ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ

ଓଡ଼ିଶା ତାଜା ନ୍ୟୁଜ (୭ ନଭେମ୍ବର ସୋମବାର) ନୂଆଦିଲ୍ଲୀ :- ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାସମାରୋହରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଓ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥିବା ଜଣାଯାଇଛି। ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବସଂଘ ଦ୍ଵାରା ଆୟୋଜିତ ଏହି ମହୋତ୍ସବରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଜନସାଧାରଣ, ସେମାନଙ୍କର ପରିବାର ବର୍ଗ ଓ ବନ୍ଧୁ ପରିଜନଙ୍କ ସହିତ ସାମିଲ ହୋଇଥିବା ଦେଖାଯାଇଥିଲା। ଚଳିତ ବର୍ଷ ବିନା କୋଭିଡ କଟକଣା ମଧ୍ୟରେ ଏହି ପାର୍ବଣ ପାଳନ କରାଯାଉଥିବାରୁ ଉପସ୍ଥିତ ଦର୍ଶକ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଏବଂ ଉଦ୍ଦୀପନା ପରିଲ୍ଲଖିତ କରାଯାଇଥିଲା । ଏହି ଉପଲକ୍ଷେ ବୋଇତ ବନ୍ଦାଣର ସ୍ଥାନ ମନ୍ଦିରପାର୍ଶ୍ଵରେ ଥିବା ଫୁଆରା ତଥା ସମ୍ପୁର୍ଣ୍ଣ ମନ୍ଦିର ପରିସରକୁ ଖୁବ ସୁନ୍ଦର ଭାବରେ ସଜ୍ଜାଯିବା ସହିତ ସମଗ୍ର ପରିବେଶ ଉତ୍ସବ ମୁଖର ହୋଇପଡ଼ିଥିବା ଲକ୍ଷ୍ୟ କରଯାଇଥିଲା । ବଢ଼ିଭୋରରୁ ପୂଜାରୀ ମାନେ ମୁଖ୍ୟ ମନ୍ଦିର ମଧ୍ୟରେ ଦିଅଁ ମାନଙ୍କର ସ୍ଵତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ଏହାପରେ ଫୁଆରାର ପୋଖରୀରେ ଭାସମାନ ଥିବା ସୁନ୍ଦର ଓ ସୁସଜ୍ଜିତ ବୋଇତଟିକୁ ପୂଜାରୀ ପୂଜା କରିବା ସାଙ୍ଗକୁ ଉପସ୍ଥିତ ମହିଳାମାନେ ବୋଇତର ବନ୍ଦାପନା କାର୍ଯ୍ୟ ସମ୍ପନ୍ନ କରିଥିଲେ । ପରେ ପରେ ମନ୍ଦିରର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନଙ୍କର ତତ୍ତ୍ଵାବଧାନରେ ଉପସ୍ଥିତ ଅତିଥି ବୃନ୍ଦ ପାରମ୍ପରିକ ଢଙ୍ଗରେ “ଆ, କା, ମା, ବୈ …” ଉଚ୍ଚାରଣ କରିବା ସହିତ ସୁଶୋଭିତ ବୋଇତଟିର ଯାତ୍ରାର ଶୁଭାରମ୍ଭ କରାଇଥିଲେ । ସମଗ୍ର ଗଗନ ପବନ ହରିବୋଲ, ହୁଳୁହୁଳି ଏବଂ ଶଙ୍ଖ ଧ୍ଵନି, ଭଜନ, କୀର୍ତ୍ତନର ସୁଲଳିତ ସ୍ୱରଝଙ୍କାର ତଥା ଘଣ୍ଟ, ଝାଞ୍ଜ, କର୍ତ୍ତାଳ ଓ ମୃଦଙ୍ଗ ଆଦି ବାଦ୍ୟ ଯନ୍ତ୍ରର ଘୋର ଘର୍ଗର ନାଦରେ ପ୍ରକମ୍ପିତ ହୋଇ ଉଠିଥିବା ବେଳେ ଓଡ଼ିଆ ଜାତିର ମାନ, ସମ୍ମାନ ଓ ସ୍ବାଭିମାନର ପ୍ରତୀକ ବୋଇତଟି ଫୁଆରାର ଚତୁଃପାର୍ଶ୍ୱରେ ପରିଭ୍ରମଣ କରିବାର ଦୃଶ୍ୟ ବେଶ ନିଆରା ଓ ମର୍ମସ୍ପର୍ଶୀ ଥିଲା ।ସତେଯେପରି ଏହା ଓଡ଼ିଶାର ସୌର୍ଯ୍ୟ, ବୀର୍ଯ୍ୟ ଓ ଗାମ୍ଭିର୍ଯ୍ୟର ପ୍ରତିନିଧି ଭାବରେ ସାଧବ ପୁଅ ମାନଙ୍କର ସୁଦୂର ବାଲିଦ୍ଵୀପକୁ ବେପାର, ବାଣିଜ୍ୟ ପାଇଁ ଯାତ୍ରା କରୁଥିବା ଉପାଖ୍ୟାନର ସାଙ୍କେତିକ ରୂପାୟନ ଭଳି ମନେ ହେଉଥିଲା । ପରିସ୍ଥିତି ଓ ପରିବେଷ୍ଟନୀ ଓଡ଼ିଶାର ସ୍ବର୍ଣ୍ଣାଭ ନୌବାଣିଜ୍ୟର ଇତିହାସ, ମହାନ ସାମରିକ ପରମ୍ପରା ଏବଂ ମହନୀୟ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ଢେରସାରା କାହାଣୀ ବଖାଣି ଚାଲିଥିବା ପରି ଲାଗୁଥିଲା । ଏହି ଅବସରରେ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ତରଫରୁ ସ୍ଵାଦିଷ୍ଟ ହବିଷ ପ୍ରସାଦରେ ଆପ୍ୟାୟିତ କରାଯାଇଥିଲା ।ସମଗ୍ର ବୋଇତ ବନ୍ଦାଣ ଉତ୍ସବକୁ ବିପୁଳ ଭାବରେ ସଫଳ କରାଇବାରେ ଶ୍ରୀ ନୀଳାଚଳ ସେବାସଂଘର ସମ୍ପାଦକ ରବିନ୍ଦ୍ରନାଥ ପ୍ରଧାନ, ସଦସ୍ୟ ବୃନ୍ଦ ଯଥା ବିଘ୍ନେଶ୍ୱର ରାଉତ, ଗଜେନ୍ଦ୍ର ସାମନ୍ତ, ଅଶୋକ ପ୍ରଧାନ (କ), ପଙ୍କଜ ମହାନ୍ତି, କ୍ଷୀରୋଦ ପାତ୍ର, ଜୀତେନ୍ଦ୍ର ମହାପାତ୍ର, ଅଜୟ ପ୍ରଧାନ, ଅଶୋକ ପ୍ରଧାନ (ଖ), ନିଷିଦ୍ଧ କୁମାର ଦାସ, ରଙ୍କନିଧି ସାହୁ, ଅଭୟ ପ୍ରଧାନ ଓ ମନ୍ଦିର ପରିଚାଳକ ରଶ୍ମି ରଂଜନ ବେହେରା ପ୍ରମୁଖଙ୍କର ଭୂମିକା ବେଶ ଉଲ୍ଲେଖଯୋଗ୍ୟ ଥିଲା ।