ବାଙ୍କୀ କଲେଜରେ ଉଚ୍ଚଶିକ୍ଷା ଅନୁଷ୍ଠାନର ମୂଲ୍ୟାଙ୍କନ ଏବଂ ପ୍ଲାଷ୍ଟିକ୍ ପ୍ରଦୁଷଣ ଉପରେ ଆଲୋଚନା ଚକ୍ର

 ଓଡ଼ିଶା ତାଜା ନ୍ୟୁଜ୍ (୨୭ ଅକ୍ଟୋବର ବୁଧବାର ) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଦୃଶ୍ୟଶ୍ରାବ୍ୟ ଗୃହ ଠାରେ ଆଜି ଦୁଇଗୋଟି ଆଲୋଚନା ଚକ୍ର ଯଥା ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କର ମୂଲ୍ୟାଙ୍କନ ପଦ୍ଧତି ଏବଂ ପ୍ଲାଷ୍ଟିକ୍ ପ୍ରଦୁଷଣ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ରରେ ଅଧ୍ୟକ୍ଷ ଡଃ.ଅରୁଣ କୁମାର ବେହେରା ସଭାପତିତ୍ୱ କରିବା ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।

ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ସ୍ନାତୋକତ୍ତର ବିଭାଗ ସମୁହର ଅଧ୍ୟକ୍ଷ ତଥା କିସ୍ ବିଶ୍ୱବିଦ୍ୟାଳୟର ଏମିରେଟ୍ ପ୍ରଫେସର ଡଃ.ରଞ୍ଜନ କୁମାର ବଳ ଯୋଗଦାନ କରି ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କ ମୂଲ୍ୟାଙ୍କନ ପଦ୍ଧତି,ନାକ୍ ମାନ୍ୟତା ଏବଂ ନୂତନ ଶିକ୍ଷାନୀତି ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତାଭାବେ ବରିଷ୍ଠ ବୈଜ୍ଞାନିକ ତଥା କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟିର ସଦସ୍ୟ ଡଃ.ଚିତ୍ତରଞ୍ଜନ ମିଶ୍ର ଯୋଗଦାନ କରି ପ୍ଲାଷ୍ଟିକ୍ ପଦାର୍ଥ ବ୍ୟବହାର ଦ୍ୱାରା ବିିଭିନ୍ନ ପ୍ରକାରର ରୋଗ ସୃଷ୍ଟିର ଦିଗ ଉପରେ ଆଲୋଚନା କରିବା ସହ ପ୍ଲାଷ୍ଟିକ୍ ପଦାର୍ଥକୁ ବର୍ଜନ କରିବା ଜରୁରୀ ଅଟେ ବୋଲି ମତ ପ୍ରକାଶ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ଡଃ.ଅମରେନ୍ଦ୍ର ମିଶ୍ର ଓ ପରୀକ୍ଷା ନିୟନ୍ତ୍ରକ ଡଃ.ନିବାସିନୀ ପଣ୍ଡା ଯୋଗଦାନ କରିଥିଲେ । ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଆଲୋଚନା ଚକ୍ରକୁ ପ୍ରାଧ୍ୟାପକ ନିରଞ୍ଜନ ମହାନ୍ତି ପରିଚାଳନା କରିଥିଲେ ।