୧୨ ଫେବୃଆରୀ ରବିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଗଜପତି :- ନୂଆଗଡ଼ ବ୍ଲକ ଅନ୍ତର୍ଗତ ପୁଟୁରୁପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉନୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ମାସାଧିକ ସମୟ ହେଲାଣି ପାଣିର ଉତ୍କଟ ଅଭାବ ଦେଖା ଦେଇଛି । ପାଣିର ଅଭାବ ସମସ୍ୟା ରହିଥିବାରୁ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି, 
ବିଦ୍ୟାଳୟ ପରିସରରେ ଥିବା ଛାତ୍ରାବାସରେ ରହୁଥିବା ଅନ୍ତେବାସୀ ମାନଙ୍କ ନିମନ୍ତେ ଦୁଇ ଓଳା ରୋଷେଇ କରିବା ଓ ଛାତ୍ରାବାସର ୪୦ଜଣ ଅନ୍ତେବାସୀ ଙ୍କ ନିତ୍ୟକର୍ମ ବ୍ୟବହାର ନିମନ୍ତେ ଯଥା ଶୌଚକର୍ମ , ସ୍ନାନ କରିବା ଓ ପୋଷାକପତ୍ର ସଫା କରିବା ନିମନ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବିଷୟରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କଲେ ମଧ୍ୟ କୌଣସି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ତତ୍ପରତା ଓ ସମାଧାନର ବ୍ୟବସ୍ଥା ହୋଇପାରୁନାହିଁ । ଫଳରେ କମ ବୟସର ପିଲାମାନେ ବାଧ୍ୟ ହୋଇ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଅସୁରକ୍ଷିତ ତଥା ଅତି କମ ପାଣି ଥିବା ଝରଣାକୁ ଯାଇ ଶୌଚ ଓ ସ୍ନାନ କରୁଥିବା ଛାତ୍ର ମାନେ କହିଛନ୍ତି । ରୋଷେଇ କରିବା ପାଇଁ ମଧ୍ୟ ସେହି ଝରଣାରୁ ହିଁ ପାଣି ନେଇ ରୋଷେଇ କରୁଥିବା ରୋଷେୟା କହିଛନ୍ତି । ଏହି ବିଦ୍ୟାଳୟ ପରିସରରେ ଥିବା ଛାତ୍ରାବାସରେ ୪୦ ଜଣ ଛାତ୍ର ଏବଂ ଅଙ୍ଗନବାଡ଼ି କେନ୍ଦ୍ର ରେ ୩୦ ଜଣ ସେହିଭଳି ବିଦ୍ୟାଳୟରେ ୧୬୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପରିସରରେ ଥିବା ଦୁଇଟି ନଳକୂଅ ରୁ ପାଣି ଆସୁନାହିଁ । ଦୁଇଟି ସ୍ୱାସ୍ଥ୍ୟକର କୂଅ ଅଛି କିନ୍ତୁ ପାଣି ନାହିଁ । ଶୌଚାଳୟ ଅଛି କିନ୍ତୁ ହୋଇପାରୁନି ବ୍ୟବହାର । ଶାହା ଭରସା ପାଲଟିଛି ଝରଣା ପାଣି । ନାଳ ପାଣିରେ ଶୌଚ ଓ ସ୍ନାନ କରିବାକୁ ଯାଆନ୍ତି ଛାତ୍ର ଅନ୍ତେବାସୀଗଣେ । ଏହି ଭଳି ପ୍ରତ୍ୟେକ ବର୍ଷ ସମସ୍ୟା ହେଉଥିବା ବି କହିଛନ୍ତି । ଏହାର ସମାଧାନ ପାଇଁ ଛାତ୍ରାବାସ ନିକଟରେ ଏକ ବହୁକ୍ଷମତା ବିଶିଷ୍ଟ ବୋର କୂଅ ଖୋଳା ଯାଇ ପାଣି ଟାଙ୍କ ସହ ସୌରଶକ୍ତି ମୋଟର ସଂଯୋଗ କରାଗଲେ ଏପରି ଅସୁବିଧା ଦୂର ହୋଇପାରିବ ଏବଂ ବ୍ଲକ ର ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଓ ଛାତ୍ର ମାନେ ଦାବି କରିଛନ୍ତି । ଏବିଷୟ ନେଇ ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳର କନିଷ୍ଟ ଯନ୍ତ୍ରୀ(୧) ପ୍ରଭାକର ମୁନି କହିଛନ୍ତି କିଛି ଦିନ ଭିତରେ ବୋର୍ ଖୋଲି ସ୍ଥାୟୀ ସମାଧାନ କରାଯିବ ବୋଲି କହିଛନ୍ତି ।
