାରତରେ ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ ବିକାଶକୁ ଆଗକୁ ବଢ଼ାଇବାର ଶକ୍ତି ହେଉଛି କୌଶଳ ଓ ଜ୍ଞାନ ଏବଂ ପରିବର୍ତିତ ବିଶ୍ୱ ଦୃଶ୍ୟପଟ୍ଟରେ ଏହି ଅନୁଷ୍ଠାନ ସମାଜର ବିଭିିନ୍ନ କ୍ଷେତ୍ର ଏବଂ ବର୍ଗକୁ ଲକ୍ଷ୍ୟରେ ରଖି ଉଦ୍ୟମିତାର ପରିସରରେ ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧିକୁ ନିଶ୍ଚିତ କରାଯିବ ।

’’ ୨୦୨୧ ନଭେମ୍ବର ୧୫ରେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୂରଲୀଧରନ୍‌ ର୍ୱାଣ୍ଡା-ଇଣ୍ଡିଆ ଏଟଂରପ୍ରେନ୍ୟୁଅର୍‌ସିପ୍ ଡେଭେଲପ୍‌ମେଂଟ୍‌ ସେଂଟର୍‌କୁ ର୍ୱାଣ୍ଡାର କିଗାଲି ଠାରେ ଉଦଘାଟନ କରିଛନ୍ତି । ଇଡିଆଇଆଇ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅଧିନରେ ହୋଇଥିବା ରାଜିନାମା ଆଧାରରେ ଏହି ଅନୁଷ୍ଠାନକୁ ସ୍ଥାପନ କରାଯାଇଛି । ଇଡିଆଇଆଇ ପକ୍ଷରୁ ସ୍ଥାପନ କରାଯାଇଥିବା ଏହା ଷଷ୍ଠ ଆନ୍ତର୍ଜାତିକ ଇଡି କେନ୍ଦ୍ର । ପୂର୍ବରୁ କାମ୍ବୋଡିଆ, ଲାଓ ପିଡିଆର୍‌, ମିଆଁମାର୍‌, ଭିଏତନାମ୍ ଓ ଉଜବେକିସ୍ତାନ୍ ରେ ଏଭଳି କେନ୍ଦ୍ର ସ୍ଥାପନ କରାଯାଇଛି । ଏହି କେନ୍ଦ୍ରଗୁଡ଼ିକ ଲୋକମାନଙ୍କ ମଧ୍ୟରେ ଉଦ୍ୟମିତା ଭାବ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଶ୍ରୀଯୁକ୍ତ ଶୁକ୍ଳା କହିଛନ୍ତି ।