ବୌଦ୍ଧ ଜିଲ୍ଲା ଗଞ୍ଜେଇ ମାଫିଆଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି : ୨ ମାସରେ ୧୦୦ କ୍ୟୁଣ୍ଟାଲ ଗଞ୍ଜେଇ ଜବତ

ଦୁଇମାସ ମଧ୍ୟରେ ଜିଲ୍ଲା ପୁଲିସ ପାଖାପାଖି ୧୦୦ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କରିବା ଜିଲା ପାଇଁ ଏକ ନୂଆ ରେକର୍ଡ ।

୨୭ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବୌଦ୍ଧ :- ବୌଦ୍ଧ ଜିଲ୍ଲା ଗଞ୍ଜେଇ ମାଫିଆଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି । ପ୍ରତିଦିନ ଚଢାଉ କରାଯାଇ ବ୍ୟାପକ ମାତ୍ରାରେ ଗଞ୍ଜେଇ ଜବତ କରାଯାଉଥିଲେ ମଧ୍ୟ ଏହି ବେଆଇନ କାରବାର ଥମିବାର ନାମ ନେଉନାହିଁ । ଅପରପକ୍ଷେ ଗଞ୍ଜେଇ ମାଫିଆଙ୍କୁ ପରୋକ୍ଷ ସହଯୋଗ ଯୋଗାଇ ମାଲେମାଲ ହୋଇଥିବା କିଛି ପୁଲିସ ଅଧିକାରୀ ଓ କର୍ମଚାରୀ ଦୀର୍ଘଦିନ ହେଲା ଗୋଟିଏ ଥାନା କିମ୍ବା ଫାଣ୍ଡିରେ ରହିବା ଏହି କାରବାରକୁ ଅଧିକ ସୁହାଉଥିବା ଆଲୋଚନା ହେଉଅଛି । ପୂର୍ବତନ ଏସପି ନିୟମିତ ଭାବରେ ଗଞ୍ଜେଇ କାରବାର ଉପରେ ଚଢାଉ ଆରମ୍ଭ କରିଥିଲେ । ବିପୁଳ ଭାବରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ସରକାରୀ ଭାବରେ ରେକର୍ଡ କରାଯାଇଛି । କିନ୍ତୁ ଜିଲ୍ଲାରେ ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଯୁବ ଆଇପିଏସ ଅଧିକାରୀ ରାଜ ପ୍ରସାଦ ଯୋଗଦେବା ପରେ ପୁଲିସ ପକ୍ଷରୁ ବ୍ୟାପକ ଓ ବିପୁଳ ମାତ୍ରାରେ ଗଂଜେଇ ଧରାପଡିବା ଗଞ୍ଜେଇ ଚାଷ ନଷ୍ଟ ଅଭିଯୋନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୁଇମାସ ମଧ୍ୟରେ ଜିଲ୍ଲା ପୁଲିସ ପାଖାପାଖି ୧୦୦ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କରିବା ଜିଲା ପାଇଁ ଏକ ନୂଆ ରେକର୍ଡ । ଜିଲ୍ଲାରୁ ପ୍ରତିଦିନ ଗଞ୍ଜେଇ ବାହାରକୁ ଚାଲାଣ ହେଉଥିବାବେଳେ ପୁଲିସ ହାତରେ ଧରାପଡୁଥିଲେ ମଧ୍ୟ ବେପାରି ମାନେ ଏହାକୁ ଆଦୌ ଖାତିର କରୁନାହାନ୍ତି । ବୌଦ୍ଧ ପୁଲିସ ବରପଦର ଗାଁ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ୫ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଏନେଇ ପୁଲିସ ପକ୍ଷରୁ ଥାନା କେସ ନଂ ୧୫୫/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କିନ୍ତୁ ପୁଲିସ ଅଭିଯୁକ୍ତ ମାନଙ୍କ ଟେର ପାଇପାରିନାହିଁ । ତେବେ ଲଗାତାର ଭାବରେ ଏହିଭଳି ଚଢାଉ ଜାରି ରହିଲେ ଗଞ୍ଜେଇ ମାଫିଆମାନଙ୍କ ମଧ୍ୟରେ ହତାଶ ଭାବ ସୃଷ୍ଟି ହେବ ଏବଂ ଏହି ବେଆଇନ କାରବାର ଉପରେ ଅଙ୍କୁଶ ଲାଗି ପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଅଛି ।