ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ‘କୋର୍ଟ ମନିଟର୍ଡ’ ନୁହେଁ : ପିତାମ୍ବର ଆଚାର୍ଯ୍ୟ

ନବ ଦାସ ହତ୍ୟାକାଣ୍ଡର ତଦନ୍ତ ପ୍ରକ୍ରିୟା ପ୍ରସଙ୍ଗରେ

1. କେଉଁ ନ୍ୟାୟିକ ଆଦେଶ ବଳରେ ଜଣେ ଅବସରପ୍ରାପ୍ତ ଜଜ୍‌ଙ୍କ ଦ୍ୱାରା ତଦନ୍ତର ତଦାରଖ କରାଯାଉଛି, ସ୍ପଷ୍ଟ କରନ୍ତୁ ରାଜ୍ୟ ସରକ

2. ହତ୍ୟାର ୧୦ ଦିନ ପରେ ବି କ୍ରାଇମବ୍ରାଂଚ ଜାଣିପାରିଲା ନାହିଁ ଯେ କାହିଁକି ଗୋପାଳ ହତ୍ୟା କରିଲା !

3. ହତ୍ୟା ପଛର ଷଡଯନ୍ତ୍ରର କାରଣ କଣ ଓ କିଏ ସେ ଷଡଯନ୍ତ୍ରକାରୀ ?

4. ଅବସରପ୍ରାପ୍ତ ଜଜ୍‌ଙ୍କ ଦ୍ୱାରା ତଦାରଖ କରାଇ କ୍ରାଇମବ୍ରାଂଚ ଉପରେ ବିଶ୍ୱାସ ନଥିବାର ପ୍ରମାଣିତ କରିଛନ୍ତି ମୁଖ୍ୟମନ୍ତ୍ରୀ

5. ସମ୍ବେଦନଶୀଳ ଅପରାଧ ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟଙ୍କୁ ପକ୍ଷଭୁକ୍ତ କରାନଯାଉ

6. ସ୍ୱଚ୍ଛତା ପାଇଁ ଘଟଣାର ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ ମୁଖ୍ୟମନ୍ତ୍ରୀ

୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ନବ ଦାସଙ୍କ ହତ୍ୟା ଘଟିବା କ୍ଷଣି ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଂଚ ଦ୍ୱାରା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ । ପର ମୁହୁର୍ତରେ ମାନ୍ୟବର ହାଇକୋର୍ଟ ରେଜିଷ୍ଟ୍ରାରକୁ ଚିଠି ଲେଖି ତଦନ୍ତକୁ ତଦାରଖ କରିବା ପାଇଁ କହି କ୍ରାଇମବ୍ରାଂଚ ଉପରେ ତାଙ୍କ ନିଜର ବିଶ୍ୱାସ ନଥିବାର ପ୍ରମାଣିତ କଲେ ମୁଖ୍ୟମନ୍ତ୍ରୀ । ଅବସରପ୍ରାପ୍ତ ଜଜ୍ ଶ୍ରୀ ଜେ.ପି.ଦାସଙ୍କ ତତ୍ୱାବଧାନରେ ତଦନ୍ତ କରିବାକୁ ମାନ୍ୟବର ହାଇକୋର୍ଟ କୈାଣସି ଜୁଡିସିଆଲ ନିର୍ଦ୍ଦେଶ ଦେଇନାହାନ୍ତି । ବାସ୍ତବରେ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ‘କୋର୍ଟ ମନିଟର୍ଡ’ ନୁହେଁ ଏବଂ ତଦାରଖ କରୁଥିବା ଅବସରପ୍ରାପ୍ତ ଜଜ୍ ଶ୍ରୀ ଜେ.ପି.ଦାସଙ୍କ ନିଯୁକ୍ତି ସଂପୂର୍ଣ୍ଣ ବେଆଇନ ।

