ଦଶମ ଓ ଦ୍ୱାଦଶ ଶ୍ରେଣୀ ଶିକ୍ଷାର୍ଥୀଙ୍କ ପାଇଁ ଖୋଲିଲା ବିଦ୍ୟାଳୟ

ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ମଙ୍ଗଳବାର ) ହିଞ୍ଜିଳିକାଟୁ :-   ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହର ବ୍ୟାପିଥିବା ଯୋଗୁଁ ଗତ ମାର୍ଚ୍ଚ ମାସ ପହିଲା ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ ରଖିବା ପାଇଁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଥିଲା । ଦୀର୍ଘ ୪ମାସର ବ୍ୟବଧାନ ପରେ ସୋମବାର ଠାରୁ ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ କେବଳ ଦଶମ ଓ ମହାବିଦ୍ୟାଳୟ ଗୁଡ଼ିକରେ ଦ୍ୱାଦଶ ଶ୍ରେଣୀ ଶିକ୍ଷାର୍ଥୀଙ୍କ ସକାଶେ ବିଦ୍ୟାଳୟରେ ପାଠପଢା ଆରମ୍ଭ କରାଯାଇଛି । କୋଭିଡ଼-୧୯ର ସମସ୍ତ ଗାଇଡ଼ ଲାଇନ ପାଳନ କରି ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥା ସୋମବାର ଠାରୁ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୌରାଂଚଳ ସରକାରୀ ବୃନ୍ଦାବନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳନ କରାଯାଇଛି । ଶିକ୍ଷାର୍ଥୀ ମାନେ ବିଦ୍ୟାଳୟରେ ପ୍ରବେଶ ପୂର୍ବରୁ ସମସ୍ତ ଶିକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସାନିଟାଇଜର ବ୍ୟବହାର ଓ ମାସ୍କ ବ୍ୟବହାରକୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।

ଶ୍ରେଣୀକକ୍ଷରେ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରି ଶିକ୍ଷ।।ଦାନ ଆରମ୍ଭ କରାଯାଇଥିଲା । ମଧ୍ୟାନ୍ନ ଭୋଜନ ସମୟରେ ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ସାଙ୍ଗରେ ଆଣିଥିବା ଟିଫିନ ବକ୍ସରୁ ନିଜେ ଭୋଜନ କରିବା ଏବଂ ଅନ୍ୟ ବନ୍ଧୁ ମାନଙ୍କୁ ପ୍ରଦାନ ନକରିବାକୁ ପରାମର୍ଶ ଦିଆଯାଇଥିଲା । ପ୍ରଥମ ଦିବସରେ ଶିକ୍ଷାର୍ଥୀ ମାନେ ବିଦ୍ୟାଳୟରେ ପ୍ରବେଶ କରିବା ପରେ ବହୁତ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଥିଲା । ପ୍ରଥମ ଦିବସରେ ସଂପୃକ୍ତ ବିଦ୍ୟାଳୟର ୧୦ମ ଶ୍ରେଣୀର ୩୨୩ ଶିକ୍ଷାର୍ଥୀଙ୍କ ମଧ୍ୟରୁ ୧୯୦ ଜଣ ଶିକ୍ଷାର୍ଥୀ ଉପସ୍ଥିତ ଥିଲେ ଏବଂ ସ୍ଥାନୀୟ ପୌରାଂଚଳ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ବୋର୍ଡ଼ର ଅଫ୍ ଲାଇନ ପରୀକ୍ଷା ଅନୁଷ୍ଠିତ ହେଉଥିବା ଯୋଗୁଁ ସଂପୃକ୍ତ ବିଦ୍ୟାଳୟ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ୧୦ମ ଶ୍ରେଣୀ ଶିକ୍ଷାର୍ଥୀଙ୍କ ଶିକ୍ଷାଦାନ ବନ୍ଦ ରଖାଯାଇଛି, କେବଳ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ ଚାଲୁ ରହିଛି ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନତି ପାତ୍ର କହିଛନ୍ତି । ଅନୁରୂପ ଭାବେ ସ୍ଥାନୀୟ ବ୍ଳକର ୨୩ଟି ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ପ୍ରବେଶ ଉତ୍ସବ ପାଳନ କରାଯିବା ସହ କୋଭିଡ଼-୧୯ ଗାଇଡ଼ ଲାଇନକୁ ପାଳନ କରି ଶିକ୍ଷାଦାନ ଆରମ୍ଭ କରାଯାଇଥିଲା । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )