ଆସନ୍ତା ୨୪ ଘଣ୍ଚା ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବାର ସମ୍ଭାବନା ରହିବ

ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ରବିବାର ଭୁବନେଶ୍ୱର,ପାରାଦୀପ :- ଆହୁରି ଘନୀଭୂତ ହେଲା ଲଘୁଚାପ, ରାଜ୍ୟରେ ବର୍ଷା ଲାଗି ରହିବ l ଶନିବାର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଆହୁରି ଘନୀଭୂତ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଏହି ଲଘୁଚାପଟି ଏବେ ଉତ୍ତର-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି । ଏହି ଲଘୁଚାପ ପ୍ରଭାବରେ ଗତ କାଲିଠାରୁ ଓଡ଼ିଶାର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଲାଗି ରହିଛି । ଭୁବନେଶ୍ବର ଓ କଟକରେ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି ବିଭାଗ କହିଛି ।

ଗତ ୨୪ ଘଣ୍ଟାରେ ପାରାଦୀପଠାରେ ସର୍ବାଧିକ ୧୨୭.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଅବପାତ ବା ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୨ ଦିନରେ ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଦେଇ ମଧ୍ୟ ଭାରତ ଆଡ଼କୁ ଗତି କରିବ ବୋଲି ଆଇଏମଡି କହିଛି ।