ପଲିଟିକାଲ୍ ସିଇଓ କନ୍‌କ୍ଲେଭ୍ ୨୦୨୧ ପ୍ରତି ରାଜନୈତିକ ଦଳର ନିଜ ପାଇଁ ଲଢ଼େଇ ; ବାଚସ୍ପତି ଓଡ଼ିଶା ଜାମ୍ମୁ ଓ କାଶ୍ମୀର ପାଇଁ ସରକାରଙ୍କ କୌଣସି ଦୃଢ଼ ଯୋଜନା ନାହିଁ – ମାରୁଫ୍ ରାଜା

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ନଭେମ୍ବର , ସୋମବାର ) ଭୁବନେଶ୍ୱର :- ଓଡ଼ିଶାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ଦେଶରେ ଥିବା ରାଜନୈତିକ ଦଳଗୁଡ଼ିକ ନିଜ ପାଇଁ ହିଁ କେବଳ ଲଢ଼େଇ କରୁଛନ୍ତି । ଇନଷ୍ଟିଚିଚ୍ୟୁଟ୍ ଅଫ୍ ପଲିଟିକାଲ୍ ଏଟଂରପ୍ରେନ୍ୟୁଅର୍ସ ଆଣ୍ଡ୍ ଇଲେକ୍ସନ ମ୍ୟାନେଜମେଂଟ୍ (ଆଇପିଇଇଏମ୍‌) ପକ୍ଷରୁ ଆୟୋଜନ କରାଯାଇଥିବା ପଲିଟିକାଲ୍ ସିଇଓ କନ୍‌କ୍ଲେଭ ୨୦୨୧ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ସବୁ ଦଳ ନିଜ ପାଇଁ କାମ କରୁଛନ୍ତି । ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ କଂଗ୍ରେସ ଲଢ଼େଇ କରୁଛି । ସାରା ଦେଶରେ କିଭଳି ରାଜୁତି କରିହେବ ସେଥିପାଇଁ ବିଜେପି ଲଢ଼େଇ କରୁଛି । ଆଉ ଆଂଚଳିକ ସ୍ତରରେ ରାଜନୈତିକ ଦଳଗୁଡ଼ିକ କିଭଳି ତିଷ୍ଠି ରହିପାରିବେ ସେଥିପାଇଁ ଲଢ଼େଇ କରୁଛନ୍ତି । ସେ ସ୍ୱାଧୀନତା ସଂଗ୍ରାମ ସମୟ ଓ ଜରୁରୀକାଳୀନ ସ୍ଥିତି ପରବର୍ତୀ ସମୟର ରାଜନୈତିକ ଦୃଶ୍ୟପଟ୍ଟ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । କିଭଳି ମହାତ୍ମା ଗାନ୍ଧୀ ଓ ଜବାହାରଲାଲ ନେହେରୁଙ୍କ ଭଳି ବିଦେଶରେ ପାଠପଢ଼ିଥିବା ବ୍ୟକ୍ତି ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବାକୁ ଆଗେଇ ଆସିଥିଲେ ସେ ବିଷୟରେ ଆଲୋଚନା କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧୀ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିବା ପରବର୍ତୀ ସମୟରେ କିଭଳି ଅନେକ ତୁଙ୍ଗ ନେତାଙ୍କ ଅଭ୍ୟୁଦୟ ହୋଇଥିଲା ସେ ବିଷୟରେ ମଧ୍ୟ ଶ୍ରୀ ପାତ୍ର ଆଲୋଚନା କରିଥିଲେ । ଏହି ଅବସରରେ ପ୍ରତିରକ୍ଷା ଅନୁଶୀଳନକାରୀ ତଥା ରଣନୀତି ପରାମର୍ଶଦାତା ମାରୁଫ୍ ରାଜା ଉଦବୋଧନ ଦେଇ ଯେଉଁ ଭଳି ଭାବେ କାଶ୍ମୀର ପ୍ରସଙ୍ଗକୁ ସରକାର ମୁକାବିଲା କରୁଛନ୍ତି ତାହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ସେ କହିଛନ୍ତି ଯେ ସରକାର କେବଳ ଗୋଟିଏ ଝଟ୍‌କାରେ କିଭଳି ଧାରା ୩୭୦କୁ ହଟାଇ ହେବ ସେଥିପାଇଁ ଯୋଜନା କରିଥିଲେ ।

