ବିଧାନସଭା ପରିସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଶ୍ରଦ୍ଧାଞ୍ଜଳି

୩୦ ଜାନୁଆରୀ,ସୋମବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଗତକାଲି ବିଳମ୍ବିତ ରାତିରେ ବିଧାନସଭା ପରିସରରେ ଦିବଂଗତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଗତକାଲି ଅପରାହରେ ବ୍ରଜରାଜନଗରଠାରେ ଗୁଳିବିଦ୍ଧ ହୋଇ ଆହତ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲକୁ ଅଧିକ ଚିକିତ୍ସା ପାଇଁ ଅଣାଯାଇଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତେ୍ୱ ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଥିଲା । ଡାକ୍ତରଖାନାରୁ ତାଙ୍କ ମରଶରୀର ବିଳମ୍ବିତ ରାତିରେ ବିଧାନସଭା ପରିସରକୁ ଅଣାଯାଇଥିଲା । ବିଧାନସଭା ପରିସରରେ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ, ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ଦଳମତ ନିର୍ବିଶେଷରେ ବିଧାୟକବୃନ୍ଦ, ଭୁବନେଶ୍ୱର ମହାନଗର ନିଗମର ମେୟର, ବିଧାନସଭା ସଚିବ, ପୋଲିସ କମିଶନର, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ,ଭୁବନେଶ୍ୱର ଡିସିପି ଏବଂ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ରହି ସ୍ୱର୍ଗତ ନବ କିଶୋର ଦାସଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବାଚସ୍ପତି ଶ୍ରୀ ଆରୁଖ କହିଛନ୍ତି ଯେ ପଶ୍ଚିମ ଓଡ଼ିଶାର ଏହି ଆଗଧାଡ଼ିର ରାଜନେତା ସ୍ୱର୍ଗତ ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ପଶ୍ଚିମ ଓଡ଼ିଶା ତଥା ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ଘଟିଛି ।ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶରେ ତାଙ୍କର ବଳିଷ୍ଠ ଯୋଗଦାନ ରହିଥିଲା । ଜଣେ ଦକ୍ଷ ରାଜନେତା ଓ ଲୋକପି୍ରୟ ଜନନେତା ଭାବେ ସମାଜର ସବୁବର୍ଗର ସେ ପ୍ରିୟଭାଜନ ଥିଲେ । ମନ୍ତ୍ରୀ ଓ ବିଧାୟକ ଭାବେ ତାଙ୍କ କାର୍ଯ୍ୟ ଉତ୍ତରପିଢ଼ିର ରାଜନେତାଙ୍କ ପାଇଁ ଅନୁକରଣୀୟ ରହିବ ଏବଂ ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ପରିବାରବର୍ଗଙ୍କୁ ଧେର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି

 

Exit mobile version