୧ ଫେବୃଆରୀ ବୁଧବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମୟୁରଭଞ୍ଜ :- ଲାଞ୍ଚୁଆ ପୋଲିସ ଏସଆଇଙ୍କୁ ୫ ବର୍ଷ ଜେଲ୍ । ଦଣ୍ଡାଦେଶ ଦେଲେ ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ । ରାୟ ଶୁଣାଇଲେ ବିଚାରପତି ଡ. ପ୍ରସନ୍ନ କୁମାର ପଣ୍ଡା । ୫ ବର୍ଷ କାରାଦଣ୍ଡ ସହ ୪୦ ହଜାର ଟଙ୍କା ଜୋରିମାନା ଆଦେଶ ଦିଆଯାଇଛି । ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ୨ମାସ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ରହିଛି ନିର୍ଦ୍ଦେଶ । ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନାର ତତ୍କାଳୀନ ସବ ଇନ୍ସିପେକ୍ଟର ହୃଷିକେଶ ପଶ୍ଚିମକବାଟ । ଖୁଣ୍ଟା ଥାନା ଅନ୍ତର୍ଗତ ସାନବେଳାକୁଟି ଗ୍ରାମର ସଞ୍ଜୀବ ପୁଥାଳଙ୍କ ସମେତ ପରିବାରର ୭ ଜଣଙ୍କ ବିରୋଧରେ ଏକ ଯୌତୁକ ନିର୍ଯ୍ୟାତନା ମାମଲା ରୁଜୁ ହୋଇଥିଲା ।
ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ ନ କରିବାକୁ ହୃଷିକେଶ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ୫ ହଜାର ଟଙ୍କା ନେଇଥିବା ବେଳେ ବଳକା ଟଙ୍କା ପରବର୍ତ୍ତୀ ସମୟରେ ନେବାକୁ ସ୍ଥିର ହୋଇଥିଲା । ଏନେଇ ସଞ୍ଜୀବଙ୍କ ଭାଇ ବିବେକାନନ୍ଦ ବାରିପଦା ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ । ଯୋଜନା ମୁତାବକ ୨୦୧୫ ଏପ୍ରିଲ ୧୩ ତାରିଖ ରାତିରେ ଥାନା ପରିସରରେ ଆଉ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ । ତାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ କୋର୍ଟ ଚାଲାଣ କରାଯାଇଥିଲା ।
