ଅଦିନିଆ ଲଗାଣ ବର୍ଷାରେ ହଜାରରୁ ଅଧିକ ଏକର ଧାନଚାଷ ପ୍ରଭାବିତ ଜିଲ୍ଲା କୃଷକ ସଂଘର କ୍ଷତିପୂରଣ ପାଇଁ ୭ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ

ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ନଭେମ୍ବର ମଙ୍ଗଳବାର )ପାରଳାଖେମୁଣ୍ଡି  :-  ଗଜପତି ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା । ଚଳିତ ବର୍ଷ ପାଗ ଅନୁକୂଳ ଥିବା ଯୋଗୁଁ ଚାଷୀକୁଳ ବେଶ ଖୁସିଥିଲେ ଯେ ଧାନ ଭଲ ଅମଳ ହେବ ବୋଲି । ହେଲେ ଧାନ ପାଚି କାଟିବା ସମୟ ହେବା ବେଳକୁ ଚାଷୀ ମୁଣ୍ଡରେ ଚଡକ ପଡିଛି । ଏହି ଲଘୁଚାପ ଜନିତ ଲଗାଣ ବର୍ଷାରେ ବିଶେଷ କରି ଗଜପତି ଜିଲ୍ଲାର କାଶୀନଗର ଓ ଗୋସାଣି ବ୍ଲକଅଞ୍ଚଳର ଚାଷୀକୁଳ ପ୍ରଭାବିତ ହୋଇଛନ୍ତି । ବାରମ୍ବାର ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ଧାନ ଜମି ଜଳମଗ୍ନ ହୋଇ ଗଛରେ ଥିବା ପାଚିଲା ଧାନ କେଣ୍ଡା ସେହି ଜଳମଗ୍ନରେ ପଡି ଶୋଇପଡିଛି । ଚାଷୀ ଶ୍ରୀ ଡି: ଆପାଲା ସ୍ୱାମୀଙ୍କ ସମେତ ୱାଇ:ଶୁବାରାଓ , ୱାଇ: ରାମଦାସ  , ୱାଇ: ଲକ୍ଷ୍ମନ ରାଓ ଏବଂ ଟି. ଆପ୍ପାରାଓ ପ୍ରମୁଖ ଅଭିଯୋଗ କରି କହିଛନ୍ତି ଯେ , ଚଳିତଥର ପାଗ ଅନୁକୂଳ ଥିବା ଦେଖି ବହୁଟଙ୍କା ଋଣବାଡ଼ ତଥା ଧାରକରଜ କରି ଧାନ ଚାଷରେ ଲଗାଇଥିଲୁ , ଫସଲ ମଧ୍ୟ ଭଲ ହୋଇଥିଲା । ଭଲ ଦୁଇ ପଇସା ଆସିବ ବୋଲି ଭାବିଥିଲୁ ହେଲେ ବାରମ୍ବାର ଲଘୁଚାପ ଜନିତ ଲଗାଣ ବର୍ଷା ଆମ ଫସଲ ସବୁ ଉଜୁଡ଼ାଇ ଦେଲା । ଧାନଗଛ ସହ ଧାନକେଣ୍ଡା ସବୁ ଜମିର ଭର୍ତ୍ତି ପାଣିରେ ଶୋଇପଡିଛି । ଆଉ ସେଥିରୁ କିଛି ହେଲେ ବାହାରିବନି ।

ସବୁ ପୋଚକା ପ୍ରାୟ ହୋଇଗଲାଣି ବୋଲି କହିଛନ୍ତି ଏଭଳି ଧାନ ପୋଚକା ଓ ନଷ୍ଟକୁ ନେଇ ପ୍ରଭାବିତ ହୋଇଥିବା ଜିଲ୍ଲାର କ୍ଷୁଦ୍ର ଓ ନାମମାତ୍ରା ଚାଷୀ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲା କୃଷକ ସଂଘ ସଭାପତି ଶ୍ରୀ ସୂର୍ଯ୍ୟନାରାୟଣ ପଟନାୟକଙ୍କ ନେତୃତ୍ୱରେ କ୍ଷତିପୂରଣ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରାସ୍ତ ହୋଇଛନ୍ତି । ସେମାନେ ୭ ଦଫା ଦାବୀନେଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।ଦାବୀ ଗୁଡିକ ମଧ୍ୟରେ ରହିଛି, ମୁଖ୍ୟତଃ ଅଦିନିଆ ବର୍ଷାରେ ଗରିବ ଚାଷୀଙ୍କ ଧାନ ଫସଲ ସମ୍ପୂର୍ଣ୍ଣଭାବେ ଉଜୁଡିଯାଇଛି , ତାର ସଠିକ ଆକଳନ କରାଯାଇ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆଯାଉ ।ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀଙ୍କୁ ସେମାନଙ୍କ କ୍ରପ ବୀମା କ୍ଳେମ ପ୍ରାପ୍ୟ ଯୋଗାଇ ଦିଆଯାଉ ।ଆସନ୍ତା ଦିନରେ ସମ୍ଭାବ୍ୟ ଲଘୁଚାପ ଓ ଅଦିନିଆ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ଧାନ ଘୋଡାଇବା ପାଇଁ ଯଥେଷ୍ଟ ପରିମାଣରେ ଟାରପୋଲିନ ଯୋଗାଇ ଦିଆଯାଉ । ଏଭଳି ଅନେକ ଯଥାର୍ଥ ଦାବୀ ଗୁଡିକ ସମ୍ପର୍କରେ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀକୁ ଅବଗତ କରାଯାଇଛି