ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରର ଶାନ୍ତ ଓ ସ୍ନିଗ୍ଧ ପରିବେଶ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ କରି ମୁଁ ଦିବ୍ୟ ଆନନ୍ଦ ଲାଭ କରିଛି- ରାଷ୍ଟ୍ରପତି ପୂଜାର୍ଚ୍ଚନା କରି ଦେଶବାସୀଙ୍କ ସୁଖ, ସମୃଦ୍ଧି ତଥା ବିଶ୍ୱକଲ୍ୟାଣ ପାଇଁ କଲେ ପ୍ରାର୍ଥନା

୧୧ ଫେବୃଆରୀ,ଶନିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଆଜି ସକାଳେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା ଭୁବନେଶ୍ୱରେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ମାନ୍ୟବର ରାଷ୍ଟ୍ରପତି ତାଙ୍କର ୨ ଦିନିଆ ଓଡିଶା ଗସ୍ତ ପରିପ୍ରେକ୍ଷୀରେ ଆଜି ସକାଳୁ ରାଜଭବନରୁ ବାହାରି ନିର୍ଦ୍ଧାରିତ ସକାଳ ୯ଟା ୧୫ ମିନିଟ୍ ସମୟରେ କଡା ସୁରକ୍ଷା ବଳୟ ମଧ୍ୟରେ ଲିଙ୍ଗରାଜ ମନ୍ଦିର ଠାରେ ପହଁଚିଥିଲେ । ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଷ୍ଟ୍ରପତି ମହୋଦୟାଙ୍କୁ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ସିଂହଦ୍ୱାର ଠାରେ ରାଷ୍ଚ୍ରପତି ମହୋଦୟା ପହଁଚିବା ପରେ ସେଠାରେ ଉପସ୍ଥିତ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଶ୍ରୀ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ମାନ୍ୟବର ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ ପୁର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେ ପରେ ମାନ୍ୟବର ରାଷ୍ଟ୍ରପତି ପାରମ୍ପରିକ ପ୍ରଥା ଅନୁସାରେ ଚାଲି ଚାଲି ବିନ୍ଦୁ ସାଗରରେ ପାଦ ଧୌତ କରିଥିଲେ ।
