ଆବାସ ଯୋଜନାରେ ପନ୍ଦର ଶହ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଫାସରେ କନିଷ୍ଠ ଯନ୍ତ୍ରୀ ରଶ୍ମୀ ରଞ୍ଜନ ବେହେରା – ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅକ୍ଟୋବର ରବିବାର) ଢେଙ୍କାନାଳ :- ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ରଶ୍ମୀ ରଞ୍ଜନ ବେହେରା ଆବାସ ଯୋଜନାରେ ଜଣେ ହିତାଧିକାରୀଙ୍କ ଠାରୁ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସୂଚନାଯୋଗ୍ୟ, ହିନ୍ଦୋଳ ଏନ୍ଏସି ୬ ନମ୍ବର ୱାର୍ଡ ଶରଧାପୁର ଅଞ୍ଚଳର ଶାନ୍ତି ନାୟକ ଘରଟିଏ ପାଇଁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଆବେଦନ କରିଥିଲେ।

ତେବେ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ରଶ୍ମୀ ରଞ୍ଜନ ବେହେରା ହିତାଧିକାରୀଙ୍କ ଠାରୁ ଏ ବାବଦରେ ତିନି ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଫଳରେ ହିତାଧିକାରୀ ୧୫୦୦ ଟଙ୍କା ଲାଞ୍ଚ ଦେଇଥିବା ବେଳେ ବାକି ଟଙ୍କା ନଦେଲେ ବିଲ ପାସ୍ ହେବ ନାହିଁ ବୋଲି କହିଥିଲେ ।

ଏ ନେଇ ହିତାଧିକାରୀ ଶାନ୍ତି ନାୟକ ଭିଜିଲାନ୍ସ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ବିଭାଗ ୨୧/୨୦୨୧ ରେ ଏକ ମାମଲା ରୁଜୁ କରି ଯୋଜନା ମୁତାବକ ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ରଶ୍ମୀ ରଞ୍ଜନ ବେହେରା ହିତାଧିକାରୀଙ୍କ ଠାରୁ ପନ୍ଦର ଶହ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀ କାବୁ କରିଥିଲେ।ତାଙ୍କ ଠାରୁ କେମିକାଲ ଲଗା ଟଙ୍କା ଜବତ ହୋଇଥିଲା ।

ପରେ ଭିଜିଲାନ୍ସ ଟିମ୍ ଯନ୍ତ୍ରୀ ଶ୍ରୀ ବେହେରାଙ୍କ ପୈତୃକ ବାସଭବନରେ ଚଢ଼ାଉ କରିଥିଲେ । ଚଢ଼ାଉରେ ଅନୁଗୋଳ ଭିଜିଲାନ୍ସ ବିଭାଗର ଡିଏସପି ଏସ୍ କେ ମହାନ୍ତି, ଇନ୍ସପେକ୍ଟର ପି କେ ସାମଲ ଏସ୍ ଆଇ ସିଦ୍ଧାର୍ଥ ରାଉତ ପ୍ରମୁଖ ସାମିଲ ଥିଲେ ।