ପୁରୀର ପ୍ରସିଦ୍ଧ ପ୍ରସିଦ୍ଧ ଶୈବପୀଠ – ଶ୍ରୀଲୋକନାଥ ମନ୍ଦିର

ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାରଭୁବନେଶ୍ୱର :- ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିର । ଶ୍ରୀଜଗନ୍ନାଥ ମନ୍ଦିରର ପଶ୍ଚିମରେ ପ୍ରାୟ ୨ କି.ମି ଦୂରତାରେ ଶ୍ରୀଲୋକନାଥଙ୍କ ପୀଠ ଅବସ୍ଥିତ । ଶ୍ରୀଲୋକନାଥ ପଞ୍ଚୁପାଣ୍ଡବଙ୍କ ମଧ୍ୟରେ ଭୀମ ରୂପରେ କଳ୍ପିତ । ମନ୍ଦିରଟି ପ୍ରାୟ ୧୦ ଏକର ପରିମିତ ଜମିରେ ପାଚେରି ଦ୍ବାରା ପରିବେଷ୍ଟିତ । ସମ୍ମୁଖରେ ପାର୍ବତୀ ସାଗର ନାମକ ଏକ ବୃହତ୍ ଜଳାଶୟ ରହିଛି । ଶ୍ରୀକ୍ଷେତ୍ରର ପ୍ରାଚୀନ ପୁଷ୍କରିଣୀ ମଧ୍ୟରୁ ଏହା ଅନ୍ୟତମ । କଥିତ ରହିଛି ତ୍ରେତୟା ଯୁଗରେ ଜନପଦୀୟ ଲୋକେ ଦେଇଥିବା ଏକ ଲାଉକୁ ଶ୍ରୀରାମଚନ୍ଦ୍ର ଏଠାରେ ଶିବଲିଙ୍ଗ ରୂପେ ପୂଜା କରିଥିଲେ । ପରବର୍ତ୍ତୀ କାଳରେ ଏହା ଲାଉକେଶ୍ବର ରୂପେ ପୂଜିତ ହେଲେ । ଲାଉକେଶ୍ବର ହିଁ ଜନମାନସରେ ଲୋକମାନଙ୍କ ନାଥ ଅର୍ଥ।ତ୍ ଲୋକନାଥ ମହାଦେବ ଭାବେ ପରିଚିତ ହୋଇଆସିଛନ୍ତି ।

ଏଠାରେ କେତେକ ବିଶେଷ ପର୍ବପର୍ବାଣି ବେଶ୍ ଧୁମ୍‌ଧାମ୍‌ରେ ପାଳନ କରାଯାଏ । ସେଥିମଧ୍ୟରୁ ଜାଗରଯାତ୍ରା ଅନ୍ୟତମ ।ମହାଶିବରାତ୍ରୀ ଅବସରରେ ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଜାଗର ରହିଛି ଭକ୍ତମାନେ ଜାଗର ଜାଳିଥାନ୍ତି । ରାଜ୍ୟ ତଥା ରାଜ୍ୟ ବାହାର ଶ୍ରଦ୍ଧାଳୁ ଏଥିରେ ଯୋଗଦିଅନ୍ତି । ସେହିପରି ବୈଶାଖ ମାସର ଶେଷ ସୋମବାର ଏଠାରେ ସୋମବାର ମେଳା ଅନୁଷ୍ଠିତ ହୁଏ । ଓଡ଼ିଶାର ଗ୍ରାମାଞ୍ଚଳରୁ ବହୁ ସଂଖ୍ୟକ ଭକ୍ତ ପୀଠରେ ନୂଆ ଧାନରେ ପ୍ରସ୍ତୁତ ଚୂଡ଼ାଘଷା ଠାକୁରଙ୍କୁ ଭୋଗ ଲଗାଇଥାନ୍ତି । ଶ୍ରାବଣ ମାସର ପ୍ରତି ସୋମବାର ଭାରତର ବିଭିନ୍ନ ପ୍ରାନ୍ତରୁ ପବିତ୍ର ନଦୀଜଳ ଧରି ପାଦରେ ଚାଲି ଚାଲି କାଉଡ଼ିଆମାନେ ଜଳାଭିଷେକ ନିମନ୍ତେ ପୀଠରେ ପହଞ୍ଚିଥାନ୍ତି ।

ବିଶେଷ ପର୍ବ ଭାବେ ଶ୍ରୀଲୋକନାଥ ମନ୍ଦିରରେ ଶମ୍ଭୁ ଏକାଦଶୀ ପାଳନ କରାଯାଏ । ସୋମବାର ଦିନ ଏକାଦଶୀ ପଡ଼ିଲେ ଶମ୍ଭୁ ଏକାଦଶୀ ହୁଏ । ଏହିଦିନ ଶ୍ରୀମନ୍ଦିରରେ ସମନ୍ବୟାତ୍ମକ ନୀତି ଅନୁଷ୍ଠିତ ହୁଏ । କିନ୍ତୁ ଦୀର୍ଘବର୍ଷ ହେବ ଶମ୍ଭୁ ଏକାଦଶୀ ହୋଇପାରୁ ନାହିଁ । ସେହିପରି ଶିବ ଚତୁର୍ଦ୍ଦଶୀ ଦିନ ଲୋକନାଥ ମନ୍ଦିରରେ ସମନ୍ବୟାତ୍ମକ ନୀତି ହୋଇଥାଏ । ଏହା ହରିହର ପୂଜା ଭାବେ ବିଦିତ । ଶ୍ରୀଲୋକନାଥ ଚନ୍ଦନ ଯାତ୍ରାରେ ସାମିଲ ହୋଇ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ସହ ଜଳକ୍ରୀଡ଼ା କରିଥାନ୍ତି ।