ଓଡ଼ିଶା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

୦୮ ମାର୍ଚ୍ଚ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ପୁରୀ ଜିଲ୍ଲା ସ୍ତରୀୟ ୮୮ ତମ ଓଡିଶା ଦିବସ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓଡିଶା ଦିବସ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ ର ଦିବସ ହୋଇ ଥିବାରୁ ଏହାକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ବ୍ୟବସ୍ଥା କରାଯାଉଛି ବୋଲି କହିଥିଲେ । ଭାଷା ଭିତ୍ତିରେ ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ଓଡ଼ିଆ ଭାଷା କୁ ନେଇ ଆମେ ଗର୍ବ କରୁଛନ୍ତି । ତେଣୁ ଏହି ପବିତ୍ର ଦିବସର ପ୍ରତ୍ୟେକ କାର୍ଯ୍ୟକ୍ରମ କୁ ନିଷ୍ଠାର ସହ ପାଳନ କରିବାକୁ ସେ ଅନୁରୋଧ କରିଥିଲେ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଏଡିଏମଓ ଡା ବିରଜା ଶଙ୍କର ରଥ ପ୍ରମୁଖ ଯୋଗ ଦେଇ ଓଡ଼ିଶା ଦିବସ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ । ବିସ୍ତୃତ ଆଲୋଚନା ପରେ ସ୍ଥିର ହେଲା ଯେ ଅପ୍ରେଲ ୧ ତାରିଖ ପ୍ରାତଃ ୫ ଘଟିକା ସମୟରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯିବ । ପୌରପାଳିକା ଓ ସଦର ବ୍ଲକ ପକ୍ଷରୁ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବ ।ଓଡିଶା ଦିବସ ଅବସରରେ ବିଭିନ୍ନ ସରକାରୀ ବେସରକାରୀ, ରାଷ୍ଟ୍ରାୟତ ଉଦ୍ୟୋଗ କାର୍ଯ୍ୟାଳୟ,ବ୍ୟାଙ୍କ ଇତ୍ୟାଦି ସେମାନଙ୍କ କାର୍ଯ୍ୟାଳୟ ଗୁଡିକୁ ଆଲୋକ ମାଳାରେ ସଜ୍ଜିତ କରିବା, ସ୍ୱାଗତ ତୋରଣ ନିର୍ମାଣ କରିବାକୁ ଅନୁରୋଧ କରାଗଲା । ସଂଧ୍ୟାରେ ସଂସ୍କୃତି ଭବନ ଠାରେ ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଗତ ବର୍ଷ ମାନଙ୍କ ଭଳି ନୀଳଚକ୍ର ସାମାଜିକ ଓ ସାଂସ୍କୃତିକ ସଂଗଠନ ସହଯୋଗ ରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଦ୍ଵାରା ଆୟୋଜନ କରାଯାଇ ଓଡିଶା ଦିବସରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ।

ଆଇନଶୃଙ୍ଖଳା ରକ୍ଷା, ପାନୀୟ ଜଳ ଯୋଗାଣ,ଅଗ୍ନିଶମ ସେବା ଓ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା ଇତ୍ୟାଦି ପାଇଁ ସମ୍ପୃକ୍ତ ବିଭାଗ କୁ ଅନୁରୋଧ କରାଯାଇଛି । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ ସହ କାର୍ଯ୍ୟସୂଚୀ ଅନୁସାରେ ବୈଠକ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ରାମଚନ୍ଦ୍ର ପଟ୍ଟନାୟକ, ଅତିରିକ୍ତ ପୌରନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା,ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ପଞ୍ଚାୟତ ଅଧିକାରୀ ବଳରାମ ପୃଷ୍ଟି,

କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ଗଣମାଧ୍ୟମ ପ୍ରତିନିଧି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଯଜ୍ଞେଶ୍ୱର ମହାନ୍ତି,ଓଡିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦୂର୍ଗା ମାଧବ କର,ଏସ ସି ଏସ କଲେଜ ଏନସିସି ଅଫିସର ଡ ସଞ୍ଜୟ କୁମାର ସୁନ୍ଦର ରାୟ, ସମାଜସେବୀ ଚକ୍ରଧର ମହାପାତ୍ର, ଶିବ ସୁନ୍ଦର ମିଶ୍ର, ବଦ୍ରି ମିଶ୍ର, ଅନାମ ଚନ୍ଦ୍ର ସାହୁ, ଗୀତାଞଳି ପଣ୍ଡା, ରବୀନ୍ଦ୍ରନାଥ ପଟ୍ଟନାୟକ, ସଂଗୀତ ନିର୍ଦେଶକ ଆଲୋକ ମହାପାତ୍ର ଓ ବିଭିନ୍ନ ବିଭାଗର କର୍ମଚାରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।