ଜାନୁଆରୀ ୧୯,ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲାସ୍ଥିତ ଶୈବପୀଠ ଏକ ଐତିହାସିକ ପୁରାତନ କୀର୍ତ୍ତିରାଜିର ପ୍ରମୁଖ ସ୍ଥାନ ଅଟେ । ଏଠାରେ ଆବିଷ୍କୃତ ପୁରାତନ ଶିଳାଲେଖ କଳାହାଣ୍ଡି ଇତିହାସର ଏକ ନୂତନ ଦିଗକୁ ଆବିଷ୍କାର କରେ। ଗତ ୨୦୨୨ ଅପ୍ରେଲ ୨୬ ତାରିଖ ଦିନ ପ୍ରଚଣ୍ଡ ରୌଦ୍ରତାପରେ ସମ୍ବଲପୁରରୁ ପ୍ରାୟ ଦୁଇ ଶହ କିଲୋମିଟର ଯାତ୍ରା କରି ନର୍ଲାରେ ପହଞ୍ଚିଥିଲେ ବିଶିଷ୍ଟ କବି, ଐତିହାସିକ ତଥା ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଅବସରପ୍ରାପ୍ତ ବୈଷୟିକ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶଶାଙ୍କ ଶେଖର ପଣ୍ଡା ।
ନର୍ଲାସ୍ଥିତ ପ୍ରାଚୀନ ଶିବ ମନ୍ଦିର ବାହାର କାନ୍ଥରେ ଆବହମାନ କାଳରୁ ରହିଥିବା ପ୍ରସ୍ତର ଶିଳାଲେଖର ପାଠୋଦ୍ଧାର କରିବା ପାଇଁ ବିଶିଷ୍ଟ ଐତିହାସିକ ମ.ରାମପୁରର ମିହିରେନ୍ଦ୍ର ପ୍ରତାପ ସିଂହଦେଓ ଏବଂ ସ୍ଥାନୀୟ ସାମ୍ବାଦିକ ପ୍ରଦୀପ କୁମାର ଗଉଡ, ଶୁଶାନ୍ତ ଚାନ୍ଦଙ୍କର ସହାୟତା କ୍ରମେ ତଥା ଶିବମନ୍ଦିର ପରିଚାଳନା କମିଟିର ସହଯୋଗରେ ଏହି ପ୍ରସ୍ତର ଶିଳାଲେଖରେ ସମୟକ୍ରମେ ଲାଗିଥିବା ଚୁନର ବହଳ ପ୍ରଲେପ ପରିସ୍କାର କରି ଓଡ଼ିଶାର ବିଶିଷ୍ଟ ଲିପିତତ୍ବବିତ ରେଭେନ୍ସା ବିଶ୍ଵବିଦ୍ୟାଳୟର ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟଙ୍କ ନିକଟକୁ ଶିଳାଲେଖର ଫଟୋ ଚିତ୍ରମାନ ପାଠୋଦ୍ଧାର ପାଇଁ ପ୍ରେରଣ କରିଥିଲେ ।
