ପ୍ରେମିକ ଘର ସମ୍ମୁଖରେ ଧାରଣା ଦେଲା ପ୍ରେମିକା,ମା-ପୁଅ ଘରେ ତାଲା ପକାଇ ଫେରାର

ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର,ଶୁକ୍ରବାର ) ଦେବଗଡ/ରିଆମାଳ :- ପ୍ରେମ ନାଁରେ ଦୀର୍ଘବର୍ଷ ଦୈହିକ ସମ୍ପର୍କ ରଖିବାପରେ ଜଣେ ଯୁବକ ବିବାହ କରିବାକୁ ମନା କରିବାରୁ ପ୍ରେମିକା ଜଣକ ପ୍ରେମିକଙ୍କ ଘର ସମ୍ମୁଖରେ ଧାରଣା ଦେବା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରେମିକାଙ୍କ ଏଭଳି କାଣ୍ଡ ଦେଖି ଉକ୍ତ ପ୍ରେମିକ କୁଣ୍ଢେଇଗୋଳା ଥାନା ଜରାଛାଟ ଗାଁର ରାଜୁ ଓରଫ୍‌ ରାଜେନ୍ଦ୍ର ସାହୁ ନିଜ ଘରେ ତାଲା ପକେଇ ବିଧବା ମାଆ ମେଘି ସାହୁଙ୍କୁ ସାଙ୍ଗରେ ନେଇ ଗାଁରୁ ଫେରାର୍‌ ମାରିଥିବା ଜଣାପଡିଛି । ଗାଁଲୋକଙ୍କ ଠାରୁ ଖବରପାଇ କୁଣ୍ଢେଇଗୋଳା ପୁଲିସ ପହଞ୍ଚି ଧାରଣରତ ଯୁବତୀଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିବା ବେଳେ ଉକ୍ତ ଯୁବତୀ ଜଣକ ନିଜ ପ୍ରେମିକ ଓ ତାଙ୍କ ମାଆଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ

କରିଥିବା ଜଣାପଡିଛି । ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ରିଆମାଳ ବ୍ଲକ ଅନ୍ତର୍ଗତ ପରା ପଞ୍ଚାୟତ ଜରାଛାଟ ଗାଁର ସ୍ୱର୍ଗଳଈନ୍ଦ୍ରମଣୀ ସାହୁଙ୍କ ଏକମାତ୍ର ପୁଅ ରାଜେନ୍ଦ୍ର । ଗତ ୬ ବର୍ଷ ତଳେ ହାଇସ୍କୁଲରେ ପଢୁଥିବା ବୁଢାପାଳ ପୁଲିସ୍‌ ବିଟ୍‌ ଅଞ୍ଚଳର ଉକ୍ତ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲା । ରାଜେନ୍ଦ୍ର ମ୍ୟାଟ୍ରିକ୍‌ ପରେ ନିକଟ ପରା ଗାଁର ଜଣେ ଠିକାଦାରଙ୍କ ପାଖରେ ରହି ମୁନସି କାମ କରୁଥିବା ବେଳେ କଲେଜ ପଢିବାକୁ ଯାଉଥିବା ଉକ୍ତ ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୈହିକ ସମ୍ପର୍କ ରଖିଥିଲା । ତେବେ ଏହା ଭିତରେ ଉକ୍ତ ଯୁବତୀ ଜଣକ ବିବାହ ପାଇଁ ଜିଦ୍‌ ଧରିଥିଲେ । ଫଳରେ ଏହାକୁ ନେଇ ଉଚ୍ଚବାଚ ହେବାସହ

ରାଜେନ୍ଦ୍ର ସାହୁ କୁଆଡେ ଗତ ୧୨ ତାରିଖ ତାଙ୍କୁ ବିବାହ କରିବାକୁ ରୋକଠୋକ୍‌ ମନା କରିଥିଲେ । ତେବେ ଏକଥା ଜାଣିବା ପରେ ଯୁବତୀ ଜଣକ ଛେଣ୍ଡିପଦା ନିଜ ବିବାହିତା ଝିଅଘରେ ରହୁଥିବା ରାଜେନ୍ଦ୍ରଙ୍କ ମାଆଙ୍କୁ ଖବର ଦେଇଥିବା ବେଳେ ସେ ମଧ୍ୟ ତାଙ୍କୁ ଗାଳିଗୁଲକରିଥିଲେ । ତେବେ ରାଜେନ୍ଦ୍ରଙ୍କ ମାଆ ମେଘି ଆଜି ସୁଦଶା ବ୍ରତ ପାଳନ ପାଇଁ ନିଜ ଗାଁକୁ ଆସିଥିବାର ଖବରପାଇ ଯୁବତୀ ଜଣକ ନିଜ ଭାଇଙ୍କ ସହ ଏକ ବାଇକ୍‌ ଯୋଗେ ପ୍ରେମିକ ଘରକୁ ପହଞ୍ଚିଥିଲେ। ତେବେ ରାଜେନ୍ଦ୍ର ଓ ମାଆ ମେଘି ତାଙ୍କୁ ଗାଳିଗୁଲଜ କରିବାସହ ଧକ୍କାମାରି ଘରୁ ବାହାର କରିଦେଇଥିଲେ । ଯୁବତୀ ଜଣକ ସମାଧାନ ପାଇଁ ଗାଁଲୋକଙ୍କୁ ସମସ୍ତ ଘଟଣା ବଖାଣିବାସହ ପ୍ରେମିକ ଘର ସମ୍ମୁଖରେ ଧାରଣା ଦେଇଥିଲେ। ଅନ୍ୟପକ୍ଷରେ ଉକ୍ତ ମା-ପୁଅ ଲୋକଲଜ୍ଜ୍ୟାରୁ ଘରେ ତାଲା ଲଗାଇ ଗାଁରୁ ଫେରାର୍‌ ମାରିଥିବା ବେଳେ ପୁଲିସ ପହଞ୍ଚି ଯୁବତୀଙ୍କୁ ବୁଝାସୁଝା କରି ଥାନାକୁ ଆଣିଥିଲା ।