୧୧ ଫେବୃଆରୀ,ଶନିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକର ସାରଙ୍ଗଡ଼-କ.ନୂଆଗାଁ ମୁଖ୍ୟ ସଡ଼କର ଡାମେରିକିଆ ବୁଲାଣିରେ ଶୁକ୍ରବାର ରାତି ଗୋଟିଏ ସ୍ଥାନରେ ଦୁଇ ଦୁଇଟି କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତି ହେଲେ ପ୍ରକାଶ ମନ୍ଦାର । ସୂଚନା ଅନୁସାରେ ଶୁକ୍ରବାର ରାତି ନଅଟା ସମୟରେ ଗୋଟିଏ କାର ଫୁଲବାଣୀରୁ ବାଲିଗୁଡ଼ା ଯାଉଥିବା ସମୟରେ ଡାମେରିକିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟି ହୋଇଯାଇଥିଲା । 
ସେହି ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ବାହାର କରିବା ପାଇଁ କିଛିଲୋକ ଘଟଣାସ୍ଥଳରେ ଠିଆ ହୋଇଥିବା ସମୟରେ ଫୁଲବାଣୀରୁ ବାଲିଗୁଡ଼ାକୁ ଦ୍ରୁତ ଗତିରେ ଯାଉଥିବା ସମୟରେ ଅନ୍ୟ ଏକ କାର (ଓଡି ୦୫ ଏବି୨୮୮୩) ଲୋକଙ୍କୁ ଧକ୍କା ଦେଇ ଗଛରେ ପିଟି ହୋଇଥିଲା । ଯାହାଫଳରେ ଜଣେ ଗୁରୁତର ହେବାସହ ଅନ୍ୟ କେତେଜଣ ଖଣ୍ଡିଆ ଖାବରା ହୋଇଥିଲେ । ପ୍ରକାଶ ମନ୍ଦାର ନାମକ ଜଣେ ଗୁରୁତର ବ୍ୟକ୍ତିଙ୍କୁ ଫୁଲବାଣୀ ଡାକ୍ତରଖାନା ନେବା ସମୟରେ ସେ ବାଟରେ ମୃତ୍ୟୁବରଣ କରିଥିଲେ । ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଡ୍ରାଇଭର ବର୍ତ୍ତମାନ ବାଲିଗୁଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବାରମ୍ବାର ସେହି ଗୋଟିଏ ସ୍ଥାନରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ତରଫରୁ କିଛି ବି ପଦକ୍ଷେପ ନିଆଯାଉନାହିଁ । ଦୁର୍ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବାପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।
