ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାର
୧୫ ଜାନୁଆରୀ ରବିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ଵର :- ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଭାରତ ସରକାରଙ୍କ ଅନ୍ୟତମ ପ୍ରମୁଖ ଯୋଜନା ଅଟେ I ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନ ୬୦/୪୦ ଅଟେ I ଗ୍ରାମ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ଓ ରାଜ୍ୟ ସରକାରଙ୍କ ସ୍ତରରେ ଅତ୍ୟନ୍ତ ତୀବ୍ର ନିରୀକ୍ଷଣ ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି I ଏହି ଯୋଜନା ଅନ୍ତର୍ଗତ ଗୃହ ନିର୍ମାଣ ସହାୟତା ରାଶି ଅଣ ସମନ୍ଵିତ କାର୍ଯ୍ୟ ଯୋଜନାରେ ତାଲିକାଭୁକ୍ତ ବା ଅଣ- ଆଇଏପି ଜିଲ୍ଲାମାନଙ୍କରେ ୧,୨୦,୦୦୦ ଟଙ୍କା ହୋଇଥିବାବେଳେ, ସମନ୍ଵିତ କାର୍ଯ୍ୟ ଯୋଜନାରେ ତାଲିକାଭୁକ୍ତ ବା ଆଇଏପି ଜିଲ୍ଲାଗୁଡ଼ିକରେ ଏହା ୧,୩୦,୦୦୦ ଟଙ୍କା ଅଟେ I ହିତାଧିକାରୀଙ୍କୁ ଶୀଘ୍ର ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ ପ୍ରୋତ୍ସାହିତ କରି ଓଡ଼ିଶା ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୪ ମାସରେ ଗୃହ କାର୍ଯ୍ୟ ସମାପ୍ତ କରିପାରୁଥିବା ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ଏବଂ ୬ ମାସରେ ସମାପ୍ତ କରୁଥିବା ହିତାଧିକାରୀଙ୍କୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି I
ଏତଦବ୍ୟତୀତ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ହିତାଧିକାରୀମାନଙ୍କୁ ଅଣ-ଆଇଏପି ଜିଲ୍ଲାମାନଙ୍କରେ ୯୦ ଦିନ ଓ ଆଇଏପି ଜିଲ୍ଲାମାନଙ୍କରେ ୯୫ ଦିନ ପର୍ଯ୍ୟନ୍ତ ମଜୁରୀ ମିଳିଥାଏ I ସ୍ଵଚ୍ଛ ଭାରତ ମିଶନ ଅଧୀନରେ ବ୍ୟକ୍ତିଗତ ଶୌଚାଳୟ (IHHL) ନିର୍ମାଣ ନିମନ୍ତେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧୨,୦୦୦ ଟଙ୍କା ମିଳିଥାଏ I ଅର୍ଥାତ, ୪ ମାସରେ ଗୃହ କାର୍ଯ୍ୟ ସମାପ୍ତ କରିପାରୁଥିବା ପ୍ରତ୍ୟେକ ହିତାଧିକାରୀଙ୍କୁ ଅଣ-ଆଇଏପି ଜିଲ୍ଲାଗୁଡ଼ିକରେ ୧,୭୨,୦୦୦ ଟଙ୍କା ମିଳୁଥିବାବେଳେ ଆଇଏପି ଜିଲ୍ଲାମାନଙ୍କରେ ୧,୮୨,୦୦୦ ଟଙ୍କା ମିଳୁଅଛି I
