ପ୍ରବାସୀ ଓଡ଼ିଆଙ୍କ ତରଫରୁ ମନୋରମା ମହାପାତ୍ରଙ୍କୁ ଉତ୍ସ୍ୱସିତ `

ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର ) ନର୍ଥ କାରୋଲିନା / ଟରୋଣ୍ଟୋ / ଲଣ୍ଡନ / ଦୁବାଇ / ସିଙ୍ଗାପୁର / ନୂଆଦିଲ୍ଲୀ / ଭୁବନେଶ୍ୱର / କଟକ :-  ପ୍ରବାସୀ ଓଡ଼ିଆଙ୍କ ତରଫରୁ ସ୍ୱର୍ଗତ ଡଃ ମନୋରମା ମହାପାତ୍ରଙ୍କୁ ଉତ୍ସ୍ୱସିତ ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ବିଶ୍ୱ ଓଡ଼ିଶା ସମାଜ ତରଫରୁ ଡଃ ମହାପାତ୍ରଙ୍କର ବିୟୋଗର ମାତ୍ର କିଛି ଘଣ୍ଟା ପରେ ଶନିବାର ମଧ୍ୟ ରାତ୍ରରେ ଆୟୋଜିତ ଏକ ଆଭାସି ଶୋକସଭାରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ତାଙ୍କର ମହାନ ଓ ମହନୀୟ ଜୀବନ ଦର୍ଶନର ସ୍ମୃତି ଚାରଣ କରିବା ସହିତ ଅମର ଆତ୍ମାର ସଦ୍‍ଗତି କାମନା କରିଥିଲେ । ବରେଣ୍ୟ ଅତିଥିମାନେ ତାଙ୍କୁ ଜଣେ ଉଚ୍ଚକୋଟୀର ସାହିତ୍ୟିକା, ଆଗଧାଡ଼ିର ଲେଖିକା, ସୃଜନଶୀଳ ଶିକ୍ଷାବିତ୍‍, ଯୁଗଜୟୀ ସମ୍ପାଦିକା, ପ୍ରଜ୍ଞାଦୀପ୍ତ ପ୍ରାଧ୍ୟାପିକା, ବାଗ୍ମୀ ବକ୍ତା, ସମର୍ପିତ ସମାଜସେବୀ ଏବଂ ସର୍ବୋପରି ବାତ୍ସଲ୍ୟ ମମତାମୟୀ ମାତା ଭାବରେ ବର୍ଣ୍ଣନା କରିଥିଲେ । ଏହି ପ୍ରାର୍ଥନା ଅଧିବେଶନରେ ଶତାଧୀକ ପ୍ରବାସୀ ଓଡ଼ିଆ ନେତୃବର୍ଗ, ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର କର୍ମକର୍ତ୍ତା ଏବଂ ଡଃ ମହାପାତ୍ରଙ୍କର ପରିବାର ସଦସ୍ୟ ତଥା ଶୁଭେଚ୍ଛୁମାନେ ଯୋଗଦେଇଥିବାବେଳେ ସୋସିଆଲ ନେଟ୍‍ୱାର୍କିଂ ପୋର୍ଟାଲ ଓ ଚ୍ୟାନେଲଗୁଡ଼ିକ ଜରିଆରେ ସହସ୍ରାଧିକ ଦର୍ଶକ ଏହାକୁ ଦେଖିବାର ସୁଯୋଗ ପାଇଥିଲେ ।

ୱେବିନାରରେ ପୌରହିତ୍ୟ କରି ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଡଃ ମହାପାତ୍ରଙ୍କ ସହିତ ତାଙ୍କର ଦୀର୍ଘ ଦିନର ସମ୍ପର୍କକୁ ଉଲ୍ଲେଖ କରି ସେ ଜଣେ ଅଜସ୍ର ପ୍ରତିଭାବାନ, ପାରଦର୍ଶିତାରେ ଭରପୂର ତଥା ବୌଦ୍ଧିକ ବିଚାରବନ୍ତ ବିଜ୍ଞ ବ୍ୟକ୍ତିତ୍ୱ ଥିଲେ ବୋଲି ସୂଚାଇଥିଲେ । ସଭାକୁ ସମ୍ବୋଧନ କରି ସୁନାମଧନ୍ୟ ସାହିତ୍ୟିକ ଡଃ ହରପ୍ରସାଦ ଦାସ, ଡଃ ମନୋରମା ମହାପାତ୍ର ଓଡ଼ିଆ ଜାତି ଓ ଅସ୍ତିତ୍ୱର ପରିଚୟ ଥିଲେ ବୋଲି କହିଥିଲେ । ତାଙ୍କର ବିଶାଳ ବିକ୍ତିତ୍ୱର ପଟାନ୍ତର ନାହିଁ ବୋଲି ଡଃ ଦାସ ଦର୍ଶାଇଥିଲେ । ଦିବଂଗତ ଆତ୍ମାକୁ ଶ୍ରଦ୍ଧାସୁମନ ଅର୍ପଣ କରି ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ପ୍ରବୋଧ କୁମାର ରାଉତ ୧୯୯୧ ରୁ ୯୩ ମସିହା ମଧ୍ୟରେ ଡଃ ମହପାତ୍ର ଏକାଡେମୀର ସଭାପତି ଥିବାବେଳେ ସାହିିତ୍ୟ କ୍ଷେତ୍ରକୁ ରୁଦ୍ଧିମନ୍ତ କରିବାରେ ତାଙ୍କର ଅନବଦ୍ୟ ଅବଦାନକୁ ସ୍ମରଣ କରାଇଥିଲେ । ତାଙ୍କର ବିୟୋଗ ଫଳରେ ଓଡ଼ିଆ ସାହିତ୍ୟ ଜଗତରେ ଯେଉଁ ଅପୂରଣୀୟ କ୍ଷତି ଘଟିଲା ତାକୁ ଭାଷାରେ ବର୍ଣ୍ଣନା କରିବା କଷ୍ଟକର ବୋଲି ଶ୍ରୀ ରାଉତ କହିଥିଲେ ।

ଆମେରିକାର ରୋଡ୍‍ସ ଆଇଲ୍ୟାଣ୍ଡରୁ ଅକ୍ଷୟ ମହାନ୍ତି, ସ୍ୱର୍ଗତ ମହାପାତ୍ର ନାରୀ ଜାତି ପାଇଁ ଆଦର୍ଶର ଉତ୍ସ ଥିଲେ ବୋଲି ଉଲ୍ଲେଖ କରିଥିଲେ । ୟୁ.ଏ.ଇ ଓଡ଼ିଶା ସମାଜର ସଭାପତି ଅମୀୟ ମିଶ୍ର, ତାଙ୍କର ଶିକ୍ଷା ପ୍ରଦାନ ଶୈଳୀ କୁଶଳି ଥିଲା ବୋଲି ବର୍ଣ୍ଣନା କରିଥିଲେ । ବ୍ରିଟେନରୁ ଜୟଶ୍ରୀ ନନ୍ଦ, ଡଃ ମହାପାତ୍ର ଏକାଧାରାରେ ଜଣେ ସୁସାହିତ୍ୟିକା, ସୁସମ୍ପାଦିକା, ସୁପ୍ରାଧ୍ୟାପିକା, ସୁବକ୍ତା, ସୁଆତ୍ମା, ସୁପୁତ୍ରୀ ଓ ସୁମାତା ଥିବା ଦର୍ଶାଇ ତାଙ୍କ ପ୍ରତି ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କୋଲକାତାର ପ୍ରତିବେଶୀ ପତ୍ରିକାର ସମ୍ପାଦକ ପୀତାମ୍ବର ବାରିକ, ଡଃ ମହପାତ୍ରଙ୍କର ପରଲୋକକୁ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଦାରୁଣ ଦୁଃସମ୍ବାଦର ଆଖ୍ୟା ଦେଇଥିଲେ । ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡଃ ଅରୁନ୍ଧତି ଦେବୀ, ଡଃ ମହାପାତ୍ରଙ୍କର ଓଜସ୍ୱିନୀ ଭାଷଣ କେବଳ ସଭାକୁ ଅଳଂକୃତ କରୁଥିଲା, ତା ନୁହଁ ଏହା ଶ୍ରୋତାମାନଙ୍କୁ ମଧ୍ୟ ବେଶ୍‍ ଚମତ୍କୃତ କରୁଥିଲା ବୋଲି କହିଥିଲେ ।