ଏହା ପରେ ଜାମ୍ମୁ ଓ କାଶ୍ମୀର କିଭଳି ବିକାଶ ହେବ କିମ୍ବା ଏହା କିଭଳି ଆଗକୁ ବଢ଼ିବ ସେ ନେଇ ସରକାରଙ୍କ କୌଣସି ବଳିଷ୍ଠ ଯୋଜନା ନାହିଁ । ଏଭଳି କୌଣସି ବ୍ଲୁ ପ୍ରିଂଟ୍‌ ସରକାର ତିଆରି କରିନାହାନ୍ତି । ବହୁ ଲୋକଙ୍କ ପାଇଁ କାଶ୍ମୀର କେବଳ ଧନ୍ଦା ହୋଇ ରହିଯାଇଛି ବୋଲି ସେ କହିଛନ୍ତି । ଆପ୍‌ନା ଭାରତ ମୋର୍ଚାର ସଭାପତି ଅଶୋକ ତନୱାର କହିଛନ୍ତି ଯେ ଓଡ଼ିଶାରେ ସ୍ଥାପନ କରାଯାଇଥିବା ଅନୁଷ୍ଠାନ ଆଇପିଇଇଏମ୍ କେବଳ ଓଡ଼ିଶା ପାଇଁ ନୁହେଁ ବରଂ ସମଗ୍ର ଦେଶ ଲାଗି ଭବିଷ୍ୟତର ରାଜନୈତିକ ନେତା ତିଆରି କରିବ । ଏହି ଅନୁଷ୍ଠାନରେ ଉଦୀୟମାନ ନେତାମାନଙ୍କୁ ସମ୍ପୂର୍ଣ୍ଣ ରାଜନୈତିକ ପରିଚାଳନା ବ୍ୟବସ୍ଥ। । ବୁଝିବା ଲାଗି ସହାୟତା ପ୍ରଦାନ କରାଯିବ । କିଭଳି ରାଜନୈତିକ ରଣନୀତି ପ୍ରସ୍ତୂତ କରାଯାଏ ତାହା ଶିଖାଯିବ । ଏହା ରାଜ୍ୟରେ ଅନେକ ରାଜନୈତିକ ବ୍ୟବସାୟୀ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ରାଜନୀତିରେ ପଛୁଆ ଥିବା ଯୁବକଯୁବତୀ, ମହିଳା ଓ ଉପେକ୍ଷୀତ ବର୍ଗର ଲୋକମାନେ କିଭଳି ପ୍ରଯୁକ୍ତିକୁ ବ୍ୟବହାର କରି ପ୍ରତିଷ୍ଠିତ ରାଜନେତାମାନଙ୍କ ସହ ସମକକ୍ଷ ହୋଇପାରିବେ ସେହି ଶିକ୍ଷା ଏହି ଅନୁଷ୍ଠାନରେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ଆଇପିଇଇଏମ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ କୈଳାସ ସିଂହ କହିଛନ୍ତି ଯେ ଅନୁଷ୍ଠାନର ମୂଳ ଉଦ୍ଦେଶ୍ୟ ହେଉଛି ରାଜନୀତିରେ ପ୍ରବେଶ କରିବାକୁ ଚାହୁଥିବା କିମ୍ବା ରାଜନୀତିର ଅଂଶ ହେବାକୁ ଚାହୁଥିବା ଆଗ୍ରହୀ ଲୋକମାନଙ୍କୁ ଏହି ଅନୁଷ୍ଠାନରେ ସମୃଦ୍ଧ କରାଯିବ ।

ନୂଆ ରାଜନେତାମାନେ ସଂହତି, ରାଜନୈତିକ ମୂଲ୍ୟବୋଧ ଓ ଉତମ ପ୍ରଶାସନକୁ ଭଲ ଭାବେ ବୁଝିପାରିବେ । ସେମାନେ ଏଠାରୁ ବାହାରିବା ପରେ ସରକାର ଓ ଦଳକୁ ଉତମ ଉପଦେଶ ଦେଇପାରିବେ ଏବଂ ନିର୍ବାଚନ ପରିଚାଳନାରେ ପ୍ରମୁଖ ଭୂମିକା ତୁଲାଇ ପାରିବେ । ଏହି ଅବସରରେ ଡକ୍ଟର ଡି କେ ଗିରିଙ୍କ ଦ୍ୱାରା ଲିଖିତ ପୁସ୍ତକ “ଡୁନଟ୍‌ ଲାଫ୍ ଆଟ୍ ପଲିଟିକ୍ସ’କୁ ମାନ୍ୟଗଣ ଅତିଥିମାନେ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପିଏମ୍‌ଓର ପୂର୍ବତନ ନିର୍ଦେଶକ ସତ୍ୟ ନାରାୟଣ ସାହୁ, ରାଜନୈତିକ ପ୍ରବକ୍ତା ଅଭୟ ଦ୍ୱିବେଦୀ, ରାଜନେତ୍ରୀ ମନୋଜା ମଂଜରି ଦେବୀ, ସୁମାକର ସେଂଟର ଦିଲ୍ଲୀର ନିର୍ଦେଶକ ଡକ୍ଟର ଡି କେ ଗିରି, ସମ୍ବାଦର ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକ, ରାଜନୈତିକ ବକ୍ତା ଦେବ ପ୍ରସାଦ ଦାଶ, ପଲିଟେକ୍‌ର ସଦସ୍ୟ ଶିଶିର ମିଗଲାନି, ଓଡ଼ିଶା ବିଧାନସଭାର ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ଅର୍ଥମନ୍ତ୍ରୀ ଅମ୍ବିକା ପ୍ରସାଦ କାନୁନଗୋ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନ, ରାଜନେତା ପ୍ରଦୀପ କୁମାର ମାଝି, ସିୱାଇଏସ୍‌ଡିର ସହ ପ୍ରତିଷ୍ଠାତା ପ୍ରଫୁଲ କୁମାର ସାହୁ, ବିଧାୟକ, ସଂଜୀବ ମଲ୍ଲିକ, ଭିନ୍ନକ୍ଷମ କମିସନର ସୁଲୋଚନା ଦାସ, ରେଭେନ୍ସା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ନେତାଜୀ ଅଭିନନ୍ଦନ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଡବ୍ଲୁଏସଆରସିର ପୂର୍ବନ ନିର୍ଦେଶିକା ଡକ୍ଟର ଉର୍ମିଳା ଦାସ, ବିଏସୟୁର ଇଂରାଜି ବିଭାଗ ମୁଖ୍ୟ ପ୍ରଫେସର ଦିପ୍ତୀ ପଟ୍ଟନାୟକ ଓ ହରିଷ ବିଜୁର ଉପସ୍ଥିତ ଥିଲେ ।