ମାନ୍ୟବର ହାଇକୋର୍ଟ ଓଡିଶା ସରକାରଙ୍କ ଆଇନ ଉପଦେଷ୍ଟା ନୁହନ୍ତି । ମାନ୍ୟବର ହାଇକୋର୍ଟଙ୍କୁ କଣ ଲେଖାଗଲା, କିଏ ଲେଖିଲେ ଏବଂ କେଉଁ ଦରଖାସ୍ତ ଉପରେ ମାନ୍ୟବର ହାଇକୋର୍ଟ ଏକ ନ୍ୟାୟିକ ତଦନ୍ତର ନିର୍ଦ୍ଦେଶ ପ୍ରଦାନ କରିଲେ ? କେଉଁ ଆବେଦନ କିମ୍ବା ଆଦେଶ ବଳରେ ଜଣେ ଅବସରପ୍ରାପ୍ତ ଜଜ୍‌ଙ୍କ ଦ୍ୱାରା ତଦନ୍ତର ତଦାରଖ କରାଯାଉଛି, ତାର ସ୍ପଷ୍ଟୀକରଣ ରାଜ୍ୟ ସରକାର ରଖିବାକୁ ବିଜେପି ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବି ଶ୍ରୀ ପିତାମ୍ବର ଆଚାର୍ଯ୍ୟ ଦାବୀ କରିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ନବ ଦାସଙ୍କ ପ୍ରକୃତ ଷଡଯନ୍ତ୍ରକାରୀ ଓ ହତ୍ୟାକାରୀକୁ ଖସାଇ ଦେବାର ବିରାଟ ଷଡଯନ୍ତ୍ର ରଚାଯାଉଛି । ହାଇକୋର୍ଟ ଭଳି ଏକ ସାମ୍ବିଧାନିକ ବ୍ୟବସ୍ଥାକୁ ବିବାଦ ଭିତରକୁ ଟାଣି ରାଜ୍ୟ ସରକାର ନିଜେ କରିଥିବା ପାପକୁ ଧୋଇବା ପାଇଁ ଚେଷ୍ଟା କରୁଛନ୍ତି । ମାନ୍ୟବର ହାଇକୋର୍ଟଙ୍କୁ ଏଭଳି ଏକ ସମ୍ବେଦନଶୀଳ ଅପରାଧ ପ୍ରସଙ୍ଗରେ ପକ୍ଷଭୁକ୍ତ କରାନଯାଉ । ତଦନ୍ତକାରୀ ସଂସ୍ଥା ଓ ତଦନ୍ତକାରୀ ଅଧିକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରଷା ନାହିଁ ଏବଂ ଏହାକୁ ପୁଣି ମିଛ ଭାବରେ ଏବେ ‘କୋର୍ଟ ମନିଟର୍ଡ’ ତଦନ୍ତ କହୁଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ଅନ୍ୟପଟେ ନବ ଦାସଙ୍କୁ ହତ୍ୟା ହେବାର ୧୦ ଦିନ ବିତିଗଲାଣି ଏବଂ ବର୍ତମାନ ସୁଦ୍ଧା କ୍ରାଇମବ୍ରାଂଚ ଜାଣିପାରିଲା ନାହିଁ ଯେ କାହିଁକି ଗୋପାଳ ହତ୍ୟା କରିଲା । କିନ୍ତୁ ତଦନ୍ତ ପ୍ରକ୍ରିୟାକୁ ଓଡିଶାବାସୀଙ୍କ ମନରେ ସୃଷ୍ଟି ହୋଇଥିବା ସନ୍ଦେହ ଘନୀଭୁତ ହେବାରେ ଲାଗିଛି । ସାରା ରାଜ୍ୟ ନବ ଦାସଙ୍କ ହତ୍ୟାରେ ଦୁଃଖୀ ହୋଇଥିବା ବେଳେ ବିଜୁ ଜନତା ଦଳର ବିଧାୟକମାନେ ଉପନିର୍ବାଚନ ଜିତିବା ପାଇଁ ପାଗ ଭିଡିଲେଣି । ଏଥିରୁ ବିଜୁ ଜନତା ଦଳର ଉଦ୍ଦେଶ୍ୟ ସ୍ଫଷ୍ଟ । ମିଛ, ପ୍ରତାରଣା, ପ୍ରହେଳିକା, ଭ୍ରମ ସୃଷ୍ଟି କରି ଓଡିଶାବାସୀଙ୍କୁ ବାରମ୍ବାର ଠକି ଚାଲିଛି ଶାସକ ବିଜେଡି ।

