No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩ ଅକ୍ଟୋବର ,ସୋମବାର) ଭୁବନେଶ୍ୱର :- ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଗଭୀର ଶୋକପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ବାଚସ୍ପତି ଶ୍ରୀ ଆରୁଖ କହିଛନ୍ତି ଯେ ଗରିବ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିବା ଏହି ଜନନେତାଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ବରଗଡ଼ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ସେ ଜଣେ ଲୋକପି୍ରୟ ରାଜନେତା ଥିଲେ । ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ପାଞ୍ଚ ଥର ରାଜ୍ୟ ବିଧାନସଭାକୁ ପ୍ରତିନିଧିତ୍ୱ କରିବା ସହ ୨୦୦୯ ମସିହାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଭାବେ ନିଷ୍ଠା ଓ ପ୍ରତିବଦ୍ଧତାର ସହ ଦାୟିତ୍ୱ ନିର୍ବାହ କରିଥିଲେ । ରାଜ୍ୟର ସର୍ବାଙ୍ଗୀନ ବିକାଶ ଦିଗରେ ତାଙ୍କର ଉଲ୍ଲେଖନୀୟ ଭୂମିକା ଥିଲା । ବାଚସ୍ପତି ଶ୍ରୀ ଆରୁଖ ଦିବଂଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
ଆଜି ପୂର୍ବାହ୍ନ ୯.୩୦ ସମୟରେ ସ୍ୱର୍ଗତ ବରିହାଙ୍କ ମରଶରୀର ବିଧାନସଭା ପରିସରରେ ପହଞ୍ଚିବା ପରେ ବିଧାନସଭା ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ବିଧାନସଭା ପରିସରରେ ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ବିରୋଧି ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର, ସାଂସଦ ସୁଲତା ଦେଓ, ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷ ଶ୍ରୀମତୀ ମିନତୀ ବେହେରା, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ସଂସଦୀୟ ବ୍ୟାପାର ବିଭାଗର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ମନମୋହନ ବାରିକ, ଭୁବନେଶ୍ୱର ଡିସିପିଙ୍କ ସମେତ ବିଧାନସଭାର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ମାନେ ସ୍ୱର୍ଗତ ବରିହାଙ୍କ ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
No Result
View All Result