୧୦ ଫେବୃଆରୀ, ଶୁକ୍ରବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ଖେଦାପାଲି ଗ୍ରାମର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଉପହାର ପରିବାର”ର ରୌପ୍ଯଜୟନ୍ତୀ ଅବସରରେ ଖେଦାପାଲି ଗ୍ରାମର ୨୭ଜଣ ଯୁବକଯୁବତୀ ଚକ୍ଷୁଦାନ ପାଇଁ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି । ଏହି ଅବସରରେ ଏକ ସଭା ଖେଦାପାଲିର ସରସ୍ବତୀ ପୂଜା ପେଣ୍ଡାଲଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବୁର୍ଲା ମେଡିକାଲ୍ କଲେଜର ଚକ୍ଷୁ ବିଶେଷଜ୍ଞ ଡାକ୍ତର ସସ୍ମିତା ସାହୁ, ସମ୍ମାନିତ ଅତିଥି ରୂପେ ଡାକ୍ତର ସ୍ନିଗ୍ଧା ତ୍ରିପାଠୀ ଏବଂ ମୁଖ୍ୟ ବକ୍ତା ରୂପେ ସଞ୍ଜୀବ ମହାପାତ୍ର ଯୋଗଦାନ କରି ଚକ୍ଷୁଦାନର ମହତ୍ତ୍ଵ ସହ ଅନ୍ୟାନ୍ୟ ଜରୁରୀ ତଥ୍ୟ ଉପସ୍ଥାପନ କରିଥିଲେ । 
ଅନ୍ୟତମ ଅତିଥି ଭାବେ ପୂର୍ବତନ ସରପଞ୍ଚ ଶରତ ଅଦାବର ଏବଂ ଆହ୍ଲାଦ ପ୍ରଧାନ ମଧ୍ୟ ସଭାରେ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ଗ୍ରାମର ଯୁବକଯୁବତୀଙ୍କ ଚକ୍ଷୁଦାନର ଉତ୍ସାହ ଦେଖି ଡାକ୍ତର ସ୍ନିଗ୍ଧା ତ୍ରିପାଠୀ ନିଜେ ମଧ୍ୟ ନିଜର ଚକ୍ଷୁଦାନ ପାଇଁ ମଞ୍ଚରେ ଘୋଷଣା କରିଥିଲେ । ବରଗଡର କାଉନସିଲର ପ୍ରିୟା ତାଣ୍ଡି ଏବଂ ତାଙ୍କ ସ୍ବାମୀ କମଲ ତାଣ୍ଡି ମଧ୍ୟ ଚକ୍ଷୁଦାନ ପାଇଁ ଚୁକ୍ତିନାମା ସ୍ବାକ୍ଷର କରିଥିଲେ । ଏହି କାର୍ଯ୍ୟକ୍ରମର ଆୟୋଜନରେ ଉପହାର ପରିବାରର ସଂପାଦକ ପ୍ରତାପ ପ୍ରଧାନଙ୍କ ସମେତ ସମସ୍ତ ସଭ୍ୟ ଏବଂ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ଉପହାର ପରିବାରର ସଭାପତି ଉମେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
