ଅଠେଇଶରେ ଅଧୁରା ଅନୁଗୋଳ 

ଓଡ଼ିଶା ତାଜା ନ୍ୟୁଜ୍ (୨ ଏପ୍ରିଲ ଶୁକ୍ରବାର ) ଅନୁଗୋଳ :- ୧୯୯୩ ଏପ୍ରିଲ ୧ରେ ଅନୁଗୋଳକୁ ମିଳିଥିଲା ଜିଲା ମାନ୍ୟତା । ପ୍ରକୃତି ଓ ପ୍ରାକୃତିକ ସମ୍ପଦରେ ଭରପୂର ଏହି ଜିଲା ଦୀର୍ଘ ୨୭ ବର୍ଷ ମଧ୍ୟରେ ଅନେକ କ୍ଷେତ୍ରରେ ନିଜ ସ୍ବତନ୍ତ୍ରତା ପ୍ରତିପାଦନ କରିପାରିଛି । ବିଶେଷକରି ଶିଳ୍ପାୟନରେ ଅନୁଗୋଳ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପରିଚିତ ହୋଇପାରିଛି । ନାଲ୍‌କୋ, ଏନ୍‌ଟିପିସି, ଏମ୍‌ସିଏଲ୍‌ ପରି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପାଇଁ ଜିଲାର ଅର୍ଥନୀତି ସୁଦୃଢ଼ ହୋଇପାରିଛି। ରାଜସ୍ବ ପ୍ରଦାନରେ ଅନୁଗୋଳ ରାଜ୍ୟରେ ଆଗୁଆ ରହିଛି। କୃଷି କ୍ଷେତ୍ରରେ ମଧ୍ୟ ଏହା ପଛରେ ପଡ଼ିନି ।

ଏଠାକାର ବହୁ ଚାଷୀ ବ୍ରୋକଲି, କ୍ୟାପ୍‌ସିକମ୍‌ ପରି ବିଭିନ୍ନ ଅର୍ଥକରୀ ଫସଲ ଫଳାଇ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ ମୂଳଦୁଆ ମଧ୍ୟ ଧୀରେ ଧୀରେ ମଜଭୁତ ହେଉଛି । ବିଗତ କିଛି ବର୍ଷ ମଧ୍ୟରେ ଜିଲାର ଅନେକ ଛାତ୍ରୀଛାତ୍ର ନିଜ ପ୍ରତିଭାର ପରିଚୟ ଦେଇ ଚର୍ଚ୍ଚାରେ ରିହିପାରିଛନ୍ତି । ସ୍ବାସ୍ଥ୍ୟସେବାର ଆଧୁନିକୀକରଣ ଜାରି ରହିଥିବାବେଳେ ସାତକୋଶିଆର ଜୈବ ବିବିଧତା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ପ୍ରତିବର୍ଷ ଅନୁଗୋଳକୁ ଟାଣିଆଣୁଛି। ହେଲେ ୨୮ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ଅନୁଗୋଳ ଜିଲାର ବିକାଶ ଏବେ ବି ଅଧୁରା ରହିଛି । ବେକାରି, ଜମି ଅଧିଗ୍ରହଣ, ବିସ୍ଥାପନ, କ୍ଷତିପୂରଣ, ପ୍ରଦୂଷଣ ସମସ୍ୟା ସହ ଏକାଧିକ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ନ ପାରିବା, ପାନୀୟ ଜଳର ଅଭାବ, ଆବଶ୍ୟକ ଡାକ୍ତର ନିଯୁକ୍ତି ଦିଆ ନ ଯିବା ଜିଲାର ବିକାଶ ଯାତ୍ରାରେ ବ୍ରେକ୍‌ ଲଗାଇ ଦେଇଛି ।

ତଥାପି ଆଦର୍ଶ ବିଦ୍ୟାଳୟରେ ବିଦେଶୀ ଭାଷାରେ ଶିକ୍ଷା, ଶିକ୍ଷାନୁଷ୍ଠାନକୁ ଖାଦ୍ୟ ଯୋଗାଣ ପାଇଁ ସେଣ୍ଟ୍ରାଲ କିଚେନ, କ୍ରୀଡ଼ାର ଉନ୍ନତି ନିମନ୍ତେ ପ୍ରତି ବ୍ଲକରେ ମିନି ଷ୍ଟାଡିୟମ, ଜିଲା ଷ୍ଟାଡିୟମକୁ କଳିଙ୍ଗ ଷ୍ଟାଡିୟମ ଭଳି କରିବା, କୋଲ୍‌ ମ୍ୟୁଜିୟମ ପ୍ରତିଷ୍ଠା, ଛେଣ୍ଡିପଦାରେ ସାଇନ୍ସ ପାର୍କ, ପ୍ରତି ପଞ୍ଚାୟତରେ ପାର୍କ ନିର୍ମାଣ, ମେଗା ପାନୀୟ ଜଳ ପ୍ରକଳ୍ପ, ଟୁରିଜମ୍‌ ସର୍କିଟ, ବସ୍‌ ଟର୍ମିନାଲ କାର୍ଯ୍ୟ ଶେଷ, ଚାଷୀଙ୍କ ଫସଲ ସଂରକ୍ଷିତ ପାଇଁ କୁଲିଂ ଚାମ୍ବର ବ୍ୟବସ୍ଥା ଭଳି ବହୁ ଯୋଜନା କରାଯିବା ଜିଲାବାସୀଙ୍କ ପାଇଁ ଆଶ୍ୱାସନା ଆଣି ଦେଇଛି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)