୧୦ ଜାନୁଆରୀ ମଙ୍ଗଳବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ରାୟଗଡା :- ଶିଶୁ ମାନଙ୍କୁ ଯତ୍ନ ଓ ସୁରକ୍ଷା ଯୋଗାଉଥିବା ଅନୁଷ୍ଠାନ ରୂପେ ରାୟଗଡା ଜିଲ୍ଲା ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି)ର ଅଧ୍ୟକ୍ଷା ଶ୍ରୀମତୀ ବିଦୁଳତା ହୁଇକା ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରାଜ କିଶୋର ସାହୁଙ୍କ ଠାରୁ ଦାୟିତ୍ତ୍ଵ ଗ୍ରହଣ କରିଛନ୍ତି । ହୁଇକାଙ୍କ ସହିତ ଆଉ ଚାରି ଜଣ ଯଥା ବରିଷ୍ଠ ସଭ୍ୟ ଶ୍ରୀ କୈଳାଶ ଚନ୍ଦ୍ର ପାଳ, ଶ୍ରୀମତୀ ପ୍ରିୟଦର୍ଶିନୀ ମହାକୁଳ, ଶ୍ରୀମତୀ ଜ୍ୟୋସ୍ନାମୟୀ ପାଢୀ ଓ ଶ୍ରୀ ଗାଗାରିନ ଶବର ମଧ୍ୟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ରାୟଗଡାର ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଦାୟିତ୍ତ୍ଵ ନେଇଛନ୍ତି ।
ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିଭାଗର ତା୮.୧୨.୨୦୨୨ରିଖର ବିଜ୍ଞପ୍ତି ସଂଖ୍ୟା – ୨୦୫୪୭ ନିର୍ଦ୍ଦେଶନାମାନୁସାରେ ଏହି ପାଞ୍ଚଜଣିଆ କମିଟି ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ହିସାବରେ ଆସନ୍ତା ତିନି ବର୍ଷ ପାଇଁ କାମ କରିବେ । “ଯୌନ ପିଡିତା କିଶୋର କିଶୋରୀ, ଘରୁ ଲୁଚିଛପି ପଳାଇଯାଉଥିବା ଶିଶୁ, ରାସ୍ତାକଡରେ ଭିକ ମାଗୁଥିବା ପିଲା, ପିତାମାତା ଛେଉଣ୍ଡ ପିଲା, ଅପରାଧରେ ସଂପୃକ୍ତ ଶିଶୁ, ନିଶାଶକ୍ତ ଓ ନିଶା କାରବାର ସହିତ ସଂପୃକ୍ତ କିଶୋର, ବିପଦ ସଙ୍କୁଳ ଅନ୍ଲାଇନ୍ ଗେମ୍ ଖେଳୁଥିବା ପିଲା, ବିପଦ ସଙ୍କୁଳ ପରିବେଶରେ ସେଲ୍ଫି ନେଇ ଜୀବନକୁ ବିପଦକୁ ଠେଲି ଦେଉଥିବା ଶିଶୁ, 
ପାଠ ପ୍ରତି ଅନାଗ୍ରହ ପ୍ରକାଶ କରି ଆତ୍ମହତ୍ୟା ପାଇଁ ଚେଷ୍ଟା କରୁଥିବା କିଶୋର କିଶୋରୀ, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ବାଲ୍ୟବିବାହ, ଯୌନ ସମ୍ପର୍କ ପାଇଁ ଲାଳାୟିତ ହୋଇ ଘରତ୍ୟାଗ କରି ପୁରୁଷମାନଙ୍କ ସହ ପଳାଉଥିବା କିଶୋରୀ, ବିବାହର ପ୍ରଲୋଭନରେ ପଡି ଘରୁ ଲୁଚି ପଳାଇବା ପରେ ପୋଲିସ୍ ଦ୍ୱାରା ଉଦ୍ଧାର ହୋଇ ଆସୁଥିବା କିଶୋରୀମାନଙ୍କର ଏତାଦୃଶ ଆଚରଣର କାରଣକୁ ଅନୁଧ୍ୟାନ କରି ଶିଶୁ ମଙ୍ଗଳ ସମିତି ଆଗକୁ ଦୃଢ ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଶ୍ରୀମତୀ ହୁଇକା । ବିଚାର ବିମର୍ଶ ପରେ ଶିଶୁମାନଙ୍କର ଉପାଦେୟ ମତାମତକୁ ଆଧାର କରି, ଶିଶୁ ଓ କିଶୋର କିଶୋରୀଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ଓ ସେମାନଙ୍କର ଆବଶ୍ୟକତାକୁ ଗୁରୁତ୍ୱ ଦେଇ କାର୍ଯ୍ୟକ୍ରମ ନିଆଯିବ ବୋଲି କହିଛନ୍ତି ବରିଷ୍ଠ ସଦସ୍ୟ ଶ୍ରୀ କୈଳାଶ ଚନ୍ଦ୍ର ପାଳ ।
