ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଫିଟିଲା ବାଟ ରାୟଗଡ ନାଗରିକ ମଞ୍ଚ ତରଫରୁ ଦୁଇ ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନକୁ ସମ୍ବର୍ଦ୍ଧନା
୨୩ ଜାନୁଆରୀ ସୋମବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡ :- ରାୟଗଡ ଜିଲ୍ଳା ସଦର ମହକୁମାରେ ରହିଥିବା ଜେ ଏସ କୋ ସିଲିଂ ଜମି ୫୦୬ ଏକର ଜମି ସରକାରୀ ଖାତାକୁ ଫେରିବା ନେଇ ଜିଲ୍ଲାରେ ଖୁସିର ମାହଲ ଝେଲି ଯାଇଛି। ସରକାରୀ ଖାତାକୁ ଆଣିବା ଦିଗରେ ସରକାର ଓ ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ବିଭିନ୍ନ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି । ଏହି ଜମି ରାଜସ୍ୱ ବିଭାଗ ଖାତାକୁ ଫେରିବା ଦ୍ୱାରା ସମସ୍ତ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । ତେଣୁ ଆଜି ରାୟଗଡା ଜିଲ୍ଲା ଗସ୍ତରେ ଆସିଥିବା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ରାୟଗଡା ନାଗରିକ ମଂଚ ପକ୍ଷରୁ ସ୍ଥାନୀୟ ଅଶୋକ ମଣ୍ଡପ ଠାରେ ଏହି ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା ।
ସେଠାରେ ମଂଚ ପକ୍ଷରୁ ଦୁଇ ମନ୍ତ୍ରୀ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୟା ମାଝୀ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାସ, ଜିଲ୍ଲାପାଳ ସ୍ୱଧା ଦେବ ସିଂ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା,ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଉପଜିଲ୍ଲାପାଳ ଭୀମଶେନ ଶବର, ତହସିଲଦାର ତାପସ ରାଉତଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଦୀର୍ଘ ୪୮ ବର୍ଷ ହେବ ବେଆଇନ ଭାବେ ଜଯପୁର ସୁଗାର କମ୍ପାନୀ ୭୮୭ ଏକର ଜମି ନିଜ ଅକ୍ତିଆରରେ ରଖି ଥିବା ବେଳେ ଏନେଇ ଆଇନଗତ ସଂଗ୍ରାମ ସାଙ୍ଗକୁ ତୃଣାମୂଳରେ ମଧ୍ୟ ସଂଗ୍ରାମ ଜାରି ରଖିଥିଲା ନାଗରିକ ମଞ୍ଚ ଯାହାର ଫଳ ସ୍ୱରୂପ ଆଜି ୫୦୬.୬୯ ଏକର ଜମି ଫେରି ପାଇଥିବା ସଭାରେ ମତ ପ୍ରକାଶ ପାଇଥିଲା ଏହି ଅବସରରେ ରାୟଗଡ ନାଗରିକ ମଂଚ ପକ୍ଷରୁ ସେହି ଜମିର ସୁବିନିଯୋଗ ପାଇଁ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ନିବେଦନ କରାଯାଇଛି ।
ମୁଖ୍ୟତଃ ମେଡିକାଲ କଲେଜ, ଏୟାରପୋର୍ଟ, ବୃହତ ଷ୍ଟାଡିୟମ, ନୂତନ କଲେଜ, ନୂତନ ହାଇସ୍କୁଲ, ନୂତ ବସଷ୍ଟାଣ୍ଡ ଭଳି ପ୍ରକଳ୍ପ ନିର୍ମାଣ କରିବାକୁ ନିବେଦନ କରାଯିବା ସହ ଏକ ଲିଖିତ ପ୍ରସ୍ତାବ ପ୍ରଦାନ କରାଯାଇଛି । ଲିଖିତ ପ୍ରସ୍ତାବ ପାଇବା ପରେ ଜିଲ୍ଲାବାସୀଙ୍କ ଦାବୀକୁ ଗୁରୁତର ସହିତ ବିଚାର କରାଯିବ ଏବଂ ଏହି ଦାବି ସମୂହକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିକଟରେ ଉପସ୍ଥାନ କରିବେ ବୋଲି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଥିଲେ । ଅପର ପକ୍ଷେ ଏଥିପୂର୍ବରୁ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିର ପାଇଁ ରେଳବାଇ ବୋର୍ଡ ୬.୩୦ ଏକର ଜମି ଅଂଚଳ ବଦଳ କରିଥିବା ବେଳେ ବର୍ତମାନ ୫୦୬ ଏକର ଜମି ସରକାରୀ ଖାତାକୁ ଫେରିବା କିଛି କମ୍ କଥା ନୁହଁ ବୋଲି ରାୟଗଡ ନାଗରିକ ମଂଚ କହିଛି ।
