୨ଫେବୃଆରୀ ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକରେ ଅବସ୍ଥିତ ଜିଲ୍ଲାର ଏକମାତ୍ର ସ୍ୱତନ୍ତ୍ର ଦିବ୍ୟାଙ୍ଗ ଅନୁଷ୍ଠାନ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ଆବାସିକ ବିଦ୍ୟାଳୟ ସ୍ଥାନୀୟ କଣ୍ଟେଇକୋଳି ଗ୍ରାମରେ ରହିଛି। ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ବ ଏହି ଏକ ମାତ୍ର ପୁରାତନ ଅନୁଷ୍ଠାନ ଯାହା କି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ ନାମରେ ନାମିତ। ଏହି ଅନୁଷ୍ଠାନକୁ କନ୍ଧମାଳ, ଗଜପତି, ରାୟଗଡ଼ା, ଗଞ୍ଜାମ ଜିଲ୍ଲାର ବହୁ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ନିର୍ଭର କରନ୍ତି। ଅବିଭାବକମାନେ ନିଜ ନିଜର ସନ୍ତାନ ସନ୍ତତି ମାନଙ୍କୁ ଏହି ଅନୁଷ୍ଠାନରେ ଶିକ୍ଷା ଗ୍ରହଣ ପାଇଁ ନିର୍ଭୟରେ ଛାଡୁଥିଲେ। ବର୍ତ୍ତମାନ ଏହି ଅନୁଷ୍ଠାନ ଦିନକୁ ଦିନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି।
ଅନୁଷ୍ଠାନର ସମ୍ପାଦକ ଦଣ୍ଡାସୀ ସାହୁଙ୍କ ମନମୁଖି ଓ ହରିଲୁଟ କାର୍ଯ୍ୟକଳାପ ଯୋଗୁଁ ଅନୁଷ୍ଠାନଟି ଦିନକୁ ଦିନ ଅଧଃପତନ ହେବାରେ ଲାଗିଛି। ଏହି ବିଦ୍ୟାଳୟଟି ବହୁ ପୁରାତନ ଅନୁଷ୍ଠାନ ହେଇଥିବା ବେଳେ ଏଠିକାର ପରିଚାଳନା କମିଟି ସଦସ୍ୟଙ୍କ ଭୂମିକା ଗୌଣ୍ଯ ଅଟେ । ବିଦ୍ୟାଳୟ କମିଟି ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ଵ ମାସ ହେଲା ଗଠନ ହୋଇନଥିବା ବେଳେ ନିର୍ଦ୍ଧିଷ୍ଟ ଏକ ଗୋଷ୍ଠୀ ନିଜ ମନଇଚ୍ଛା ଜନସାଧାରଣଙ୍କ ଅଗୋଚରରେ ସମ୍ପାଦକଙ୍କ ଘରେ ବସି କମିଟି ଗଠନ କରି ରାଜତନ୍ତ୍ରର ମସୁଧା ଚଲାଇଛନ୍ତି। ବିଦ୍ୟାଳୟ କମିଟି ଗଠନ ପାଇଁ ନୂତନ କର୍ମକର୍ତ୍ତା ଚୟନ ହେଉନଥିବା ବେଳେ ଅନୁଷ୍ଠାନର ସମ୍ପାଦକ ବିଶୃଙ୍ଖଳା ସୃଷ୍ଟି କରି ନିଜ ମନଇଚ୍ଛାରେ ପୁରାତନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଦ୍ୟାଳୟରୁ ବହିଷ୍କାର କରି ନୂତନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବାରମ୍ଵାର ନିଯୁକ୍ତି କରି ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ନିୟୋଜିତ କରିଛନ୍ତି।

