ଜଗତସିଂହପୁର ସଦର ଥାନା ଏସଆଇ ବିଶ୍ଵଜିତ ଗଡନାୟକ ଭିଜିଲାନ୍ସ ଦ୍ବାରା ଗିରଫ : ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ

ଓଡିଶା ତାଜା ନ୍ୟୁଜ୍ ( ୨୪ ମାର୍ଚ୍ଚ ବୁଧବାର ) ଜଗତସିଂହପୁର :-  ଜଗତସିଂହପୁର ସଦର ଥାନା ଏସଆଇ ବିଶ୍ଵଜିତ ଗଡନାୟକ ଭିଜିଲାନ୍ସ ଦ୍ବାରା ଗିରଫ । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । କଟକ ଭିଜିଲାନ୍ସ ଟିମ୍ ଜଗତସିଂହପୁର ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, କଟକ ସ୍ଥିତ ପୁରୁଣା କଚେରାମାଳ ସାହିର ପ୍ରୀତମ ମହାନ୍ତି ନାମକ ଜନୈକ ବ୍ୟକ୍ତିଙ୍କ କଟକରେ ଥିବା ଏକ ଫର୍ଣ୍ଣିଚର ଦୋକାନରେ ଜଗତସିଂହପୁର ବଡ ଲହଙ୍ଗା ଗାଁର ସୁରେନ୍ଦ୍ର ବାରିକ ସେଲସମ୍ୟାନ ଭାବେ କାମ କରୁଥିଲେ ।

ସୁରେନ୍ଦ୍ର ଏଠାରେ କାମ କରୁଥିବା ବେଳେ ଦୋକାନରୁ ବିଭିନ୍ନ ଉପାୟରେ ୧୮ଲକ୍ଷ ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲେ । ତେବେ ପରେ ଜଗତସିଂହପୁର ପୋଲିସ ହସ୍ତକ୍ଷେପ ପରେ ସୁରେନ୍ଦ୍ର ୬ଲକ୍ଷ ଟଙ୍କା ଫେରସ୍ତ କରିଥିଲେ ମଧ୍ୟ ଅବଶିଷ୍ଟ ଟଙ୍କା ନଦେଇ ପ୍ରୀତମଙ୍କୁ ଓଲଟା ମାଡ ମାରିଥିଲେ । ଫଳରେ ପ୍ରୀତମ ଜଗତସିଂହପୁର ପୋଲିସର ଆଶ୍ରୟ ନେବା ସହ ଏ ବାବଦରେ ଏତଲା ଦେଇଥିଲେ । ଅବଶିଷ୍ଟ ଟଙ୍କା ଆଦାୟ କରିଦେବା ପାଇଁ ପ୍ରତିଶ୍ରୁତି ଦେଇ ଏସଆଇ ବିଶ୍ବଜିତ୍ ଗଡ଼ନାୟକ ପ୍ରୀତମ ମହାନ୍ତିଙ୍କଠାରୁ ୩ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏ ନେଇ ପ୍ରୀତମ୍ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ।

ଯୋଜନା ମୁତାବକ ଜଗତସିଂହପୁର ଥାନା ଏସଆଇ ବିଶ୍ବଜିତ୍ ଗଡନାୟକ କଟକ-ମାଛଗାଁ ରାସ୍ତା କନ୍ଦରପୁର ବଜାରରେ ପହଞ୍ଚି ୫୦ ହଜାର ଟଙ୍କା ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ସମ୍ପୃକ୍ତ ଏସଆଇଙ୍କଠାରୁ ଭିଜିଲାନ୍ସ କର୍ତ୍ତୃପକ୍ଷ ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛନ୍ତି ।(ଜଗତସିଂହପୁର,ଏରସମା ରିପୋର୍ଟ /ରଶ୍ମି ରଂଜନ ଖୁଣ୍ଟିଆ)