୭ ଫେବୃଆରୀ ,ମଙ୍ଗଳବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ସପ୍ତମ ସଂଧ୍ୟାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ଭାସ୍କର ଜ୍ୟୋତି ଶର୍ମା, ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଦପଦ୍ମରେ ପୁଷ୍ପଗୁଚ୍ଛ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ସାଂସ୍କୃତିକ ସଂଧ୍ୟାର ଶୁଭାରମ୍ଭ କରିଥିଲେ । ହସ୍ତଶିଳ୍ପ ନିର୍ଦେଶକ, ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର ଏବଂ ସେରିଫେଡର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସରୋଜ କୁମାର ପଟେଲ୍ ଉପସ୍ଥିତ ରହି ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । 
ଆଜି ସନ୍ଧ୍ୟାରେ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ମହୋଦୟା ଓ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ସଞ୍ଜୀବ କୁମାର ଚଢା ଯୋଗଦେଇ ତୋଷାଳୀ ମେଳା ବୁଲି ଦେଖିଥିଲେ । ଚଳିତ ବର୍ଷ ଏହି ମେଳା ପରିସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୧୯୦ରୁ ଊଦ୍ଧ୍ୱର୍ ହସ୍ତତନ୍ତ ଓ ବୟନ କାରିଗର ଅଂଶ ଗ୍ରହଣ କରିଛନ୍ତି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୧୪୫ ଜଣ ବୁଣାକାର ସେମାନଙ୍କର ପାରମ୍ପରିକ ତଥା ସମୃଦ୍ଧ ହସ୍ତତନ୍ତ ଯଥା ପଶାପାଲି, ସୋନପୁରୀ, ସମ୍ବଲପୁରୀ, ବୋମକେଇ, ହବସପୁରୀ, କୋଟପାଡ଼, ବରହମ୍ପୁରୀ ପାଟ ଯୋଡ଼, ସୂତାବସ୍ତ୍ର, ଲୁଙ୍ଗି, ଗାମୁଛା, ଗୀତଗୋବିନ୍ଦ ପାଟବସ୍ତ୍ର, ଡଙ୍ଗରିଆ ଶାଢ଼ି, ଖଣ୍ଡୁଆ, ସିମିନୋଇ(ଟimnଞ୍ଚi) ପାଟ, ଟସର ବସ୍ତ୍ର ଇତ୍ୟାଦି ପ୍ରଦର୍ଶନପୂର୍ବକ ବିକ୍ରିବଟା କରୁଛନ୍ତି । ଏତଦ୍ବ୍ୟତୀତ ଦେଶର ବିଭିନ୍ନ ରାଜ୍ୟ ଯଥା ଉତ୍ତର ପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ଗୁଜୁରାଟ, ଉତ୍ତରାଖଣ୍ଡ, ଛତିଶଗଡ଼, ଝାଡ଼ଖଣ୍ଡ, ଜମ୍ମୁ ଓ କାଶ୍ମୀର, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ବିହାର, ରାଜସ୍ଥାନ, ଦିଲ୍ଲୀ, ଆସାମ, ହରିୟାଣା, ମଣିପୁର ଓ ତାମିଲନାଡୁ ପ୍ରଭୃତି ରାଜ୍ୟରୁ ୫୫ ଜଣ କାରିଗର ସେମାନଙ୍କର ହସ୍ତତନ୍ତ ଓ ବୟନ ଯଥା ସିଲ୍କ ବସ୍ତ୍ର, ଚନ୍ଦେରି, ଚିକନକାରି, ଏମ୍ବ୍ରୋଡୋରି, ଉଲେନ ବସ୍ତ୍ର, ଚଦର, ୱାଲ ହ୍ୟାଙ୍ଗିଗ ଆଦି ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି । ଆଜି ସଂଧ୍ୟାର ସାଂସ୍କୃତିକ କାର୍ଯକ୍ରମରେ ବହୁଚର୍ଚ୍ଚିତ ସୁନାମଧନ୍ୟ ଗାୟକ ଓ ଗାୟିକା ଯଥା ମାନସୀ ପାଣିଗ୍ରାହୀ, ଅଭିଜିତ ଦାସ, ପଙ୍କଜ ଜାଲ, ସୁସ୍ମିତା ଦାସ ଏବଂ ଉଦୀୟ ମାନ କଳାକାର ସର୍ବେଶ୍ୱର ବଇଠା ବିଭିନ୍ନ ପୁରାତନ ଓ ଆଧୁନିକ ଗୀତ ପରିବେଷଣ କରିବା ସହ ଦର୍ଶକମାନଙ୍କ ଭରପୂର ମନୋରଂଜନ କରାଇଥିଲେ । ଆଜିର ସଙ୍ଗୀତ ପରିବେଶଟି ଲୋକମାନଙ୍କ ମନରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଭରି ଦେଇଥିଲା । ଆଜି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ସପ୍ତମ ସଂଧ୍ୟାରେ ପ୍ରବଳ ଜନ ସମାଗମ ହୋଇଥିଲା । ଦର୍ଶକମାନେ ହସ୍ତଶିଳ୍ପ ଏବଂ ହସ୍ତତନ୍ତର ବିଭିନ୍ନ ଷ୍ଟଲରେ ବୁଲି ବିଭିନ୍ନ ସାମଗ୍ରୀ କିଣିବା ସହ ସାଂସ୍କୃତିକ କାର୍ଯକ୍ରମର ମଜା ଉଠାଇଥିଲେ । ଏହି ମେଳା ପ୍ରତ୍ୟହ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ଓ ଏହା ଫେବୃୟାରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

