ମାମୁ ଘର ଯିବା ବାଟରେ ମୋଟର ସାଇକେଲକୁ ପଛରୁ ଧକ୍କା ଦେଲା ଟ୍ରକ : ଝିଅ ମୃତ , ବାପା ଗୁରୁତର

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଆଜି ମଧ୍ୟାହ୍ନ ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକ କୁ ପଛପଟୁ ପିଟିଥିଲା ଟ୍ରକ ଆଉ ଏହି ଦୁର୍ଘଟଣାରେ ବାଇକ ପଛରେ ବସିଥିବା ଝିଅର ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ବାପା ଗୁରୁତର ଆହତ ହୋଇଥିଲେ । ପ୍ରାପ୍ତ ଖବରରୁ ପ୍ରକାଶ ଯେ , ପର୍ଜଙ୍ଗ ଥାନା ପାଣିଭଣ୍ଡାର ଗ୍ରାମରୁ ବାପା-ଝିଅ ଦୁହେଁ ଓଡି୧୯ଇ-୯୬୧୯ ନମ୍ବର ବିଶିଷ୍ଟ ମୋଟର ସାଇକେଲରେ ଭୁବନ ଥାନା ଧଳପଡା ଗ୍ରାମକୁ ମାମୁ ଘରକୁ ଆସୁଥିବା ବେଳେ ୫୩ ନମ୍ବର ଯମୁନାକୋଟ ଛକ ନିକରେ ପଛରୁ ଓଡି୦୯ଆର-୨୫୩୧ ନମ୍ବର ବିଶିଷ୍ଟ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା ।

ଝିଅଟି ଗାଡିରୁ ଛିଟିକି ପଡି ମୁଣ୍ଡରେ ଶକ୍ତ ମାଡ ହୋଇ ପ୍ରଚୁର ରକ୍ତ ଶ୍ରାବ ହୋଇଥିଲା । ଏ ସଂପର୍କରେ ଖବର ପାଇ ସୁରପ୍ରତାପପୁର ଫାଣ୍ଡି ପୋଲିସ ଦୁର୍ଘଟଣା ସ୍ଥଳରେ ପହଁଚି ବାପା-ଝିଅ ଉଭୟଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ ଓ ତାଙ୍କ ବାପାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ମୃତ ଝିଅ ର ନାମ ସ୍ୱାତୀ ସୁଚରିତା ଜେନା (୧୬) ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇ ତାଙ୍କ ମାମୁ ଘରକୁ ବୁଲିବାକୁ ଆସୁଥିଲେ । ବାପା ଙ୍କ ନାମ ଅଭିରାମ ଜେନା । ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଭୁବନ ପୋଲିସ ଟ୍ରକକୁ ଜବତ କରି କେଶ ନଂ୯୪/୨୦୨୩ ରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ଏହି ଘଟଣାରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି ।