୧୭ ଜାନୁଆରୀ ମଙ୍ଗଳବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ସଦର ୪୨ମୌଜା ସ୍ଥିତ ସର୍ବ ପୁରାତନ ତଥା ବ୍ୟସ୍ତ ବହୁଳ ବେଣ୍ଟକାର ଡାକଘରେ ଥିବା ହୋଣ୍ଡା କମ୍ପାନୀର (ଇଏକ୍ସକେ ୨୮୦୦) ୨୨୦ ଭୋଲଟ୍ ଜେନେରେଟରଟି ଆଜକୁ ଦୀର୍ଘ ୪ମାସ ହେବ ଅକାମୀ ହୋଇ ସେବା କାର୍ଯ୍ୟରେ ଆସୁନାହିଁ । ୪୨ମୌଜା ସ୍ତରରେ ବିଦ୍ୟୁତ୍ ବିଭାଗ ଦ୍ଵାରା ବିଦ୍ୟୁତ ସଂପ୍ରସାରଣ ଓ ମରାମତି କାର୍ଯ୍ୟ ବୃଦ୍ଧି ପାଇଥିବାରୁ ପ୍ରତି ମାସରେ ଦୁଇଦିନ ସକାଳ ୯ରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ହେଉଅଛି । ଏପରି କେତେଥର ଘଟିଛି ଯେଉଁଦିନ ଡାକଘରେ ଦିନ ତମାମ ଲିଙ୍କ୍ ନଥିବା ହେତୁ ସେବା ବନ୍ଦ ଥିଲା ଓ ଠିକ୍ ତା ପର ଦିନ ଦିନଭରି ବିଦ୍ୟୁତ୍ କାଟ୍ ହୋଇ ଡାକ ସେବା ଲଗାତାର ଦୁଇଦିନ ବନ୍ଦଅଛି ।
ଏହି ପରିପ୍ରେକ୍ଷୀରେ ଜେନେରେଟର ଠିକ୍ ନଥିବାରୁ ହିତାଧିକାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବ ପୋଷ୍ଟ ମାଷ୍ଟର ଦେବାଶିଷ ଦାସ ଗତ ଡ଼ିସେମ୍ବର ୨୯ ତାରିଖରୁ ଏଠାରୁ ବଦଳି ହୋଇ ତାଙ୍କ ସ୍ଥାନରେ ଗତ ଡ଼ିସେମ୍ବର ୩୦ ତାରିଖରୁ ବି.ଚନ୍ଦ୍ରଶେଖର ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଦେବାଶିଷ ଦାସ ପୋଷ୍ଟ ମାଷ୍ଟର ଥିବା ସମୟରେ ଜେନେରେଟର ମରାମତି ପାଇଁ ଉପରିସ୍ଥ ଅଧିକାରୀଙ୍କୁ ୪ଥର ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି । ନୂଆ ପୋଷ୍ଟ ମାଷ୍ଟର ବି.ଚନ୍ଦ୍ରଶେଖରଙ୍କୁ ଏ ଅବ୍ୟବସ୍ଥା ବାବଦରେ ଜଣାଇବାରୁ ସେ କହିଲେ ଉପର ଅଧିକାରୀଙ୍କୁ ଆମ୍ଭେ ଜଣାଇଛୁ ଖୁବ୍ ଶୀଘ୍ର ଏହା ମରାମତି ହେବ । ୪୨ମୌଜାରେ ଥିଵା ୬ଗୋଟି ଗ୍ରାମ ପଞ୍ଚାୟତର ହଜାର ହଜାର ଉପଭୋକ୍ତା ଏହି ଉପ ଡାକଘର ଉପରେ ନିର୍ଭରଶୀଳ ।