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡୁଥିବାବେଳେ ଏହାର ସମାଧାନ କରି ରାଜ୍ୟବାସୀଙ୍କୁ ଆଶ୍ୱସ୍ଥି ପ୍ରଦାନ କରିବା ପରିବର୍ତେ ଶାସକ ବିଜେଡି ଦ୍ୱାରା ଭୟର ବାତାବରଣ ସୃଷ୍ଟି କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବହୁଚର୍ଚ୍ଚିତ ନବ ଦାସ ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୁମିକା ସାଧାରଣରେ ବହୁ ସନ୍ଦେହ ସୃଷ୍ଟି କରୁଛି ବାଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ନବ ଦାସଙ୍କ ମୃତ୍ୟୁ ପରେ ତାଙ୍କ ଅପରାଧିକ ଚେହେରାକୁ ନେଇ ବହୁ ଚର୍ଚ୍ଚା ଓ ଆଲୋଚନା ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ହେଉଛି । ମାତ୍ର ଜଣେ ଭଦ୍ର, ଦକ୍ଷ, ପାରଙ୍ଗମ ଓ ସ୍ୱଚ୍ଛ ଚେହେରା ଭାବେ ଗ୍ରହଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ସହିତ ସ୍ୱାସ୍ଥ୍ୟ ବିଭାଗ ଭଳି ଏକ ଗୁରୁତ୍‌ଭପୂର୍ଣ୍ଣ ବିଭାଗର ଦାୟୀତ୍ୱ ଦେଇଥିଲେ ।

ଜଣେ ଦକ୍ଷ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗର ଜଣେ ପୋଲିସ ଅଧିକାରୀ ଦିନ ଦ୍ୱିପହରରେ ହତ୍ୟା କରିଲେ । ହତ୍ୟାର ଆଭିମୁଖ୍ୟ କଣ, ଏହା ପଛରେ କିଏ କିଏ ଅଛନ୍ତି, ମୁଖ୍ୟ ଷଡଯନ୍ତ୍ରକାରୀ କିଏ ? ଶାସକ ବିଜେଡିର ବଡ ବଡ ନେତାଙ୍କ ସଂପୃକ୍ତିର ଅଭିଯୋଗ ସଂପର୍କରେ ସାଧାରଣରେ ଚର୍ଚ୍ଚା ହେଉଥିବାରୁ ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ ପ୍ରକ୍ରିୟା ନିହାତି ଭାବେ ସଠିକ୍ ଓ ନିରପେକ୍ଷ ହେବା ସହ ସତ୍ୟାସତ୍ୟ ସାମ୍ନାକୁ ଆସିବା ଉଚିତ୍ । ନିଜ ମନ୍ତ୍ରୀମଣ୍ଡଳର ଜଣେ ଦକ୍ଷ ସହଯୋଗିଙ୍କୁ ହରାଇଥିବା ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ହତ୍ୟାର ସତ୍ୟାସତ୍ୟ ଜାଣିବା ଉଚିତ୍ ବୋଲି ଶ୍ରୀ ଆଚାର୍ଯ୍ୟ କହହିଛନ୍ତି ।

ନିଜ ଧନ, ଜୀବନର ସୁରକ୍ଷା ପାଇଁ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାବେଳେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ଏହି ହତ୍ୟା ଘଟଣାକୁ ଅତ୍ୟନ୍ତ ହାଲୁକା ଭାବେ ନେଉଛନ୍ତି । ସ୍ୱର୍ଗତଃ ଦାସଙ୍କ ମୃତ୍ୟୁକୁ ନେଇ ବିଜେପି ରାଜନୀତି କରୁନାହିଁ ବରଂ ସାମାଜିକ, ନୈତିକତା ଦାୟିତ୍ୱବୋଧତା ଦେଖାଇ ତଦନ୍ତର ଦାୟିତ୍ୱ ସିବିଆଇ ହାତରେ ହସ୍ତାନ୍ତର କରିବାକୁ ଦାବି କରୁଛି । ନିଜ ଉପରେ ଆସ୍ଥାକୁ ବଜାୟ ରଖିବା ସହିତ ହତ୍ୟାକାଣ୍ଡର ସତ୍ୟାସତ୍ୟକୁ ଉନ୍ମୋଚିତ କରିବା ପାଇଁ ଘଟଣାର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିବାକୁ ଶ୍ରୀ ଆଚାର୍ଯ୍ୟ ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଓ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

 

Exit mobile version