ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡିର ପଞ୍ଚମ ଜିଲ୍ଲା ଦକ୍ଷତା ପରିଷଦ ବୈଠକ

୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> ଭବାନୀପାଟଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀମତୀ ପି ଅନ୍ଵେଷା ରେଡିଙ୍କ ଅଧ୍ୟକ୍ଷତାରେ ପଞ୍ଚମ ଜିଲ୍ଲା ଦକ୍ଷତା ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକ ଆରମ୍ଭରେ ଜିଲ୍ଲା ଦକ୍ଷତା ପରିଷଦର ଆବାହକ ଅଜିତ କୁମାର ଉତ୍ତରାୟ ବୈଠକର ଆଭିମୁଖ୍ୟ ବିଷୟରେ ଉଦବୋଧନ ଦେଇଥିଲେ।ଏଥିରେ “ନୂଆ ଓଡିଶା” ଯୋଜନାରେ ଜିଲ୍ଲାରେ କେଉଁ ପ୍ରକାରର ତାଲିମର ଆବଶ୍ୟକତା ରହିଛି ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ।ଏଥିରେ ହବାସପୁରି ହସ୍ତତନ୍ତ, ଢୋକ୍ରା ହସ୍ତଶିଳ୍ପର ପୁନରୁଦ୍ଧାର, କାଷ୍ଠ ଖୋଦେଇ ଆଦି କ୍ଷେତ୍ରରେ ହିତାଧିକାରୀ ମାନଙ୍କୁ ଅଧିକରୁ ଅଧିକ ତାଲିମ ଏବଂ କାର୍ଯ୍ୟାରମ୍ଭ ପାଇଁ ସହାୟତା ଯୋଗାଇ ଦେବା ପାଇଁ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପଠାଇବା ପାଇଁ ନିଷ୍ପତି ନିଆଯାଇଥିଲା।

ଏହା ସହିତ ମିଶନ ଶକ୍ତି କାଫେରେ ନିୟୋଜିତ ଥିବା ମା ମାନଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଜିଲ୍ଲାପାଳ ଆଇଟିଆଇ ଭବାନୀପାଟଣା , ନୂତନ ଭାବେ ସ୍ଥାପିତ ଧର୍ମଗଡ ଓ ଜୁନାଗଡ଼ର ଆଡ଼ମିସନ ଓ ଭିତ୍ତିଭୂମି ବିଷୟରେ ସବିଶେଷ ବିବରଣୀ ନେଇଥିଲେ ଓ ପଲିଟେକ୍ନିକ ଭିତ୍ତିଭୂମି ବିଷୟରେ ଆଲୋଚନା କରିଥିଲେ। ଏହାର ଅଭିବୃଦ୍ଧି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ମିଶନ ଶକ୍ତି ବିଭାଗ ଓ ବ୍ଲକର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଜିଲ୍ଲା ନିୟୋଜନ ଅଧିକାରୀ, ଆଇଟିଆଇ ଓ ପଲିଟେକ୍ନିକର ଅଧ୍ୟକ୍ଷ ମାନଙ୍କୁ ଅଧିକ ରୁ ଅଧିକ ପରାମର୍ଶ ଶିବିର ଏବଂ ସ୍ପଟ ରେଜିଷ୍ଟ୍ରସନ ପାଇଁ ପରାମର୍ଶ ଦେଇ ଥିଲେ । ଜିଲ୍ଲାପାଳ ଜିଲ୍ଲାରେ ଚାଲୁଥିବା ସମସ୍ତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ନିଯୁକ୍ତି ମେଳା/ନିଯୁକ୍ତି ଅଭିଯାନର ସମୀକ୍ଷା କରିଥିଲେ।

ସମସ୍ତ ଅଧିକାରୀଙ୍କୁ ଏକତ୍ରିତ ହୋଇ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ। ଉକ୍ତ ସଭାରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ କଳାହାଣ୍ଡି ଶ୍ରୀଯୁକ୍ତ ସଚିନ ପାୱାର , କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରଫେସର ମଧୁଲିକା ସାହୁ ନିଯୁକ୍ତି ଦକ୍ଷତା କାର୍ଯ୍ୟକ୍ରମ ଉପରେ ଜୋର ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ,ଜିଲ୍ଲା ଉନ୍ନୟନ ପ୍ରବନ୍ଧକ ନାବାର୍ଡର ମହେଶ୍ୱର ଦାସ, ସରକାରୀ ପଲିଟେକ୍ନିକ ଭବାନୀପାଟଣାର ଅଧ୍ୟକ୍ଷ ଅମୁଲ୍ୟ କୁମାର ପଣ୍ଡା, ହସ୍ତତନ୍ତ ସହକାରୀ ନିର୍ଦେଶକ ଏଚପି ମିଶ୍ର ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର, ଓର୍ମାସର ଜର୍ଜ କେର୍କେଟା, ମିଶନ ଶକ୍ତିର ଅମୃତ ପାଢୀ, ଡିପିଏମ ଓଏଲ୍ଏମ, ଜିଭି, ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ଉଦୟନ ମହାପାତ୍ର ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ସମସ୍ତ କର୍ମକର୍ତା ଏଥିରେ ସହଯୋଗ କରିଥିଲେ।