୨୫ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ବଲାଙ୍ଗିର :- ଆଇନ୍ଜୀବୀ ଆନ୍ଦୋଳନ ଓ ହାଇକୋର୍ଟ ବେଂଚ ଦାବୀ ଉପରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ମତ ଦୀର୍ଘ ୬୩ବର୍ଷର ଦାବୀ ଓ ଦୁଇଦଶନ୍ଧିର ହାଇକୋର୍ଟ ବେଂଚ ଆନ୍ଦୋଳନକୁ ବହୁତ୍ ଜୋର୍ ଧକ୍କା ଦେଇଛି । ଏହାଛଡ଼ା ଆଇନ୍ଜୀବୀମାନଙ୍କ ଗିରଫଦାରୀ ଓ ଲାଇସେନ୍ସ ରଦ୍ଧ ଘଟଣା ସମଗ୍ର ଆଇନ୍ଜୀବୀ ଗୋଷ୍ଠୀ ଓ କୋସଲାଞ୍ଚଳର ଜନସାଧାରଣଙ୍କୁ ଆହତ କରିଛି । ହାଇକୋର୍ଟ ବେଂଚ ଦାବୀ କେବଳ ଆଇନଜୀବୀମାନଙ୍କ ନ ଥିଲା, ଏହା କୋସଲାଞ୍ଚଳର ୨.୫ କୋଟି ଜନସାଧାରଣ ଓ ଆଇନ୍ ଆଶ୍ରିତ ସାଧାରଣ ଜନତାଙ୍କ ହୃଦୟର ଦାବୀ ଥିଲା । ହାଇକୋର୍ଟ ବେଂଚ ପ୍ରତିଷ୍ଠା ସରକାରଙ୍କ କାମ । ଦାବୀର ତାର୍କିକ ନ୍ୟାୟସଂଗତ ଯୁକ୍ତିକୁ ଗ୍ରହଣ କରି ରାଜ୍ୟ ସରକାର ୨/୨ ଥର ବେଂଚ ପ୍ରତିଷ୍ଠା ସମ୍ପର୍କରେ ପତ୍ରାଳାପ ମଧ୍ୟ କରିଥିଲେ ।
କେନ୍ଦ୍ର ସରକାର ମଧ୍ୟ ୨ଥର ସ୍ଥାନ ନିରୂପଣ ପାଇଁ ପତ୍ରାଳାପ କରିଥିଲେ । ଏଥିପାଇଁ ରାଜ୍ୟସରକାର ଏକ ପାଲ୍ କମିଶନ ମଧ୍ୟ ଗଠନ କରିଥିଲେ । କିନ୍ତୁ ବୋଧହୁଏ ଏ ସମସ୍ତ ତଥ୍ୟ ମାନ୍ୟବର ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଠିକ୍ ରୂପେ ଉପସ୍ଥାପିତ ହୋଇପାରିଲା ନାହିଁ । ଫଳତଃ ୮୫ଭାଗର ଉର୍ଦ୍ଧ୍ୱ ବ୍ୟକ୍ତି ଏ ଅଞ୍ଚଳରେ ଦାରିଦ୍ର୍ୟର ସୀମାରେଖା ତଳେ ଥିବା ସତ୍ତ୍ୱେ ତଥା ଆଦିବାସୀ, ଦଳିତ ଓ ଅର୍ଥନୈତିକ ରୂପେ ଅନୁନ୍ନତ କୋସଲାଞ୍ଚଳରେ ହାଇକୋର୍ଟ ବେଂଚ ସ୍ଥାପନର ଦାବୀ ନ୍ୟାୟିକ ସ୍ୱୀକୃତି ପାଇପାରିଲା ନାହିଁ । ଏହା କୋସଲାଞ୍ଚଳର ଇତିହାସରେ ଏକ ସର୍ବବୃହତ ଦୁର୍ଘଟଣା ଅଟେ ।
ଏଥିରୁ ଗୋଟିଏ କଥା ସ୍ପଷ୍ଟଯେଯ ସମ୍ବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋସଲ ପ୍ରଦେଶ ଗଠନ ପାଇଁ ସମ୍ମିଳିତ ଲଢ଼େଇ କରିବା ଛଡ଼ା ଏ ଅଞ୍ଚଳର ଅନ୍ୟଗତି ନାହିଁ । ତେଣୁ ହାଇକୋର୍ଟ ବେଂଚ ପାଇଁ ଲଢ଼ୁଥିବା ବାର ଏସୋସିଏସନ୍ ଓ ସିଏସି ସମ୍ମିଳିତ ଭାବରେ ସ୍ୱତନ୍ତ୍ର କୋସଲ ପ୍ରଦେଶ ପାଇଁ ଲଢ଼େଇ କରିବା ଆବଶ୍ୟକ । କାରଣ ବେଂଚ ନୁହେଁ ସ୍ୱତନ୍ତ୍ର ରାଜ୍ୟ ଗଠନ ହେଲେ ଏ ଅଞ୍ଚଳରେ ପୂର୍ଣ୍ଣାଙ୍ଗ ହାଇକୋର୍ଟ ପ୍ରତିଷ୍ଠା ହୋଇପାରିବ । ଏକଥା ଅନଃସ୍ୱୀକାର୍ଯ୍ୟ ଯେ କୋସଲାଞ୍ଚଳ ଉଗ୍ର ଆଞ୍ଚଳିକ ବୈଷମ୍ୟର ଶିକାର ହୋଇଛି । 
୧୯୩୬ର ଓଡ଼ିଶା ଗଠନ ଓ ୧୯୪୮ର ଗଡ଼ଜାତ ମିଶ୍ରଣ ପରେ ଏ ଅଞ୍ଚଳର ଚାଷୀ, ମୂଲିଆ, ଯୁବକ, ଛାତ୍ର ଓ ବୁଦ୍ଧିଜୀବୀମାନେ ନିରନ୍ତର ଏହି ବୈଷମ୍ୟର ଶୀକାର ହୋଇ ତଳିତଳାନ୍ତ ହୋଇଛନ୍ତି । ଏହି କଥାକୁ ଦେଶର ବହୁ ସାମ୍ବିଧାନିକ ସଂସ୍ଥା, କମିଟି ଓ କମିଶନମାନେ ସ୍ୱୀକାର କରିଛନ୍ତି । ଆଞ୍ଚଳିକ ବୈଷମ୍ୟର ଉଗ୍ରତାକୁ ସ୍ୱୀକାର କରି ନିଜେ ରାଜ୍ୟ ସରକାର ମଧ୍ୟ ପ୍ରଥମେ ଘଡ଼େଇ କମିଶନ ଓ ପରେ ଆଞ୍ଚଳିକ ବୈଷମ୍ୟ କମିଶନ ଗଠନ କରିଛନ୍ତି । ଏଭଳିକି ରାଜ୍ୟ ସରକାର “ପଶ୍ଚିମ ଓଡ଼ିଶା ବିକାଶ ପରିଷଦ’ ଗଠନ କରଥିବାବେଳେ କେନ୍ଦ୍ର ସରକାର କେବିକେ ଯୋଜନା ଲାଗୁ କରିଥିଲେ ।
