୪ ଫେବୃଆରୀ,ଶନିବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିମିୟତା ସହ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଦଳୀୟ କର୍ମୀଙ୍କୁ ଦିଆଯିବା ପ୍ରତିବାଦରେ ଆଜି ଖପ୍ରାଖୋଲ ବିଜେପି ପକ୍ଷରୁ ରାଜ୍ୟ ସରକାର ଓ ବ୍ଲକ ପ୍ରଶାସନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ ଦୋରା ପେଟ୍ରୋଲ ପମ୍ପରୁ ବିଜେପି କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନବୀନ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ନାରାବାଜି ଦେବାସହ ଖପ୍ରାଖୋଲ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସମୟରେ ବିଜେପି ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଏକ ରାଲିରେ ବ୍ଲକକୁ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ସରକାର ବିରୁଦ୍ଧରେ ବର୍ଷିଥିଲେ । 
ଖପ୍ରାଖୋଲ ବ୍ଲକରେ ଥିବା ୨୧ଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାରେ ବ୍ୟାପକ ଅନିମିୟତା ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ଥିବାବେଳେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇଛି । ଏଥିରେ ଖପ୍ରାଖୋଲ ବ୍ଲକର ୨ଟି ମଣ୍ଡଳ ସଭାପତି ଦେବକାନ୍ତ ପାଣିଗ୍ରାହୀ ଓ ଶଶୀ ପୂଜାରୀଙ୍କ ସମେତ ପ୍ରବୀଣ ଅଗ୍ରୱାଲ, ଫକୀର ପ୍ରଧାନ, ଶିବ ସୁନା, ଉପେନ୍ଦ୍ର ଭୋଇ, କାଶୀ ମେହେର, କୁନା ବିଶ୍ୱାଳଙ୍କ ସମେତ ହଜାରରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଯୋଗ ଦେଇଥିଲେ । ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ବିଡ଼ିଓ ରଶ୍ମି ରଞ୍ଜନ ରାଉତଙ୍କୁ ପ୍ରଦାନ କରିାଯାଇଥିଲା । ଏହି ଦାବୀପତ୍ରଟି ମୁଖ୍ୟମନ୍ତ୍ରୀଙ୍କୁ ପଠାଇବା ସହ ଆସନ୍ତା ୭ଦିନ ମଧ୍ୟରେ ପୂରଣ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମୟରେ ମାଜିଷ୍ଟ୍ରେଟ ଭାବେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଉପସ୍ଥିତ ଥିବାବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ଆସନ୍ତା ୭ ଦିନ ମଧ୍ୟରେ ଏହାର ସମାଧାନ କରାନଗଲେ ପୁଣି ବ୍ଲକ ଘେରାଉ କରାଯିବ । ଏଥିସହିତ ପ୍ରଧାନମନ୍ତ୍ରୀ ଅବାସ ଯୋଜନା ଘରମାନଙ୍କରେ ବେଆଇନ ଭାବେ ଲଗାଯାଇଥିବା ବିଜୁ ପକ୍କା ଘର ଲଗୋକୁ ପ୍ରତ୍ୟାହାର ନ କଲେ ବିଡିଓଙ୍କନାମରେ ମୋକଦ୍ଦମା କରାଯିବ ବୋଲି ଶ୍ରୀ ସିଂଦେଓ କହିଛନ୍ତି ।

