ପରୀକ୍ଷା ପୂର୍ବରୁ ୟୁଟ୍ୟୁବ୍‌ରେ ପ୍ରଶ୍ନୋତ୍ତର

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ରାଜ୍ୟରେ ଗତ ୨୧ ତାରିଖରୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବାର୍ଷିକ ପରୀକ୍ଷା ଚାଲିଛି। ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବେ। ତେବେ ଛାତ୍ରୀଛାତ୍ର ପରୀକ୍ଷା ଦିବସରେ ଯେଉଁ ବିଷୟ ଉପରେ ପରୀକ୍ଷା ଦେବେ, ସେହି ବିଷୟର ପ୍ରଶ୍ନୋତ୍ତର ପୂର୍ବଦିନରୁ ଏକ ନିର୍ଦ୍ଦିଷ୍ଟ ୟୁଟ୍ୟୁବ୍‌ ଚାନେଲରେ ଉପଲବ୍ଧ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏ ସମ୍ପର୍କରେ ବରଗଡ଼ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କୁ ପଚାରିବାରୁ ଏହାର ଯାଞ୍ଚ କରାଯିବ ବୋଲି କହିଛନ୍ତି ।

ବରଗଡ଼ ଜିଲା ସୋହେଲା ବ୍ଲକ ସରକଣ୍ଡା ଗ୍ରାମର ଜଣେ ଅଭିଭାବକ ହର ବଣିଆ କହିଛନ୍ତି, ତାଙ୍କ ଝିଅ ସପ୍ତମ ଶ୍ରେଣୀରେ ପରୀକ୍ଷା ଦେଉଛନ୍ତି। ବୁଧବାର ଗଣିତ ପରୀକ୍ଷା ଥିଲା। ତେବେ ସମ୍ପୃକ୍ତ ୟୁଟ୍ୟୁବ୍‌ ଚାନେଲରେ ମଙ୍ଗଳବାରରୁ ଗଣିତ ବିଷୟ ଉପରେ ଯେଉଁସବୁ ପ୍ରଶ୍ନୋତ୍ତର ପ୍ରସାରିତ ହୋଇଥିଲା, ସେହି ସମାନ ପ୍ରଶ୍ନୋତ୍ତର ପରୀକ୍ଷାରେ ପଡ଼ିଥିବା ଝିଅଙ୍କଠାରୁ ଜାଣିବାକୁ ପାଇଛନ୍ତି। ଏ ନେଇ ସେ ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ଫୋନ୍‌ ଯୋଗେ ଜଣାଇଥିଲେ।

ଅଭିଯୋଗ ଦେବାକୁ ଜିଲାପାଳ ତାଙ୍କୁ କହିବା ପରେ ସେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଅବଗତ କରାଇଥିବା ବଣିଆ କହିଛନ୍ତି। ତେବେ କେବଳ ସପ୍ତମ ଶ୍ରେଣୀର ଗଣିତ ନୁହେଁ, ଅନ୍ୟ ଶ୍ରେଣୀର ପ୍ରଶ୍ନୋତ୍ତର ମଧ୍ୟ ସମ୍ପୃକ୍ତ ୟୁଟ୍ୟୁବ୍‌ ଚାନେଲରେ ଆଗୁଆ ପ୍ରସାରିତ ହେଉଛି ବୋଲି କିଛି ଶିକ୍ଷକ ବି ସ୍ବୀକାର କରିଛନ୍ତି। ଗୁରୁବାର ସପ୍ତମ ଶ୍ରେଣୀର ବିଜ୍ଞାନ ଏବଂ ସଂସ୍କୃତ ପରୀକ୍ଷା ଥିବାବେଳେ ଏହି ବିଷୟର ପ୍ରଶ୍ନୋତ୍ତର ବୁଧବାରରୁ ସେହି ୟୁଟ୍ୟୁବ୍‌ ଚାନେଲରେ ଉପଲବ୍ଧ ହେବା ଘଟଣା ସାଧାରଣରେ ଆଲୋଚନାର ବିଷୟ ହୋଇଛି।