ଆମେରିକାରୁ ଧୀରେନ୍ଦ୍ର କର, ଜଣେ ଲେଖକ, ସାହିତ୍ୟିକ, ସମାଜସେବୀ, ପ୍ରେରଣାଦାୟିକା ଓ ମା’ ଭାବରେ ସ୍ୱର୍ଗତ ମହାପାତ୍ର ସମାଜର ଶିର୍ଷ ସୋପାନକୁ ଅଳଂକୃତ କରିଥିଲେ ଓ ପ୍ରତ୍ୟେକ ଓଡ଼ିଆଙ୍କର ହୃଦୟରେ ଗଭୀର ରେଖାପାତ କରିଥିଲେ ବୋଲି ଦର୍ଶାଇଥିଲେ । ତାଙ୍କର ପ୍ରେରଣା ଓ ପ୍ରୋତ୍ସାହନ ପ୍ରଦାନ ଶକ୍ତି ଖୁବ୍‍ ପ୍ରଖର ଥିଲା ବୋଲି ଜୀତେନ୍ଦ୍ର କୁମାର ମହାନ୍ତି ସୂଚାଇଥିଲେ । ଡଃ ମହାପାତ୍ରଙ୍କର ଆବର୍ତ୍ତମାନରେ ସୃଜନଶୀଳ ସାହିତ୍ୟ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ଭୁବନେଶ୍ୱର ରୋଟାରୀ କ୍ଲବ ଇକୋର ସଭାପତି ରାମକୃଷ୍ଣ ଦାଶ ପ୍ରକାଶ କରିଥିଲେ । ଡଃ ମହାପାତ୍ରଙ୍କର ଛାତ୍ର ଲଳିତ କୁମାର ପ୍ରଧାନ, ତାଙ୍କୁ ଜଣେ ମାତୃବତ୍‍ ଶିକ୍ଷକ ବୋଲି ବର୍ଣ୍ଣନା କରିଥିଲେ । ଓଡ଼ିଶା ସମାଜ ୟୁ.କେର ସାଧାରଣ ସମ୍ପାଦକ ଶିବରଞ୍ଜନ ବିଶ୍ୱାଳ, ଡଃ ମହାପାତ୍ରଙ୍କର ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଅବଦାନ ଅତୁଳନୀୟ ବୋଲି କହିଥିଲେ ।

ଦକ୍ଷିଣ କୋରିଆରୁ ଡଃ ସୀତାଂଶୁ ଶେଖର ନନ୍ଦ, ପ୍ରଥମ ଦେଖାରେ ସ୍ୱର୍ଗତ ମହପାତ୍ରଙ୍କର ଜ୍ଞାନ, ଗୁଣ ଓ ଗରିମାଦ୍ୱାରା ସେ ଖୁବ୍‍ ପ୍ରଭାବିତ ହୋଇଥିବା ଦର୍ଶାଇ ଥିଲେ । ସେ ଓଡ଼ିଶାର କିମ୍ବଦନ୍ତୀ ନାରୀ ଥିଲେ ବୋଲି ପ୍ରତାପ ରାଉତ କହିଥିଲେ । ତାଙ୍କ ନିକଟରେ ମନ ଓ ହୃଦୟକୁ ଜିଣିବାର ଶକ୍ତି ନିଆରା ଥିଲା ବୋଲି ଧୀରଜ ଚଢ଼ା କହିଥିଲେ । ଡଃ ମହପାତ୍ର ଜଣେ ମହାନ ମହିୟସୀ ମହିଳା ଥିଲେ ବୋଲି ଲିପ୍‍ସା ପଟ୍ଟନାୟକ ମହାନ୍ତି ସୂଚାଇଥିଲେ । ସିଙ୍ଗାପୁରରୁ ବନୋଜିନୀ ନାୟକ, ସେ ଓଡ଼ିଶା ମାଟିର ଗର୍ବ ଓ ଗୌରବ ଥିଲେ ବୋଲି ଉଲ୍ଳେଖ କରିଥିଲେ । ଆଦିକବି ସାରଳା ଦାସ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡଃ ଅଶୋକ କୁମାର ନାୟକ, ସେ ଜଣେ ସୁନାମଧନ୍ୟ ସାମ୍ବାଦିକା, ଅଧ୍ୟାପିକା, ସମାଜସେବୀ ତଥା ସୁଲେଖିକା ଥିଲେ ବୋଲି ଦର୍ଶାଇଥିଲେ ।

ଆମେରିକାରୁ ସୂର‌୍ୟ୍ୟ ଏବଂ ଟିକି ମିଶ୍ର, ଡଃ ମହାପାତ୍ର ସ୍ୱାଧୀନତା ପରବର୍ତ୍ତୀ ପର‌୍ୟ୍ୟାୟରେ ନାରୀ ଜାତିର ବିକାଶ ଓ ସଶକ୍ତୀକରଣର ଜ୍ୱଳନ୍ତ ଦୃଷ୍ଟାନ୍ତ ଓ ଆଦର୍ଶର ଉତ୍ସ ଥିଲେ ବୋଲି ଉଲ୍ଲେଖ କରିଥିଲେ । ଆମେରିକାରୁ ନଳିନୀ ପଟ୍ଟନାୟକ, ତାଙ୍କର ମାନବିକ ଗୁଣ ଓ ସେବା ମନୋବୃତ୍ତି ଉପରେ ଆଲୋକପାତ କରିଥିଲେ । ସମାଜ ପ୍ରତିନିଧି ସଂଘର ସଭାପତି ମହେଶ୍ୱର ବଳ, ଲୋକସେବକ ଯୁବମଣ୍ଡଳର ପ୍ରତିଷ୍ଠା ଏବଂ ଏହାର ପରିଚାଳନା ନେଇ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଥିଲେ । ସ୍ୱର୍ଗତ ମହାପାତ୍ରଙ୍କର ସାହିତ୍ୟ, ଶବ୍ଦ ଓ ସ୍ୱର ସବୁ ମହତ୍‍ ଥିଲା ବୋଲି କାନାଡ଼ାରୁ ପ୍ରଶାନ୍ତ ଭୂୟାଁ ଦର୍ଶାଇଥିଲେ ।

ସୁପ୍ରସିଦ୍ଧ ସଂଗୀତଜ୍ଞ କୈଳାସ ବୈଷ୍ଣବ ଏବଂ ଉଦୀୟମାନ କଣ୍ଠଶିଳ୍ପୀ ପୁଷ୍ପାଞ୍ଜଳି ବାରିକ ତଥା ସନ୍ତୋଷ ରାଉତ ସଂଗୀତ ଜରିଆରେ ସେମାନଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶୋକପ୍ରକାଶ କରିଥିବା ଅନ୍ୟାନ୍ୟ ଅଭ୍ୟାଗତମାନଙ୍କ ମଧ୍ୟରେ ଚନ୍ଦ୍ରା ମିଶ୍ର, ହର ଓ ସୁମିତ୍ରା ପାଢ଼ୀ, ଡଃ ରବୀନ୍ଦ୍ର ନାରାୟଣ ବେହେରା ଓ ସତ୍ୟବ୍ରତ ମହାନ୍ତି ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ବିରଞ୍ଚି ନାରାୟଣ ଶତପଥୀ, କୃପାନିଧି ବିଶ୍ୱାଳ, ବଲ୍‍ହନ ସାଗର, ମୋହିତ ମିଶ୍ର, ସୁଧାଶ୍ରୀ ଦାଶ, ସୁବାସ ସାହୁ, ପୀତବାସ ରାଉତରାୟ, ଡଃ ସାଗର ରଞ୍ଜନ ତ୍ରିପାଠୀ, ଜୟନ୍ତ ଗନ୍ତାୟତ, ସଞ୍ଜୟ ଦଳାଇ, ପ୍ରୀତିଶ ରଞ୍ଜନ ଦାଶ, ରୀତା ଶତପଥୀ ଏବଂ ଶ୍ରୀମନ୍ତ ବିଶ୍ୱାଳ , ସନାତନ ମହାକୁଡ଼,ଅହଲ୍ୟା ବାରିକ ପ୍ରମୁଖ ସାମିଲ ଥିଲେ ।