ଜଟଣୀ ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନ ଅଭଯୋଗ ଶୁଣାଣି ୩୩ ଟି ଅଭିଯୋଗର ତତ୍କାଳ ଫଇସଲା

ଓଡ଼ିଶା ତାଜା ନ୍ୟୁଜ୍ /୨୪ ମଇ ମଙ୍ଗଳବାର/ଭୁବନେଶ୍ୱର :- ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ଜଟଣୀ ବ୍କକ ଗସ୍ତ କରି ପଞ୍ଚାୟତ ସମିତି ନିକଟସ୍ଥ ରାଜୀବଗାନ୍ଧୀ ସେବା କେନ୍ଦ୍ର ସମ୍ମିଳନୀ କକ୍ଷରେ ବ୍କକର ବିଭନ୍ନ ଅଂଚଳରୁ ଆସିଥିବା ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୨୨୨ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ୨୧୫ ଟି ବ୍ୟକ୍ତିଗତ ସମସ୍ୟା ଓ ୬ଟି ସାମୁହିକ ସମସ୍ୟା ସଂପର୍କିତ ଥିଲା । ୩୩ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲାବେଳେ ଅବଶିଷ୍ଟ ଦରଖାସ୍ତଗୁଡିକ ସଂପର୍କରେ ତୁରନ୍ତ ଫଇସଲାକରି ୧୫ ଦିନ ମଧ୍ୟରେ କାର୍ଯ୍ୟନୁଷ୍ଠାନ ବିବରଣୀ ପ୍ରଦାନ କରିବାକୁ ଜିଲ୍ଲାପାଳ ସଂପୃକ୍ତ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗୃହୀତ ଅଭିଯୋଗ ଗୁଡିକ ମୁଖ୍ୟତଃ ବ୍ଲକ, ତହସିଲ, ଗ୍ରାମ୍ୟ ଉନ୍ନୟନ , ଶିକ୍ଷା ବିଭାଗ ଓ ପାନୀୟ ଜଳ ଯୋଗାଣ ସଂପର୍କିତ ଥିଲା । କେତେକ ଅଭିଯୋଗ ସାମାଜିକ ବନୀକରଣ, ସରକାରୀ ଜମିରୁ ଜବରଦଖଲ ଉଛେଦ, ସାମାଜିକ ସୁରକ୍ଷାରେ ଭତ୍ତା ପ୍ରଦାନ, ସ୍ୱାସ୍ଥ୍ୟ ସେବା ଆଦି ସଂକ୍ରାନ୍ତୀୟ ଥିଲା । ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଆର୍ଥିକ ସ୍ୱଚ୍ଛଳ ନଥିବା, ଅସହାୟ ତଥା ନିତାନ୍ତ ସହାୟତା ଆବଶ୍ୟକ କରୁଥିବା ୧୩ ଜଣ ହିତାଧିକାରୀଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ମୋଟ ୧ ଲକ୍ଷ ୩୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶ୍ରୀ ମନୋଜ କୁମାର ପାଢୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀରାଣୀ ଗୁମାନ ସିଂ, ପ୍ରକଳ୍ପ ନିର୍ଦ୍ଦେଶକ,ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା,ଶ୍ରୀ ଦିଗନ୍ତ କୁମାର ରାଉତରାୟ,

ଉପ ଜିଲ୍ଲାପାଳ,ଭୁବନେଶ୍ୱର ଶ୍ରୀ ଦେବବ୍ରତ ସାହୁ, ଏସିପି-ଜୋନ୍-୩ ଶ୍ରୀ ରଜତ ରାୟ, ଜଟଣୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ଛୋଟରାୟ, ଜଟଣୀ ପୌରାଂଚଳ ଅଧ୍ୟକ୍ଷ ଶ୍ରୀ ଅନନ୍ତ ବେହେରା, ମଣ୍ଡଳ ଉନ୍ନୟନ ଅଧିକାରୀ , ଜଟଣୀ ଶ୍ରୀ ସରୋଜ କୁମାର ରାଉତ, ତହସିଲଦାର, ଶ୍ରୀ ତପନ କୁମାର ମହାପାତ୍ରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନ ଅଭିଯୋଗ ଶୁଣାଣିରେ ସହଯୋଗ କରିଥିଲେ ।

 

ଏହି ଅଭିଯୋଗ ଶୁଣାଣିରେ ବହୁ ଜନସମାଗମକୁ ଦୃଷ୍ଚିରେ ରଖି ଜଟଣୀ ପଂଚାୟତ ସମିତି ପକ୍ଷରୁ ବ୍ୟାପକ ସୁବିଧା କରଯାଇଥିଲା । କୋଭିଡ୍ କଟକଣା କୋହଳ ହେବା ପରେ ଏହା ଜିଲ୍ଲାରେ ଜିଲ୍ଲାପାଳଙ୍କ ୬ଷ୍ଠ ଜନଶୁଣାଣି ହୋଇଥିବାରୁ ଆଜି ଏଠାକୁ ବହୁ ସଂଖ୍ୟାରେ ଜନସାଧାରଣ ଅଭିଯୋଗ ନେଇ ଆସିଥିଲେ ।