ଅର୍ଥ ଆତ୍ମସାତ ଅଭିଯୋଗରେ ମହିଳା ଗିରଫ – ଭୁବନ

୪ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ରେଙ୍ଗାଳି ଜଳସେଚନ ଜମି ଅଧିଗ୍ରହଣ କ୍ଷତିପୂରଣ ରାଶି ହଡ଼ପ ଅଭିଯୋଗରେ ଜଣେ ମହିଳା ଙ୍କୁ ଭୁବନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ରେଙ୍ଗାଳି ଜଳସେଚନ ପ୍ରକଳ୍ପ ର ଜମି ଅଧିଗ୍ରହଣ କ୍ଷତିପୂରଣ ରାଶି ନିର୍ଦ୍ଦିଷ୍ଟ ଆକାଉଣ୍ଟ କୁ ଯିବା ପରିବର୍ତ୍ତେ ଭୁଲ କ୍ରମେ ତାହା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଆକାଉଣ୍ଟ ନମ୍ବର ୦୫୪୫୩୪୦୦୧୦୦୪୮୧୧ ରେ ଭୁବନ ଥାନା ଅନ୍ତର୍ଗତ ଅନନ୍ତପୁର ଗ୍ରାମର ମାନସୀ ମଲିକ ଙ୍କ ଆକାଉଣ୍ଟ କୁ ୨୦୧୯ ମସିହାରେ ୧ ଲକ୍ଷ ୪୮ ହଜାର ୨୧୧ ଟଙ୍କା ଆସିଥିଲା ।

ମାନସୀ ମଲିକ ଙ୍କ ସ୍ବାମୀ ଅରକ୍ଷିତ ମଲିକ ଏହି ଟଙ୍କା କୁ ବ୍ୟାଙ୍କ ରୁ ଉଠାଇ ଅପରାଧିକ ଉଦେଶ୍ୟ ଓ ଠକିବା ମନବୃତି ରେ ଖର୍ଚ୍ଚ କରି ଦେଇଥିଲେ । ସୁକିନ୍ଦା ସ୍ଥିତ ରେଙ୍ଗାଳି ଜଳସେଚନ ପ୍ରକଳ୍ପ ଜୋନ ଅଫିସ ର ବିଭିନ୍ନ ଅଫିସର ମାନେ ଦୀର୍ଘ ୪ ବର୍ଷ ହେଲା ଟଙ୍କା ଫେରି ପାଇବାକୁ ମାନସୀ ଙ୍କ ଘରକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଭୁବନ ପୋଲିସ ର ସହାୟତା ନେଇ ରେଙ୍ଗାଳି ଜଳସେଚନ ପ୍ରକଳ୍ପ ର ଜୋନ ଅଫିସର ରାମକୃଷ୍ଣ ମହାନ୍ତି ଗତ ମାର୍ଚ୍ଚ ୨୦ ତାରିଖ ରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଭୁବନ ପୋଲିସ କେସ ନମ୍ବର ୮୯/୨୦୨୩ ଦଫା ୪୦୩, ୪୨୦ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ଓ ଆଜି ସକାଳେ ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ ଙ୍କ ତତ୍ବାବଧାନରେ ସଂପୃକ୍ତ ମହିଳା ଙ୍କୁ ତାଙ୍କ ଅନନ୍ତପୁର ସ୍ଥିତ ବାସଭବନ ରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କାମାକ୍ଷା ନଗର ଜେଲ୍ କୁ ପଠାଇ ଦିଆଯାଇଛି ।