x. ବିଜେଡି ଇଙ୍ଗିତରେ କାର୍ଯ୍ୟ କରୁଛି ଓଡ଼ିଶା ପୋଲିସ
x. ବିରୋଧୀ ଦଳର ଜନପ୍ରତିନିଧିଙ୍କୁ ଓଡିଶା ପୋଲିସ ଅସହଯୋଗ କରିବା ଅତ୍ୟନ୍ତ ନିନ୍ଦନୀୟ
୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଦୀର୍ଘବର୍ଷ ଧରି ଓଡ଼ିଶାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୂଷୁଡି ପଡିଛି । ପ୍ରତ୍ୟେକ ଦିନ ହତ୍ୟା, ଲୁଟ୍ତରାଜ୍, ଦୁଷ୍କର୍ମ ଆଦି ଘଟୁଛି । ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତୀ ବେହେରା ପୋଲିସର ଅସଲମୁଖା ଖୋଲିବାର ଦିନ କେଇଟା ଭିତରେ ଦିନ ଦ୍ୱିପ୍ରହରରେ ଦାୟିତ୍ୱରେ ଥିବା ପୋଲିସ ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରିବା ନିଶ୍ଚିତ ଚିନ୍ତାଜନକ ବିଷୟ । ବିଜେଡି ଇଙ୍ଗିତରେ ଓଡିଶା ପୋଲିସ କାର୍ଯ୍ୟ କରୁଥିବାରୁ ରାଜ୍ୟର ପୋଲିସ ଉପରେ ମହିଳା, କୃଷକ, ଦଳିତ, ବଂଚିତ ଆଦିବାସୀ ଆଉ ବିଶ୍ୱାସ କରୁନାହାନ୍ତି । କାହା ଇଙ୍ଗିତରେ ଓଡ଼ିଶା ପୋଲିସ କାର୍ଯ୍ୟ କରୁଛି ତାହା ଓଡ଼ିଶାବାସୀଙ୍କୁ ସ୍ପଷ୍ଟ ଜଣା । ପୋଲିସ ସାଧାରଣ ଲୋକଙ୍କ ମାମଲା ରଖୁନାହାନ୍ତି ।
ଏବେ ରାଜ୍ୟରେ ଏକ ନୂଆ ଓ ବିରଳ କଥା ଦେଖିବାକୁ ମିଳୁଛି । ଯେପର୍ଯ୍ୟନ୍ତ କୋର୍ଟ ନିର୍ଦ୍ଦେଶ ଦେଉନାହାନ୍ତି ସେପର୍ଯ୍ୟନ୍ତ ପୋଲିସ ଏଫଆଇଆର ରଖୁନାହିଁ ନାହିଁ ବୋଲି ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ ସୂଚନା ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀମତୀ ସାହୁ କହିଛନ୍ତି ଯେ, ମାହାଙ୍ଗା ମର୍ଡର କେସ୍ରେ ସଂପୃକ୍ତର ସନ୍ଦେହ କରାଯାଉଥିବା ସେତେବେଳର ମନ୍ତ୍ରୀଙ୍କ ନାଁରେ ଏଫଆଇଆରକୁ ପୋଲିସ ରଖୁନଥିଲା । କୁଳମଣୀ ବରାଳଙ୍କର ପରିବାରର ଅଭିଯୋଗ କ୍ରମେ ଅଗଷ୍ଟ ୨୫, ୨୦୨୧ରେ ସାଲେପୁର କୋର୍ଟ ପୋଲିସକୁ ପୁନଃତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଖାଲି ସେତିକି ନୁହେଁ କୋର୍ଟ ପ୍ରତାପ ଜେନାଙ୍କ କଲ୍ ଡିଟେଲ୍ସ ମାଗିଥିଲେ ମଧ୍ୟ ପୋଲିସ ଦେଇନଥିଲା ।
ସେହିପରି ଆନନ୍ଦ ଟୋପୋଙ୍କ ମୃତ୍ୟୁ ନେଇ ଗତ ଡିସେମ୍ବର ୬ତାରିଖରେ ଓଡ଼ିଶାର ମାନ୍ୟବର ହାଇକୋର୍ଟ ମାମଲା ରୁଜୁ ନକରିବା ନେଇ ପୋଲିସ ଉପରେ କଡା ଟିପ୍ପଣୀ ଦେଇଛନ୍ତି । ଖାଲି ସେତିକି ନୁହେଁ ଜଣେ ଝିଅ ଶାସକ ଦଳର ବିଧାୟକଙ୍କ ଦ୍ୱାରା ଯୌନ ନିର୍ଯ୍ୟାତନା ଶିକାର ହୋଇ ମାମଲା ରୁଜୁ କରିଥିଲେ ମଧ୍ୟ ପୋଲିସ ରଖିନଥିଲା । ଶେଷରେ ମାନ୍ୟବର ହାଇକୋର୍ଟ ଗତ ୩ତାରିଖରେ ଶାସକ ଦଳର ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କିଛିଦିନ ତଳେ ଶାସକ ଦଳର ପ୍ରଭାବଶାଳୀ ନେତା ବଦ୍ରି ନାରାୟଣ ପାତ୍ରଙ୍କ (ଘସିପୁରା ବିଧାୟକ) ପୁଅ ନିର୍ଦ୍ଦେଶ କ୍ରମେ ରାଜନୈତିକ ଉଦ୍ଦେଶ୍ୟ ରଖି ଏକ ଦଳିତ ପିଲାକୁ ଗୁଳି କରାଗଲା । ଗୁଳି କରିଥିବା ପିଲା ପୋଲିସ ଆଗରେ ବଦ୍ରି ନାରାୟଣ ପାତ୍ରଙ୍କ ପୁଅର ନିର୍ଦ୍ଦେଶ କ୍ରମେ ଗୁଳି କରିଥିବା କଥା ସ୍ୱୀକାର କଲେ ମଧ୍ୟ ପୋଲିସ ଗିରଫ କରିବାତ ଦୂରର କଥା ତାଙ୍କୁ ତଦନ୍ତ ପରିସରଭୁକ୍ତ କରିଲା ନାହିଁ ।
କେନ୍ଦୁଝର ଜିଲ୍ଲାର ୩ନଂ ଜୋନ୍ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଅସୀମା ମିଶ୍ରଙ୍କୁ ଆନନ୍ଦପୁର ପଂଚାୟତ ସମିତି ବୈଠକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ଚାଲିଥିବା ସମୟରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଜିଲ୍ଲା ପରିଷଦ ସଭ୍ୟା ଅସୀମା ମିଶ୍ରଙ୍କୁ ଅତ୍ୟନ୍ତ ଖରାପ ଶବ୍ଦରେ ଗାଳିଗୁଲଜ କରିବା ସହିତ ତାଙ୍କୁ ମାରିଦେବାକୁ ଧମକ ଦେଲେ । ଶ୍ରୀମତୀ ମିଶ୍ର ଏନେଇ ମାମଲା ରୁଜୁ କରିବାକୁ ଆନନ୍ଦପୁର ଥାନାକୁ ଯାଇଥିଲେ । କିନ୍ତୁ ଶାସକ ଦଳର ବିଧାୟକଙ୍କ ବିରୋଧରେ ଏଫଆଇଆର ରଖି ନଥିଲା ପୋଲିସ । ତାପରେ ଶ୍ରୀମତୀ ମିଶ୍ର ଏସ୍ପି, ଡିଜି, ମହିଳା ଆୟୋଗ, ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇ ନିରାଶ ହେବା ପରେ ଶେଷରେ ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ ।
