୧୫ ଜାନୁଆରୀ ରବିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ବର /ନୂଆଦିଲ୍ଲୀ :- ବିଶ୍ୱଭରି ଓଡ଼ିଆ ଏକଜୁଟ ହେବାକୁ ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ) ତରଫରୁ ଆହ୍ବାନ ଦିଆଯାଇଛି। ଓଡ଼ିଶା ବାହାରେ ତଥା ଭାରତବର୍ଷର ଅନ୍ୟାନ୍ୟ ପ୍ରଦେଶ ଓ ସାରା ପୃଥିବୀରେ ବିଭିନ୍ନ ଦେଶରେ ବସବାସ କରୁଥିବା ଦେଢ କୋଟି ପ୍ରବାସୀ ଓଡିଆ ଏକମନ, ଏକପ୍ରାଣ ଓ ଏକନିଷ୍ଠ ହୋଇ ନିଜର ମାତୃ ପ୍ରଦେଶ ଓଡିଶାର ସର୍ବ ମଙ୍ଗଳ ପାଇଁ ତନ, ମନ, ଧନ ଅର୍ପଣ କରିବାକୁ ୱାଓସୋ ଡାକରା ଦେଇଛି। ୱାର୍ଲଡ ଓଡିଶା ସୋସାଇଟିର ଦ୍ଵିତୀୟ ପ୍ରତିଷ୍ଠା ଦିବସ ଅବସରରେ ଆଭାସୀ ମଞ୍ଚରେ ଆୟୋଜିତ ‘ଉତ୍କଳ ଉତ୍ସବ’ ରେ ଯୋଗଦେଇ ଅଷ୍ଟ୍ରେଲିଆ ଠାରୁ ଆମେରିକା ଏବଂ ୟୁ.ଏ.ଇ ଠାରୁ ୟୁରୋପ ପର୍ଯ୍ୟନ୍ତ ରାଷ୍ଟ୍ର ମାନଙ୍କର ଶତାଧିକ ତୁଙ୍ଗ ପ୍ରବାସୀ ଓଡିଆ ନେତା ୨୦୩୬ ମସିହାରେ ଓଡ଼ିଶା ୧୦୦ ବର୍ଷରେ ପଦାର୍ପଣ କରିବା ବେଳେ ଏକ ସର୍ଵ ସମ୍ପର୍ଣ୍ନ, ସମୃଦ୍ଧ ନୂତନ ଓଡ଼ିଶା ଗଢି ତୋଳିବା ପାଇଁ ବଜ୍ର ହୁଙ୍କାର ଦେଇଛନ୍ତି । 
ମହା ସମାରୋହରେ ପାଳିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଓଡିଶାର କଳା, ରସ, ଛନ୍ଦ ଓ ଗାରିମା ଅନନ୍ୟ ଓ ମହାନ ବୋଲି ସୂଚାଇଥିଲେ। ନଵ ଉତ୍କଳ ଗଠନ ପାଇଁ ୱାର୍ଲଡ ଓଡିଶା ସୋସାଇଟି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ସାହୁ ଦୃଢ ଆଶା ପ୍ରକଟ କରିଥିଲେ। ବିଶିଷ୍ଟ ଅତିଥି ଜର୍ମାନୀ ରେ ଅବସ୍ଥାପିତ ସୁନାମଧନ୍ୟ ଲେଖକ ରାଜେନ୍ଦ୍ର ନାରାୟଣ ଦାସ ଓଡ଼ିଶାରେ ରହିଥିବା ସାମ୍ପ୍ରତିକ ଶିକ୍ଷା, ସ୍ବାସ୍ଥ୍ୟ ଓ ସଂସ୍କୃତିଗତ ସମସ୍ୟା ନେଇ ଘୋର ଉଦବେଗ ପ୍ରକାଶ କରିଥିଲେ। ୨୫ ବର୍ଷରେ ଥରେ ସଭ୍ୟତା ବଦଳୁ ଥିବାରୁ ଯୁଗ ସହିତ ତାଳ ମିଳାଇ ଆଗେଇ ଚାଲିବାକୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥିଭାବେ କୋଲକତା ସ୍ଥିତ ସତ୍ୟଜିତ ରାୟ ସିନେମା ଓ ଟିଭି ସଂସ୍ଥାନର ନିର୍ଦ୍ଦେଶକ ହିମାଂଶୁ ଖଟ୍ଟୁଆ ମହାପ୍ରଭୁ ଜଗନ୍ନାଥଙ୍କର ଦୟାରୁ ସାରା ପୃଥିବୀର କୋଣ ଅନୁକୋଣରେ ଥିବା ଓଡ଼ିଆଙ୍କୁ ୱାଓସୋ ଜରିଆରେ ଜାଣିବାର ସୁଯୋଗ ଉପଲବ୍ଧି ହୋଇ ପାରିଥିଵା ନେଇ ଆନନ୍ଦ ପ୍ରକାଶ କରିଥିଲେ। ବରେଣ୍ୟ ଅତିଥି ରାଷ୍ଟ୍ରପତିଙ୍କର ଅତିରିକ୍ତ ପ୍ରେସ ସଚୀବ ବିଜୟ ନାୟକ ଦେଶର ସର୍ଵ ପ୍ରଥମ ପତ୍ରିକା ସାଧୁସୁନ୍ଦର ଦାସ ଙ୍କର କୁଜିବର ପତ୍ର ଓଡ଼ିଶାରୁ ପ୍ରକାଶ ପାଇଥିଲା ବୋଲି ଦର୍ଶାଇ ନିଜର ଅସ୍ମିତାକୁ ନେଇ ଗର୍ବ ଅନୁଭବ କରିବାକୁ ଉପଦେଶ ଦେଇଥିଲେ। ସମ୍ମାନସ୍ପଦ ଅତିଥି ଭୁବନେଶ୍ବର ର ମେୟର ସୁଲୋଚନା ଦାସ ରାଜ୍ୟ ର ରାଜଧାନୀକୁ ସରସ ସୁନ୍ଦର କରି ଗଢି ତୋଳିବାକୁ ପ୍ରବାସୀ ଓଡିଆ ମାନଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ। ସ୍ବାଗତ ଭାଷଣ ପ୍ରଦାନ କରି ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଓଡ଼ିଶାର ଲୁପ୍ତ ବୈଭବ, ହୃତ ଗୌରବ ଓ ସୁପ୍ତ ସୌରଭକୁ ଫେରାଇ ଆଣି ପୁନର୍ବାର ସୁଜଳା, ସୁଫଳା, ଶଶ୍ୟ ଶ୍ୟାମଳା, ସ୍ବର୍ଣ୍ଣାଭ ଓଡିଶା ଗଠନ ପାଇଁ ୱାଓସୋ ବଦ୍ଧ ପରିକର ବୋଲି ଘୋଷଣା କରିଥିଲେ ୱାଓସୋ ପ୍ରତିଷ୍ଠାତ୍ରୀ ଡକ୍ଟର ଅରୁନ୍ଧତୀ ଦେବୀ ସୌର୍ଯ୍ୟ, ବୀର୍ଯ୍ୟ ଓ ଗାମ୍ଭୀର୍ଯ୍ୟ ପୁର୍ଣ୍ଣ ନୂଆ ଓଡିଶା ଗଠନ ପାଇଁ ୱାର୍ଲଡ ଓଡିଶା ସୋସାଇଟି ପ୍ରତିଜ୍ଞା ବଦ୍ଧ ବୋଲି ପ୍ରକାଶ କରିଥିଲେ। ଅଷ୍ଟ୍ରେଲିଆ ରୁ ୱାଓସୋ ର ଉପାଧ୍ୟକ୍ଷ ଡଃ ନଳିନୀ ପତି ସାରା ବିଶ୍ୱର ଓଡ଼ିଆ ମାନଙ୍କୁ ନେଇ ଏକ ଡାଟାବେସ୍ ବନାଇବା ଅନୁଷ୍ଠାନର ଅନ୍ୟତମ ମହତ ଉଦେଶ୍ୟ ବୋଲି କହିଥିଲେ। ଜନ୍ମମାଟି ଓଡ଼ିଶାର ସ୍ବାତନ୍ତ୍ର୍ୟକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଆବୁଧାବି ଓଡ଼ିଆ ସମାଜର ସଭାପତି ପ୍ରଦୀପ ରଥ ସାମୁହିକ ଉଦ୍ୟମ ଓ ସର୍ବ ସହଯୋଗ କାମନା କରିଥିଲେ।

