ଭୀମକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ

୧୫ ଫେବୃଆରୀ ,ବୁଧବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ଫେବୃଆରୀ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଓ ଅତିଥିମାନଙ୍କ ଆଗମନ ହୋଇଥିଲା। ପ୍ରଥମ ଦିବସରେ ଗ୍ରାମର ଇଷ୍ଟଦେବତା ରାମେଶ୍ଵର ମହାଦେବ ପୀଠରୁ ମଶାଳଯାତ୍ରା ହୋଇ ବିଦ୍ୟାଳୟ ପରିସରରେ ସ୍ଥାପିତ ହୋଇଥିଲା। ପ୍ରଥମ ଦିବସରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଖେଳକୁଦ ହୋଇଥିଲା। ଦ୍ଵିତୀୟ ଦିବସରେ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା , ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି, ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ ,ଭୀମକେଲା ସରପଂଚ ଜାନକୀ ଗଉଡ, ସମିତି ସଭ୍ୟା ସୁମିତ୍ରା ମାଝୀ, ଶାନ୍ତି ନାନୀ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରାଣପ୍ରତିଷ୍ଠାତା ସ୍ଵର୍ଗତ ଭଗବାନ ଦାଶଙ୍କ ଗୁଣଗାନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ବିଦ୍ୟାଳୟ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଭୋଇ ବିଦ୍ୟାଳୟର ବିବରଣୀ ପଠନ କରିଥିଲେ। ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ଅତିଥିଗଣ ସମ୍ମାନିତ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦେବଦତ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶେଷରେ କୁନି କୁନି ଛାତ୍ରଛାତ୍ରୀମାନେ ନାଚ, ଗୀତ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଭୋଇ ଶେଷରେ ଧନ୍ୟବାଦ ଅର୍ପଣ କରି ଉତ୍ସବ ସଭା ସାଙ୍ଗ କରିଥିଲେ।

Exit mobile version