ମା’ ରମାଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ୨୦୪୭ ସୁଦ୍ଧା ଭାରତକୁ ବୈଭବଶାଳୀ ରାଷ୍ଟ୍ରରୂପେ ଗଢିବା ପାଇଁ ସମସ୍ତଙ୍କର ମିଳିତ ପ୍ରୟାସ ଲୋଡା – ରାଷ୍ଟ୍ରପତି

୧୦ ଫେବୃଆରୀ, ଶୁକ୍ରବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :– ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସକାଳେ ଭୁବନେଶ୍ୱରରେ ପହଁଚିଥିଲେ । ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ମାନ୍ୟବର ରାଷ୍ଟ୍ରପତି ଆଜି ଦିବା ୧୧ଟା ୪୧ ମିନିଟ୍ ସମୟରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବା ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ପରେ ପରେ ରାଜ ଭବନଠାରେ ମଧ୍ୟାହ୍ନ ଭୋଜନ ସାରି ସେ ଅପରାହ୍ନ ୪ଟା ୦୫ ମିନିଟ୍ ସମୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରୀ,ଅଧ୍ୟାପିକା ଓ ଅଧ୍ୟାପକମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବା ସହିତ ଜଣେ ପୁରାତନ ଛାତ୍ରୀଭାବେ ଏଠାରେ ବିତାଇଥିବା ନିଜ ପୁରୁଣା ଦିନର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ମାନ୍ୟବର ରାଷ୍ଟ୍ରପତି ମା ରମାଦେବୀଙ୍କ ପ୍ରତି ସାଦର ଶ୍ରଦ୍ଧା, ସୁମନ ଅର୍ପଣ କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଉତ୍କଳର ଅନ୍ୟ ବରପୁତ୍ରମାନଙ୍କୁ ପ୍ରଣିପାତ କରିଥିଲେ । ଏହି ଅନୁଷ୍ଠାନର ପୁରାତନ ଛାତ୍ରୀଭାବେ ସେ ନିଜକୁ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ ମନେ କରି ସେ ସମୟର ଅଧ୍ୟାପିକା ବିଣାପାଣି ମହାନ୍ତି ଓ ଶକୁନ୍ତଳା ବଳିୟାର ସିଂଙ୍କର ନାମ ନେଇ ସେତେବେଳର ଅଧ୍ୟାପକ ଓ ଅଧ୍ୟାପିକାଙ୍କର ଶିକ୍ଷାଦାନ ପଦ୍ଧତି ସେମାନଙ୍କୁ ଅନୁପ୍ରାଣିତ କରୁଥିଲା ବୋଲି କହିଥିଲେ ।
